ବରଗଡ଼: ଠିକ୍‌ ମାସେ ତଳେ ଧନୁଯାତ୍ରା ଆୟୋଜନ ପାଇଁ ପ୍ରଥମ ପ୍ରାଥମିକ ବୈଠକ ବସିଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକରେ ଧନୁଯାତ୍ରା ପାଇଁ କଳାକାର ଚୟନ ପାଇଁ ପ୍ରସ୍ତାବ ପଡ଼ିଥିଲା। ଉଭୟ ମଥୁରା ଏବଂ ଗୋପପୁର (କଂସ ସମେତ) ସବୁ କଳାକାର ନୂତନ ଭାବେ ଚୟନ କରିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। ଆଗାମୀ ବୈଠକଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ ବୋଲି ସ୍ଥିର ହୋଇଥିଲା। ଏହାପରେ ବିଭିନ୍ନ ସଂଗଠନ ଜିଲ୍ଲା ପ୍ରଶାସନ ପାଖରେ କଳାକାର ଚୟନ କରିବାକୁ ଦାବି କରିଥିଲେ। କିନ୍ତୁ ଏହି ପ୍ରକ୍ରିୟାରେ ବିଳମ୍ବ ହେଉଛି। କଳାକାର ଚୟନ ପ୍ରକ୍ରିୟାକୁ ପ୍ରାଥମିକତା ନ‌ ଦେବା ଭଳି ପ୍ରତୀତ ହେଉଛି। କାରଣ ଧନୁଯାତ୍ରା ମହୋତ୍ସବର ପ୍ରଥମ ସ୍ତମ୍ଭ ହେଲା ବଳିଷ୍ଠ କଳାକାର।

Advertisment

କିନ୍ତୁ ଏହି ଚୟନ ପ୍ରକ୍ରିୟାକୁ ବିଳମ୍ବ କରାଯିବା ସହଜରେ ଗ୍ରହଣ ହେଉନାହିଁ। ମାସେ ତଳେ ପ୍ରଥମ ବୈଠକରେ କଳାକାର ଚୟନ କରାଯିବ ବୋଲି ପ୍ରସ୍ତାବ ପଡ଼ିଥିଲା। କିନ୍ତୁ ଏହି ପ୍ରସ୍ତାବ ଉପରେ ଚୂଡ଼ାନ୍ତ ମୋହର କେବେ ବାଜିବ, ତାହା ଜଣାପଡ଼ୁନାହିଁ। କଳାକାର ଚୟନ ପ୍ରସଂଗ କେବଳ ପ୍ରସ୍ତାବରେ ସୀମିତ ରହିଛି। କେଉଁ କେଉଁ କଳାକାର ଚୟନ କରାଯିବ? କେବେ ଚୟନ ହେବ? ମାନଦଣ୍ଡ କ'ଣ ରହିବ? ଏନେଇ କୌଣସି ସୂତ୍ରରୁ ବିଜ୍ଞପ୍ତି ବି ପ୍ରକାଶ ପାଇନାହିଁ। ଶେଷଥର ପାଇଁ ୨୦୨୦ ମସିହାରେ ମହାରାଜ କଂସଙ୍କ ସମେତ ଅନ୍ୟ କଳାକାର ଚୟନ ପାଇଁ ସ୍ଥିର ହୋଇଥିଲା। ତେବେ ଦୁଇ ବର୍ଷ ହେଲା ଧନୁଯାତ୍ରା ବନ୍ଦ ହେବାରୁ ଏହି ପ୍ରକ୍ରିୟା ଗଡ଼ି ଚାଲିଛି।  ପର୍ଯ୍ୟାପ୍ତ ସମୟ ନମିଳିଲେ  ଏଥର ବି କଳାକାର ଚୟନ ଏବଂ  ପ୍ରସ୍ତୁତି ଆହୁରି କାଠିକର ହୋଇପଡ଼ିବ।

ଆସନ୍ତା ଡିସେମ୍ବର ୨୬ ତାରିଖରୁ ଧନୁଯାତ୍ରା ଆରମ୍ଭ ତିଥି ରହିଛି। ତେଣୁ କଳାକାର ଚୟନ ଯେ‌ତିକି ବିଳମ୍ବ ହେବ, ନୂତନ କଳାକାରଙ୍କ ଅଭ୍ୟାସରେ ସେତିକି ବାଧା ଉପୁଜିବ। ପ୍ରତି ବୈଠକରେ ଧନୁଯାତ୍ରାର ମାନବୃଦ୍ଧି ଯଥା ନିଖୁଣ ଅଭିନୟ, ବଳିଷ୍ଠ ନିର୍ଦ୍ଦେଶନା ଏବଂ ସଂଳାପ ଉପରେ ଗୁରୁତ୍ବାରୋପ କରାଯାଉଛି। କିନ୍ତୁ ହାତରେ ତିନି ମାସ ସମୟ ଥିଲେ ହେଁ କଳାକାର ଚୟନ ପ୍ରକ୍ରିୟା ଆଗେଇ ନାହିଁ। ଇତିମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ଅଧ୍ୟକ୍ଷତରେ ଧନୁଯାତ୍ରା ସ୍ମରଣିକା କମିଟିର ପ୍ରସ୍ତୁତି ବୈଠକ ବସି ସାରିଛି। ଧନୁଯାତାର ୭୫ବର୍ଷ ପୂର୍ତ୍ତତ ଉପଲକ୍ଷେ 'ଧନୁଷ୍ପ୍ରଭା' ସ୍ମରଣିକାକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରିବାକୁ ଆଲୋଚନା ହୋଇଛି। ବୈଠକରେ ଧନୁଯାତ୍ରା ମହୋତ୍ସବ ସମିତି ଆବାହାକ ସୁରେଶ୍ବର ଶତପଥୀ, ଜିଲ୍ଲା ଟ୍ରେଜେରି ଅଧିକାରୀ ମିନତି ପତି, ଡେପୁଟି କଲେକ୍ଟର ଅଶ୍ବିନୀ ଦାଶ, ପଞ୍ଚାୟତ କଲେଜ୍‌ ଅଧ୍ୟକ୍ଷ ସରୋଜ ଦେବତା,ଅଧ୍ୟାପକ ମୋହନ ସାହୁ, ସଂଘମିତ୍ରା ମିଶ୍ର, ଲିପ୍‌ସିତ୍‌ ମିଶ୍ର, ସଂକୀର୍ତ୍ତନ ଜାଲ ଉପସ୍ଥିତ ଥିଲେ। ତେବେ କଳାକାର ଚୟନକୁ କାହିଁକି ପ୍ରାଥମିକତା ଦିଆଯାଉନି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।