ବରଗଡ଼: ଜୀରା ନଦୀ ଉପରେ ନୂଆ ବ୍ରିଜ୍ ନିର୍ମାଣରେ ଅହେତୁକ ବିଳମ୍ବ ଘଟିଛି। ଅନ୍ୟପକ୍ଷରେ ଜୀରା ଭିତରେ ଥିବା ଆପ୍ରୋଚ୍‌ ‌ରାସ୍ତା ବାରମ୍ବାର ପାଣି ସୁଅରେ ଭାସି ଯାଉଛି। ଫଳରେ ବରଗଡ଼-ଅମ୍ବାପାଲି ମଧ୍ୟରେ ସିଧା ଯୋଗାଯୋଗ ବିଚ୍ଛିନ୍ନ ହେଉଛି। ଏଣେ ନୂଆ ବ୍ରିଜ୍‌ ତିଆରିରେ ଅହେତୁକ ବିଳମ୍ବ ଯୋଗୁଁ ଜନଅସନ୍ତୋଷ ତେଜିଛି। ଶୁକ୍ରବାର ଅମ୍ବାପାଲି ଛକଠାରେ ଅଂଚଳବାସୀ ସକାଳୁ ରାସ୍ତାରୋକ କରିଥିଲେ। ଫଳରେ ରାଜପଥରେ ହଜାର ହଜାର ଗାଡ଼ି ଅଟକି ରହିଥିଲା। ଗତ ୨୦୧୮ ମେ' ମାସରେ ଜୀରା ନଦୀରେ ନୂତନ ବ୍ରିଜ୍‌ ନିର୍ମାଣ ପାଇଁ ବାଟ ଫିଟିଥିଲା।

Advertisment

ନିର୍ମାଣ ଅବଧି ୩୦ମାସ ଥିବା ବେଳେ ୧୫ ମାସ ଭିତରେ କାମ ସରିବ ବୋଲି ସେତେବେଳେ ସଂସ୍ଥା ପକ୍ଷରୁ କୁହାଯାଉଥିଲା। ଗତବର୍ଷ ଡିସେମ୍ବର ପୂର୍ବରୁ ବ୍ରିଜ୍‌ ସଂପୂର୍ଣ୍ଣ ହୋଇ ଲୋକାର୍ପଣ ହେବା କଥା। କିନ୍ତୁ ବର୍ତମାନ ଯାଏଁ ଏହାର ଅଧା ସ୍ଲାବ୍‌ କାମ ସରି ନାହିଁ। ଯଦ୍ବାରା ଜନଅସନ୍ତୋଷ ମୁଣ୍ଡ ଟେକିଥିଲା। ଅନ୍ୟପକ୍ଷରେ ପୂର୍ତ୍ତ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା କାମ ସରିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ୫ଘଣ୍ଟା ଧରି ରାଜପଥ ଅଚଳ ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।