ଶ୍ରୀମନ୍ଦିରରେ ଭକ୍ତଙ୍କ ରକ୍ତଛିଟା: ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ନୀତି ବିଳମ୍ବ, ଅସନ୍ତୁଷ୍ଟ ଶ୍ରଦ୍ଧାଳୁ

ପୁରୀ: ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ପୂଜା ପରେ ଜୟବିଜୟ ଦ୍ୱାର ନିକଟରେ ଜଣେ ଭକ୍ତଙ୍କ ରକ୍ତଛିଟା ପଡ଼ିବା ଯୋଗୁଁ ନୀତି ବିଳମ୍ବିତ ହୋଇଥିବାର ଖବର ମିଳିଛି। ଅବକାଶ ପୂଜା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ମହାସ୍ନାନ ନୀତି ଯୋଗୁଁ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ନୀତି ବିଳମ୍ବ ହୋଇଥିଲା।

ଏହି କାରଣରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା। ପ୍ରଚଣ୍ଡ ଖରା ସାଙ୍ଗକୁ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ବଡ଼ଦାଣ୍ଡରେ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ ବଡ଼ଦାଣ୍ଡରେ ଟାଉନ ଥାନାଠାରୁ ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁମାନେ ଏନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଭିତର କାଠ ଅଣସର ପିଣ୍ଡି ନିକଟରେ ଶୁକ୍ରବାର ଦିନ ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥିଲା। ଏଥିପାଇଁ ଶୁକ୍ରବାର ଦିନ ଶ୍ରୀମନ୍ଦିରରେ ୩ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା। ମହାସ୍ନାନ ନୀତି ଶେଷ ପରେ ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ଦର୍ଶନ ସ୍ବାଭାବିକ ‌‌ହୋଇଥିଲା।

ମୁତାବକ, ଶୁକ୍ରବାର ମଧ୍ୟାହ୍ନଧୂପ ଶେଷ ପରେ ଅପରାହ୍ଣ ୩ଟାରେ ଭକ୍ତଙ୍କ ଦର୍ଶନ ଚାଲିଥିଲା। ଭକ୍ତମାନେ ଭିତର କାଠରୁ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଏହି ସମୟରେ ଭିତର କାଠ ଅଣସର ପିଣ୍ଡି ତଳେ ରକ୍ତ ପଡ଼ିଥିବା ନୀତି ସଂପୃକ୍ତ ସେବାୟତମାନେ ଦେଖିଥିଲେ। ଏଣୁ ଅପରାହ୍ଣ ପ୍ରାୟ ୩ଟାରୁ ଦର୍ଶନ ଓ ନୀତିକାନ୍ତି ବନ୍ଦ ରଖି ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ସଂଧ୍ୟା ପ୍ରାୟ ୫ଟା ୫୦ରେ ମହାସ୍ନାନ ନୀତି ଶେଷ ପରେ ୬ଟା ୧୦ରୁ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏଣୁ ଏହି ସମୟରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଥିଲା। ନୀତିକାନ୍ତି ଆରମ୍ଭ ପରେ ପୁନର୍ବାର ଦର୍ଶନ ଆରମ୍ଭ ହୋଇଥିଲା। ନୀତିକାନ୍ତି ସମୟରେ କୌଣସି ସେବାୟତ ‌ଆଘାତପ୍ରାପ୍ତ ହେବା ପରେ ପାଦରୁ ରକ୍ତ ଝରି ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର