ମହାପ୍ରଭୁଙ୍କ ସେବାରେ ମନମାନି: ରାତି ଅନିଦ୍ରା ହେଲେ ଠାକୁରେ, ଭକ୍ତ ନିରାଶ

ଅପରାହ୍ନରେ ଜଳଖିଆ, ରାତିରେ ଦେଲେ ଦିନ ଖାଇବା, ଆଖିବୁଜି ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ସରକାର

ପୁରୀ : ଛତିଶାନିଯୋଗ ବୈଠକରେ ସୂର୍ଯ୍ୟପରାଗ ପାଇଁ ବାହାବ‌ା ଦେଲେ। ସେବାୟତଙ୍କୁ ପ୍ରଂଶସାରେ ପୋତି ପକାଇଲେ। ଥରୁଟିଏ ବି ନୀତି ବିଳମ୍ବ କଥା ଉଠାଇଲେନି। ଏବେ କାର୍ତ୍ତିକରେ ପ୍ରତିଦିନ ଦ୍ବାରଫିଟାଠାରୁ ଆରମ୍ଭ କରି ରାତ୍ର ପହୁଡ଼ ବିଳମ୍ବିତ ହେଉଛି। ଶେଷକୁ ପରିସ୍ଥିତି ଏପରି ହୋଇଛି ଯେ ବିଶ୍ବନିୟନ୍ତା ମହାପ୍ରଭୁ କାଳିଆ ସାଆନ୍ତଙ୍କୁ ବି ରାତି ଅନିଦ୍ରା ସହ ଅଖିଆଅପିଆ ରହିବାକୁ ପଡ଼ିଲାଣି। ଦିନ ଖାଇବା ରାତିରେ ଖାଇବାକୁ ଦିଆଯାଉଛି। ନୀତି ବିଶୃଙ୍ଖଳା ଶୀର୍ଷ ଛୁଇଁଲାଣି। ଗତକାଲି ମହାପ୍ରଭୁ ରାତି ଅନିଦ୍ରା ରହିଛନ୍ତି। ବିନା ରାତ୍ର ପହୁଡ଼ରେ ଆଜିର ନୀତି ଆରମ୍ଭ ହୋଇଛି। ସେବାୟତ ଓ ଶ୍ରୀମନ୍ଦି ପ୍ରଶାସନର ଏପରି ମନମୁଖୀ କାର୍ଯ୍ୟକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ୩ ବର୍ଷ ତଳେ ପାଳିଆ ପୁରସ୍କାର କାଟିବା ନେଇ ଯେଉଁ ନିଷ୍ପତ୍ତି ହୋଇଥିଲା, ତାହା କାହା ସ୍ବାର୍ଥ ପାଇଁ କାର୍ଯ୍ୟକାରୀ କରାଯ‌ାଉନି ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ବିଳମ୍ବରେ ଅବଢ଼ା ବାହାରୁଥିବା କାରଣରୁ ହବିଷିଆଳୀଙ୍କଠାରୁ ଆରମ୍ଭକରି ଶ୍ରଦ୍ଧାଳୁ ନାହିଁ ନଥିବା କଷ୍ଟ ପାଉଛନ୍ତି। ଏସବୁ ଶ୍ରୀମନ୍ଦିର ପ୍ରଶାସନ ଦେଖୁଛନ୍ତି, ରାଜ୍ୟ ସରକାର ବି। ହେଲେ କାହାର କିଛି ଚିନ୍ତା ନାହିଁ।

ଗତକାଲି ଥିଲା ମହାପଞ୍ଚୁକର ପ୍ରଥମ ଦିନ। ଭକ୍ତ ଆଶା କରିଥିଲେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ସହ ଆନନ୍ଦରେ ମହାପ୍ରସାଦ ନେଇ ଘରକୁ ଫେରିବେ। କିନ୍ତୁ ଯେଉଁ ନୀତି ଯେତେବେଳେ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା, ସେସବୁ କିଛି ବି ଠିକ୍‌ଠାକ୍ ହେଲାନି। ଭୋର ୪ଟା ବଦଳରେ ଦେଢ଼ ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ୫ଟା ୨୫ ମିନିଟ୍‌ରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେଲା। ଯେଉଁଥିପାଇଁ ଅନ୍ୟାନ୍ୟ ଦୈନିକ ନୀତି ବି ବିଳମ୍ବ ହୋଇଥିଲା। ମଙ୍ଗଳଆଳତି ସକାଳ ୬ଟା ୫ରେ ଅନୁଷ୍ଠିତ ହୋଇଥିଲ। ଏଣୁ ବଡ଼ି ଭୋରରୁ ଆସି ଶ୍ରୀମନ୍ଦିର ଆଗରେ ଅପେକ୍ଷାରେ ଥିବା ଭକ୍ତ ଦୁଇଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ଦର୍ଶନ ପାଇଥିଲେ। ସକାଳ ସାଢ଼େ ୬ଟାରୁ ସା‌ଢ଼େ ୭ଟା ଭିତରେ ମହାପ୍ରଭୁଙ୍କ ବେଶ ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ପ୍ରାୟ ୪ ଘଣ୍ଟା ବିଳମ୍ବରେ ପୂର୍ବାହ୍ଣ ସାଢ଼େ ୧୦ଟାରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶ ହୋଇଥିଲେ। ଫଳରେ ସକାଳୁ ଆସି ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇଁ ଅପେକ୍ଷାରେ ଥିବା ଭକ୍ତ ନିରାଶ ହୋଇ ଫେରିଥିଲେ। ସକାଳ ଧୂପ ସାଢ଼େ ୮ଟାରୁ ସାଢ଼େ ୯ଟା ଭିତରେ ହେବାକୁ ଥିବାବେଳେ ସାଢ଼େ ୧୨ଟାରେ ପୂଜା ଆରମ୍ଭ ହୋଇଥିଲା। ବାଳଧୂପ ସାଢ଼େ ୨ଟାରେ ଶେଷ ହୋଇଥିଲା। ଅର୍ଥାତ୍ ମହାପ୍ରଭୁ ଅପରାହ୍ନରେ ଜଳଖିଆ ଖାଇଲେ।

ସେହିଭଳି ଯେଉଁ ମଧ୍ୟାହ୍ନଧୂପ ମଧ୍ୟାହ୍ନ ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ହେବା କଥା ତାହା ୫ ଘଣ୍ଟାରୁ ଅଧିକ ବିଳମ୍ବରେ ଅର୍ଥାତ୍‌ ରାତି ପ୍ରାୟ ସାଢ଼େ ୮ଟାରେ ହୋଇଥିଲା। ସଂଧ୍ୟାରେ ହେବାକୁ ଥିବା ସଂଧ୍ୟାଧୂପ ରାତି ପ୍ରାୟ ୨ଟା ୪୦ରେ ହୋଇଥିଲା। ପ୍ରତିଦିନ ୧୧ଟାରୁ ୧୨ଟା ଭିତରେ ହେଉଥିବା ଚନ୍ଦନଲାଗି ଭୋର ୪ଟାରେ ହୋଇଥିଲା। ଯେଉଁଥିପାଇଁ ଗତକାଲିର ବଡ଼ସିଂହାର ବେଶ ବି ଠାକୁରଙ୍କ କରାଯାଇନଥିଲା। ବିନା ପହୁଡ଼‌ରେ ଆଜିର ନୀତି ଆରମ୍ଭ ହୋଇଥିଲା, ସେ ପୁଣି ବିଳମ୍ବରେ। ମଙ୍ଗଳଆଳତି ପ୍ରାୟ ୬ଟା ୫ରେ ହୋଇଥିଲା। ଏଣୁ ଆଜି ବି ଯେଉଁ ଭକ୍ତମାନେ ଦର୍ଶନ ପାଇଁ ବଡ଼ି ଭୋରରୁ ଅପେକ୍ଷାରେ ଥିଲେ, ସେମାନେ ନିରାଶ ହୋଇଛନ୍ତି।

ଶନିବାର ଦିନ ପ୍ରାୟ ୫ ଘଣ୍ଟା ବିଳମ୍ବରେ ନୀତି ଚାଲିଥିଲା। ଯେଉଁଥିପାଇଁ ସକାଳଧୂପ, ମଧ୍ୟାହ୍ନଧୂପ ଓ ସଂଧ୍ୟାଧୂପ ବିଳମ୍ବ ହୋଇଛି। ମଧ୍ୟାହ୍ନଧୂପ ଶନିବାର ବି ସଂଧ୍ୟାରେ ହୋଇଛି। ସେହିଭଳି ଦ୍ବିତୀୟ ଭୋଗମଣ୍ଡପ ବାହାରିବା ବେଳକୁ ରାତି ୯ଟା ହୋଇଯାଇଛି। ସଂଧ୍ୟା ଆଳତି ରାତି ୧୦ଟାରେ ଶେଷ ହୋଇଛି। ଲଗାତର ପଞ୍ଚୁକର ଦୁଇଦିନ ଧରି ଏଭଳି ନୀତି ବିଳମ୍ବ ‌ହେଉଥିବା‌ବେଳେ ମହାପ୍ରଭୁଙ୍କୁ ସକାଳ ଜଳଖିଆ ଦ୍ବିପ୍ରହରରେ ଓ ମଧ୍ୟାହ୍ନ ଖାଇବା ରାତିରେ ଦିଆଯାଉଛି।

ତଥାପି ଶ୍ରୀମନ୍ଦିର ପ୍ରଶାସନ ନିରବ। ଭକ୍ତ ମହଲରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଲାଣି। ଏଭଳି ନୀତି ବିଶୃଙ୍ଖଳା ଆଉ କେତେ ଦିନ ଚାଲିବ ‌ ବୋଲି ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ନିଯୋଗର ସଂପାଦକମାନଙ୍କୁ ନୀତି ସଂପାଦନରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ରକ୍ଷା ପାଇଁ ଚିଠି କରାଯାଇଥିଲା। ଚିଠି ଅନୁଯାୟୀ, ନୀତି ସଂପୃକ୍ତ ସେବାୟତ ସେବାରେ ୧୫ ମିନିଟ୍‌ ବିଳମ୍ବ କଲେ ଏକ ଚତୁର୍ଥାଂଶ ପାଳିଆ ପୁରସ୍କାର ଓ ଅନ୍ୟାନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ଅଧଘଣ୍ଟା ବିଳମ୍ବ ହେଲେ ସେଦିନର ଅଧା ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ଘଣ୍ଟାଏ ବିଳମ୍ବ ହେଲେ ସେଦିନର ସମସ୍ତ ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା କାଟି ଦିଆଯିବ। କିନ୍ତୁ ଏହି ନିଷ୍ପତ୍ତି ଚିଠିରେ ସୀମିତ ରହିଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତି ସେବାୟତମାନେ ନିଜ ଇଚ୍ଛା ମୁତାବକ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର