ସମ୍ବଲପୁର: ରବି ଧାନ ବିକ୍ରି ପାଇଁ ଟୋକନ୍ ଆସିବାରେ ବିଳମ୍ବ ନେଇ ଆଜି ସମ୍ବଲପୁରରେ ଚାଷୀ ଅସନ୍ତୋଷ ତୀବ୍ର ରୂପ ନେଇଥିଲା। ଚାଷୀମାନେ ଡିଆର୍ସିଏସ୍ ଅଫିସ ଭିତରକୁ ପଶି ଢେର୍ ସମୟ ଧାରଣାରେ ବସିବା ପରେ ସିଏସ୍ଓ କାର୍ଯ୍ୟାଳୟକୁ ଯାଇ ହଟ୍ଟଗୋଳ କରିଥିଲେ। ଚାଷୀଙ୍କ ଉଗ୍ର ରୂପ ଦେଖି ଆଜି ବହୁ ଚାଷୀଙ୍କ ଟୋକନ୍ ଜାରି କରାଯାଇଥିଲା।
ଗତ ବର୍ଷ ରବି ଧାନ ସଂଗ୍ରହ ସମୟରେ ଚାଷୀମାନଙ୍କୁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡ଼ିଥିଲା। ଧାନ ବିକ୍ରି ପାଇଁ ଆଗୁଆ ଟୋକନ୍ର ଅବଧି ମାତ୍ର ୧୫ ଦିନ ରହିଥିବା କାରଣରୁ ଚାଷୀମାନଙ୍କୁ ଧାନ ବିକ୍ରିରେ ସମସ୍ୟା ହୋଇଥିଲା। ଏଥର ଚାଷୀମାନେ ରବି ଫସଲର ଧାନ ବିକ୍ରି ନିମନ୍ତେ ପଞ୍ଜୀକରଣ ପରେ ତାହା ଯାଞ୍ଚ ପାଇଁ ଉପଗ୍ରହ ଚିତ୍ରର ସହାୟତା ନିଆଯାଇଥିଲା। ଚାଷୀମାନେ ଯେଉଁ ସବୁ ପ୍ଲଟ୍ରେ ଧାନ ଚାଷ କରିଥିବା ଉଲ୍ଲେଖ କରିଥିଲେ, ସେସବୁ ଜମିରେ ଧାନ ଚାଷ ହୋଇଛି କି ନାହିଁ, ସରକାର ତାହା ଉପଗ୍ରହ ଚିତ୍ର ଜରିଆରେ ଯାଞ୍ଚ କରିଥିଲେ।
ଏହା ପରେ ପୁଣି ଯେଉଁଠି ସନ୍ଦେହ ହୋଇଥିଲା, ସେକ୍ଷେତ୍ରରେ ଯୁଗ୍ମ ଯାଞ୍ଚ କରାଯାଇଥିଲା। ଆଉ ଏବେ ଚାଷୀମାନଙ୍କ ପାଖକୁ ଫୋନ୍ କରାଯାଉଛି। ପଚରାଯାଉଛି, ଆପଣ ନିଜେ ଚାଷ କରିଥିଲେ କି ନାହିଁ? ଚାଷୀମାନଙ୍କ ଉପରେ ଏଭଳି ସନ୍ଦେହ କରାଯିବା ଘଟଣାକୁ କୃଷକ ସଂଗଠନ ଗମ୍ଭୀରତାର ସହିତ ନେଇଛି। ଏପଟେ ପୁଣି ଚାଷୀମାନେ ଯେତିକି ଜମିରେ ଚାଷ କରିଛନ୍ତି, ସେହି ଜମିରୁ ଉତ୍ପାଦିତ ଧାନ ବିକିବା ପାଇଁ ଟୋକନ୍ ଦିଆଯାଉ ନାହିଁ। କମ୍ ପରିମାଣ ଧାନ ବିକିବା ନିମନ୍ତେ ଟୋକନ୍ ଦିଆଯାଇଛି। ଏହାର ପ୍ରତିବାଦରେ ଆଜି ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଡିଆର୍ସିଏସ୍ କାର୍ଯ୍ୟାଳୟ ଭିତରକୁ ଧସେଇ ପଶି ଧାରଣାରେ ବସିଥିଲେ। ଡିଆର୍ସିଏସ୍ ଲିଂଗରାଜ ନାୟକ ଚାଷୀମାନଙ୍କୁ ବୁଝାସୁଝା କରିଥିଲେହେଁ ଚାଷୀମାନେ ନିଜ ଜିଦ୍ରେ ଅଟଳ ରହିଥିଲେ।
ପରିଶେଷରେ ଭୁବନେଶ୍ବରରୁ ଦ୍ବିତୀୟ ପର୍ଯ୍ୟାୟରେ ଟୋକନ୍ ଜାରି କରାଯିବା ପରେ ସେଠାରୁ ଧାରଣାରୁ ଉଠିଥିଲେ। ଏପଟେ ବରିଷ୍ଠ ଚାଷୀ ନେତା ଅଶୋକ ପ୍ରଧାନ, ବ୍ୟୋମକେଶ ଠାକୁର, ବିଭୂ ପଟ୍ଟନାୟକ, ଦୋଳଗୋବିନ୍ଦ ନାୟକ, ଜି.ଶ୍ରିନୁ, ଦେବେନ୍ଦ୍ର ପ୍ରଧାନ, ଶାନ୍ତନୁ ପ୍ରଧାନ, ପବନ ଅଗ୍ରୱାଲ, ସୁମନ୍ତ ପ୍ରଧାନ, ଭୈରବ ପ୍ରଧାନ, ବିପିନ ଭୋଇ ପ୍ରମୁଖଙ୍କ ସମେତ ବହୁ ଚାଷୀ ଧାରଣାରେ ବସିଥିଲେ। ଏହା ପରେ ବ୍ୟୋମକେଶ ଠାକୁର ଓ ବିଭୂ ପଟ୍ଟନାୟକଙ୍କ ନେତୃତ୍ବରେ ଚାଷୀମାନେ ଅନ୍ୟ କେତେକ ଦାବି ନେଇ ସିଏସ୍ଓ କାର୍ଯ୍ୟାଳୟ ଘେରିଥିଲେ।