ନବୀନଙ୍କ କଡ଼ା ଆଭିମୁଖ୍ୟ: ରୋଜଗାର ଅଭାବରୁ ଲୋକେ କଷ୍ଟ ପାଇଲେ ଜିଲ୍ଲାପାଳ ଦାୟୀ

ମଜୁରୀ ଦେବାରେ ବିଳମ୍ବ ହେଲେ କଠୋର କାର୍ଯ୍ୟାନୁଷ୍ଠାନ, ବାହାରକୁ କାମ ପାଇଁ ଯାଉଥିବା ଜିଲ୍ଲାକୁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ

ଭୁବନେଶ୍ବର: ରୋଜଗାର ଅଭାବରୁ ଯେପରି ରାଜ୍ୟରେ ଗୋଟିଏ ବି ପରିବାର କଷ୍ଟ ନ ପାଆନ୍ତି, ସେଥିପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସତର୍କ କରାଇ ଦେଇଛନ୍ତି। ପରୋକ୍ଷରେ ସରକାର ଏଥିପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି। ବିଭିନ୍ନ ଜୀବିକା ଯୋଜନାର ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କଡା ଆଭିମୁଖ୍ୟ ଗ୍ରହଣ କରି ଏକଥା ବି ଜଣାଇଛନ୍ତି ଯେ ମନରେଗା ଓ ରାଜ୍ୟ ସରକାରଙ୍କର ନିଜସ୍ବ ସହରାଞ୍ଚଳ ରୋଜଗାର ଯୋଜନା ଜରିଆରେ ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା ୨୦ କୋଟି ମାନବ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି। ହେଲେ ଏହି ଦୁଇ ଯୋଜନା ଜରିଆରେ ଜୀବିକା ଅର୍ଜନ କରୁଥିବା ଗରିବ ଲୋକମାନଙ୍କୁ ମଜୁରୀ ମିଳିବାରେ ବିଳମ୍ବ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କାମ ନ ପାଇ ଅନ୍ୟ ରାଜ୍ୟକୁ ଚାଲିଯାଉଥିବା ଶ୍ରମିକମାନଙ୍କ କ୍ଷେତ୍ରରେ ବି ସରକାର ଭିନ୍ନ ଏକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଜିଲ୍ଲାପାଳମାନଙ୍କୁ କହିଛନ୍ତି ଯେ ଯେଉଁ ଜିଲ୍ଲା ଗୁଡିକରେ ଲୋକମାନେ ଅନ୍ୟ ରାଜ୍ୟକୁ କାମ ପାଇଁ ଯାଉଛନ୍ତି, ସେହିସବୁ ଜିଲ୍ଲା ଉପରେ ସ୍ବତନ୍ତ୍ର ଫୋକ୍‌ସ କରାଯିବ। ଏହିସବୁ ଜିଲ୍ଲାରେ ପରିବାର ପିଛା ଅଧିକ ୧୦୦ ଦିନ ଓ ଅତିରିକ୍ତ ମଜୁରୀ ଦିଆଯିବାକୁ ସରକାର ସ୍ଥିର କରିଛନ୍ତି। ସେହିଭଳି ଆଗାମୀ ମାର୍ଚ୍ଚ ପୂର୍ବରୁ ୧୦୦୦ ମିସନ ଶକ୍ତି ଗୃହ ଏବଂ ଜାନୁଆରି ଶେଷ ସୁଦ୍ଧା ଗୋଟିଏ ଲେଖାଏ ପରିଚୟ ଗୃହର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ଜିଲ୍ଲାରେ ଅଧିକ ମା’ ମାନଙ୍କୁ ଓ ମିସନ ଶକ୍ତି ଗୋଷ୍ଠୀ ମାନଙ୍କୁ ରୋଜଗାର ଯୋଜନା ତଦାରଖରେ ନିୟୋଜିତ କରାଯିବ ସେହି ଜିଲ୍ଲାମାନଙ୍କୁ ଉତ୍ସାହିତ କରାଯିବ। ଅନ୍ୟପକ୍ଷରେ ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ କହିଥିଲେ ଯେ ମିସନ ଶକ୍ତିର ମା’ ମାନଙ୍କୁ ତଦାରଖ କାର୍ଯ୍ୟରେ ସକ୍ରିୟ ଭାବରେ ନିୟୋଜିତ କରାଯିବା ସହିତ ସେମାନଙ୍କ ତଦାରଖ ପ୍ରାପ୍ୟ ଅବିଳମ୍ବେ ଜିଲ୍ଲାପାଳମାନେ ଦେଇଦେବା ଦରକାର।

୧୦୦ ଦିନ ଅଧିକ କାମ ଓ ଅତିରିକ୍ତ ମଜୁରୀ ଦେବେ ସରକାର

ଆଜି ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଯୋଗେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳମାନଙ୍କୁ ଆହୁରି କହିଥିଲେ ଯେ କୋଭିଡ ମହାମାରୀ ଗତ ମାର୍ଚ୍ଚରୁ ଆମ ସମସ୍ତଙ୍କ ପାଇଁ ଏକ ଅଭୂତପୂର୍ବ ଆହ୍ବାନ ସୃଷ୍ଟି କରିଛି। ବିଶ୍ବର ଆର୍ଥିକ ଅଭିବୃଦ୍ଧି ନିମ୍ନଗାମୀ ହୋଇଛି ଏବଂ ଏହାଦ୍ବାରା ଗରିବ ଲୋକମାନେ ହିଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଗରିବ ଲୋକଙ୍କ ପାଇଁ ଏହି ଦୁଃସମୟରେ ରୋଜଗାର ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା। ଏଣୁ ଜିଲ୍ଲାପାଳମାନେ ଏହି ଦାୟିତ୍ବକୁ ଗୁରୁତ୍ବର ସହିତ ନିର୍ବାହ କରିବା ଲାଗି ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଥିଲେ।

ଉଲ୍ଲେଖଥାଉକି, ଆସନ୍ତା ଜାନୁଆରୀ ପହିଲାରୁ ପ୍ରତି ଜିଲ୍ଲାରେ ରୋଜଗାର ଯୋଜନା ସଂପର୍କରେ ମତାମତ ପାଇଁ ସ୍ବତନ୍ତ୍ର ଭାବରେ ‘ମୋ ସରକାର’ ସେଲ୍‌ କାର୍ଯ୍ୟ କରିବ। ମନରେଗା ଲକ୍ଷ୍ୟ ପୂରଣ ଦିଗରେ ଯାଜପୁର, କୋରାପୁଟ, ସୋନପୁର ଜିଲ୍ଲା ବହୁତ ଭଲ କାମ କରିଥିବାରୁ ସରକାର ସଂପୃକ୍ତ ଜିଲ୍ଲାପାଳଙ୍କୁ ପ୍ରଶଂସା କରିଥିଲେ। ସେହିପରି ସହରାଞ୍ଚଳ ରୋଜଗାର ଯୋଜନାରେ ଗରିବ ଲୋକମାନଙ୍କୁ ଗୋଷ୍ଠୀସଂଘ ଓ ମିସନ ଶକ୍ତି ଜରିଆରେ କାମ ଦିଆଯାଉଅଛି। ଏହି ଦିଗରେ ଢେଙ୍କାନାଳ, ଜଗତସିଂହପୁର ଓ ମୟୂରଭଂଜ ଜିଲ୍ଲା ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ସେହିସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଯୋଜନାରେ ଦିଆଯାଇଥିବା ଅର୍ଥକୁ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ଭାବେ ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ଗ୍ରାମାଞ୍ଚଳରେ ୫୦ ଲକ୍ଷ ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ମାନଙ୍କ ପାଇଁ ଅଧିକ ଜୀବିକା ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ସେହିପରି ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ କହିଥିଲେ, ମନରେଗାରେ ଗତବର୍ଷ ମାତ୍ର ୨.୯୬ ଲକ୍ଷ ଜବ୍‌ କାର୍ଡ ଦିଆଯାଇଥିବା ବେଳେ ଚଳିତ ବର୍ଷ ଏହା ୭.୨୬ ଲକ୍ଷରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୧୪.୫୦ କୋଟି ମାନବ ଦିବସ ସୃଷ୍ଟି କରାଯାଇସାରିଛି। ୩୧ ଲକ୍ଷ ପରିବାର ଓ ୫୧ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି। ଚଳିତ ବର୍ଷ ଦୈନିକ ହାରାହାରି ୧୦.୨୩ ଲକ୍ଷ ଲୋକଙ୍କୁ ଶ୍ରମଭିତ୍ତିକ ରୋଜଗାର ଯୋଗାଇ ଦିଆଯାଉଛି ବୋଲି ସେ ସୂଚନା ଦେଇଥିଲେ। ସେହିପରି ସହରାଞ୍ଚଳ ରୋଜଗାର ଯୋଜନା ସଂପର୍କରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ୍‌ କହିଥିଲେ, ୧୧୪ଟି ପୌରାଞ୍ଚଳରେ ୮୦୦୦ଟି ପ୍ରକଳ୍ପ ହାତକୁ ନିଆଯାଇଛି। ସେଥିମଧ୍ୟରୁ ୫୦୦୦ଟି ପ୍ରକଳ୍ପ ଶେଷ ହୋଇଛି ଏବଂ ବାକି ସମସ୍ତ ପ୍ରକଳ୍ପ ବିଭିନ୍ନ ସ୍ତରରେ ରହିଛି। ବର୍ତ୍ତମାନ ସୁଦ୍ଧା ୧୧.୬ ଲକ୍ଷ ମାନବ ଦିବସ ସୃଷ୍ଟି ହୋଇଛି। ମହାନଗର ନିଗମ ଗୁଡିକରେ ୩.୩ ଲକ୍ଷ ମାନବ ଦିବସ ସୃଷ୍ଟି କରାଯାଇ ପାରିଛି।

ସମ୍ବନ୍ଧିତ ଖବର