ପୁରୀ : ଶ୍ରୀମନ୍ଦିରରେ ବିଭିନ୍ନ ଧୂପ ନୀତି ବେଳେ ବରାଦି ଭୋଗ ପଶୁଥିବା ନେଇ ଅଭିଯୋଗ ହୋଇଛି। କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଶ୍ରୀମନ୍ଦିର ସ୍ବତ୍ବଲିପି ଓ ବିଧିବ୍ୟବସ୍ଥାକୁ ଖୋଲା ଉଲ୍ଲଂଘନ କରି ଏପରି କରୁଛନ୍ତି। ଯେଉଁଥିପାଇଁ ନୀତିକାନ୍ତିରେ ଅହେତୁକ ବିଳମ୍ବ ହେଉଛି। ଦ୍ବାରଫିଟା ନୀତି ଭୋର ୪ଟା ବଦଳରେ ପ୍ରତିଦିନ ୬ଟା ପରେ ସଂପନ୍ନ ହେଉଛି।
ସେପଟେ ଶ୍ରୀମନ୍ଦିର ନାଟମଣ୍ଡପ ବି ବିକଳ୍ପ ଆନନ୍ଦବଜାର ପାଲଟି ଗଲାଣି ବୋଲି ଅଭିଯୋଗ ହୋଇଛି। ଏଠାରେ ଖୋଲାଖୋଲି ଶୁଖିଲା ଭୋଗ ବିକ୍ରି ହେଉଛି। ଖଜାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଭୋଗ ବିକ୍ରି ହେଉଛି। ଫଳରେ ଅଯଥା ଭକ୍ତଙ୍କ ଭିଡ଼ ଜମୁଛି। ତଥାପି ଏ ଉପରେ ଶ୍ରୀମନ୍ଦିର ପ୍ରଶାସନ କି ପ୍ରତିହାରୀ ଅବା ଜେଟିପିଙ୍କ ନଜର ନ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ସେବାୟତମାନେ କହିଛନ୍ତି। ସୁଆର ମହାସୁଆର ନିଯୋଗ ଏହାର ଦୃଢ଼ ବିରୋଧ କରିଛି। ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ନିଯୋଗ କହିଛି।
ଶ୍ରୀମନ୍ଦିରରେ ସକାଳଧୂପ, ମଧ୍ୟାହ୍ନଧୂପ, ସନ୍ଧ୍ୟା ଧୂପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରୋଷଘରେ ପ୍ରସ୍ତୁତ ଭୋଗ ଲାଗି ହେଉଛି। ଏହି ସମୟରେ ବରାଦି ଭୋଗ ପ୍ରବେଶ ନିଷେଧ ରହିଛି। ଧୂପ ନୀତି ସରିବା ପରେ ଭୋଗମଣ୍ଡପ ଘରେ ବରାଦି ଭୋଗ ଲାଗି ହେବାର ବ୍ୟବସ୍ଥା ରହିଛି। ଯଦି କେହି ଏହାକୁ ଉଲ୍ଲଂଘନ କରି ଧୂପରେ ବରାଦି ଭୋଗ ଲାଗି କରନ୍ତି, କାର୍ଯ୍ୟାନୁଷ୍ଠାନର ନିୟମ ରହିଛି। ବରାଦ ଦେଇଥିବା ବ୍ୟକ୍ତି ଧୂପ ନୀତି ସରିବା ପରେ ସିଧାସଳଖ ବରାଦ ନେଇଥିବା ସୁପକାରଙ୍କଠାରୁ ସେଠାରୁ ଆସି ମହାପ୍ରସାଦ ନେଇ ଯାଉଛନ୍ତି। ଅଭିଯୋଗ ହୋଇଛି, ଧୂପରେ ପଶୁଥିବା ଭୋଗ ଆନନ୍ଦବଜାରକୁ ଆସିବା ପୂର୍ବରୁ ବିକ୍ରି ହୋଇଯାଉଛି।
ଅନ୍ୟପଟେ ଗରୁଡ଼ଙ୍କ ପାଖରୁ ଭିତର କାଠ ଭିତରେ କୌଣସି ପରିସ୍ଥିତିରେ ଭୋଗ ବିକ୍ରି ହୋଇପାରିବନାହିଁ ବୋଲି ବ୍ୟବସ୍ଥା ରହିଛି। ମହାପ୍ରସାଦ ବିକ୍ରି କେବଳ ଆନନ୍ଦବଜାରରେ ହୋଇପାରିବ। ଶ୍ରୀମନ୍ଦିର ଭିତରେ ଅବା ବେଢ଼ାର ଅନ୍ୟ କୌଣସି ସ୍ଥାନରେ ଏହା ବିକ୍ରି ହୋଇପାରିବନାହିଁ। କିନ୍ତୁ ନାଟମଣ୍ଡପରେ ଦୈନିକ କିଛି ବ୍ୟକ୍ତି ବସି ଖଜା ଓ ଅନ୍ୟାନ୍ୟ ଶୁଖିଲା ଭୋଗ ଖୋଲାଖୋଲି ବିକ୍ରି କରୁଛନ୍ତି। ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ପଟ୍ଟନାୟକ ଧୂପରେ ବରାଦି ଭୋଗ ପଶିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ପୂର୍ବରୁ ଧୂପରେ ବରାଦି ଭୋଗ ପଶୁଥିବା ଜାଣିବା ପରେ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସମସ୍ତ ମହାପ୍ରସାଦ ଜବତ କରାଯାଇ ଅନାଥାଶ୍ରମରେ ବଣ୍ଟାଯାଇଥିଲା। ଏବେ ଆଉ ସେଭଳି ହେଉନି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସୁଆର ମହାସୁଆର ନିଯୋଗ କହିଛି, ନାଟମଣ୍ଡପରେ ଶୁଖିଲା ଭୋଗ ବିକ୍ରିର କୌଣସି ଅଧିକାର ନାହିଁ। ଏହା ସ୍ବତ୍ବଲିପିର ଖୋଲା ଉଲ୍ଲଂଘନ। ଧୂପରେ ବରାଦି ଭୋଗ ଭର୍ତ୍ତି କରୁଥିବା ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ନଚେତ୍ ନୀତିକାନ୍ତିରେ ବିଳମ୍ବ ହେବା ସ୍ବାଭାବିକ। ଧୂପ ନୀତି ବିଳମ୍ବରେ ଶେଷ ହେଲେ, ଭୋଗମଣ୍ଡପ ନୀତି ବିଳମ୍ବ ହେବ। ମହାପ୍ରସାଦ ବାହାରିବା ବି ବିଳମ୍ବ ହେବ। ଏ ଦିଗରେ ପ୍ରଶାସନ ନଜର ଦେବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିଯୋଗ ଦାବି କରିଛି।