ବଲାଙ୍ଗୀର: ମେ’ ପହିଲା ସପ୍ତାହରୁ ରବି ଧାନ କିଣିବାକୁ ଚାଷୀମାନେ ପ୍ରଶାସନ ପାଖରେ ନେହୁରା ହେଲେ। କିନ୍ତୁ ଚାଷୀଙ୍କ ଯଥାର୍ଥ ଦାବି ପ୍ରଶାସନ କାନରେ ବାଜିଲା ନାହିଁ। ବାରମ୍ବାର କାଳବୈଶାଖୀ ବର୍ଷା ଏବଂ କରାମାଡ଼ ଯୋଗୁଁ ଧାନ ଝଡ଼ି ଯାଇଛି। ଚାଷୀ ଧାନ ତରବରରେ କାଟିଥିଲେ ହେଁ ରଖିବାକୁ ସ୍ଥାନ ନାହିଁ। ଏଣେ ଜିଲ୍ଲାରେ ୨୩ ତାରିଖରୁ ମଣ୍ଡି ଖୋଲିବ। ଏତିକି ଦିନ ଯାଏ ଧାନକୁ ସୁରକ୍ଷିତ ରଖିବା ଅସମ୍ଭବ ଥିବାରୁ କ୍ବିଣ୍ଟାଲ୍‌ ପିଛା ୧୫ରୁ ୧୭ଶହ ଟଙ୍କାରେ ଚାଷୀମାନେ ମିଲର୍ସଙ୍କୁ ଧାନ ଟେକି ଦେଉଛନ୍ତି। କାଳବୈଶାଖୀ ଆଶଙ୍କା କରି ଚାଷୀ ସ୍ବଳ୍ପ ଦରରେ ଧାନ ବିକିବାକୁ ବାଧ୍ୟ ହେଉଛି। ମଣ୍ଡି ଖୋଲିବାକୁ ଢେର୍‌ ଦିନ ବାକିଥିବା ବେଳେ ଏବେଠୁ ଶହ ଶହ ଟ୍ରାକ୍ଟରରେ ମିଲ୍‌କୁ ଧାନ ଗଲାଣି। ଜିଲ୍ଲାରେ ରବି ଧାନ ଭଲ ଉତ୍ପାଦନ ହୋଇଥିବା ବେଳେ ବିଳମ୍ବରେ ମଣ୍ଡି ଖୋଲିବା ଚାଷୀଙ୍କ ପାଇଁ କାଳ ହୋଇଛି।

Advertisment

ମିଲ୍‌କୁ ପଶୁଛି ଶହ ଶହ ଟ୍ରାକ୍ଟର
ପ୍ରଶାସନ ଚୁପ୍‌, ଚାଷୀ ନାଚାର

ସଅଳ ଅମଳ ହୋଇଥିବା ଧାନ ରଖିବାକୁ ଚାଷୀ ପାଖରେ ସ୍ଥାନାଭାବ। ତେଣେ ବିଭିନ୍ନ ସମୟରେ ପାଗ ବିଗିଡ଼ି ଯାଉଛି। ଏସବୁ ଆଶଙ୍କା କରି ଚାଷୀମାନେ ମିଲ୍‌କୁ ସ୍ବଳ୍ପ ଦରରେ ଧାନ ଦେବା ଆରମ୍ଭ କରିଛନ୍ତି। ସହର ଉପକଣ୍ଠ ଏବଂ ଉପାନ୍ତ ଅଞ୍ଚଳରେ ରାସ୍ତାରେ ଭୋର୍‌ ସମୟରେ ଶହ ଶହ ଟ୍ରାକ୍ଟରରେ ଧାନ ବୋଝେଇ ହୋଇ ବିଭିନ୍ନ ମିଲ୍‌କୁ ଯାଉଛି। ସେଠାରେ ଗୋଦାମରେ ଅନ୍‌ଲୋଡିଂ କରି ଟ୍ରାକ୍ଟର ଅନ୍ୟ ରାସ୍ତା ଦେଇ ପୁଣି ଫେରିଆସୁଛି। ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବେନି ବୋଲି ଜିଲ୍ଲା ପ୍ରଶାସନ ବାହାସ୍ଫୋଟ ମାରୁଛି। ହେଲେ ବାସ୍ତବ ଚିତ୍ର ପୂରା ଅଲଗା। ଧାନ ଚୋରା ଚାଲାଣ ରୋକିବାକୁ ପ୍ରଶାସନ ଏବଂ ଯୋଗାଣ ବିଭାଗ ସ୍କ୍ବାଡ୍‌ ଗଠନ କରିବା କଥା କହୁଛନ୍ତି। କିନ୍ତୁ ଏହି ସ୍କ୍ବାଡ୍‌ ଗୋଡ଼ କାଢ଼ିବା ପୂର୍ବରୁ ହଜାର ହଜାର କ୍ବିଣ୍ଟାଲ୍‌ ଧାନ ମିଲ୍‌ରେ ପହଞ୍ଚି ସାରିଲାଣି। ସବୁଠି ସମାନ ଦୃଶ୍ୟ ଦେଖିବାକୁ ମିଳୁଥିଲେ ହେଁ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ।