ଭୁବନେଶ୍ବର : ଏ ବର୍ଷ ଧାର୍ଯ୍ୟ ସମୟ ପୂର୍ବରୁ କେରଳକୁ ଛୁଇଁଛି ମୌସୁମି । ଗତ ୨୯ ତାରିଖରେ ମୌସୁମି କେରଳ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ କହିଥିଲା । ଆଜି ମଧ୍ୟ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ ଯେ ଜୁନରେ ଓଡ଼ିଶାରେ ଭଲ ବର୍ଷା ହେବ, କିନ୍ତୁ ରାଜ୍ୟକୁ କେବେ ମୌସୁମି ଆସିବ ସେ ସମ୍ପର୍କରେ ସେ ସ୍ପଷ୍ଟ ଭାବରେ କିଛି କହିନାହାନ୍ତି ।
ମୌସୁମି କେରଳ ଛୁଇଁବାର ୧୦-୧୨ ଦିନ ପରେ ଓଡ଼ିଶା ଆସିଥାଏ । ଏଣୁ ଏ ବର୍ଷ ଜୁନ ୮ରୁ ୧୦ ତାରିଖ ମଧ୍ୟରେ ମୌସୁମି ଓଡ଼ିଶା ଛୁଇଁବା କଥା । କିନ୍ତୁ ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍’ ଏକ ଅଲଗା ପୂର୍ବାନୁମାନ କରିଛି । ସ୍କାଏମେଟର ପୂର୍ବାନୁମାନ ଅନୁସାରେ ମୌସୁମିର ଗତି ଟିକିଏ ଧୀମା ରହିଛି । ମହାରାଷ୍ଟ୍ର ବି ବିଳମ୍ବରେ ଛୁଇଁବ ମୋସୁମି। ଏହା ପରେ ଓଡ଼ିଶା, ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶରେ ଧାର୍ଯ୍ୟ ସମୟଠାରୁ ବିଳମ୍ବରେ ଅର୍ଥାତ ୧୫ ଜୁନ ପରେ ମୌସୁମି ପହଞ୍ଚିବ ।
‘ସ୍କାଏମେଟ’ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ କେରଳରେ ଗତ ୨୯ ତାରିଖରେ ମୌସୁମି ଛୁଇଁଥିଲେ ବି ଆଶାନୁରୂପ ବର୍ଷା ହେଉନାହିଁ । କେତେକ ଅଂଚଳରେ କମ ବର୍ଷା ବା ଆଦୌ ବର୍ଷା ହୋଇନାହିଁ । ତେବେ ଆଗାମୀ କିଛି ଦିନରେ ମୌସୁମି ପୁଣି ବଳ ଗୋଟାଇ ଆଗେଇବ ବୋଲି ଆକଳନ କରାଯାଉଛି।
ଆଇଏମଡିର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏ ବର୍ଷ ୧୦୩ ପ୍ରତିଶତ ବର୍ଷା ହେବ, ଯାହାକି ସ୍ବାଭାବିକଠାରୁ ଟିକିଏ ଅଧିକ । ୨୦୨୨ ଜୁନ ମାସରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ।