ଭିମ୍‌ସାର ସୁପର୍ ସ୍ପେସାଲିଟି କୋଠା ନିର୍ମାଣରେ ବିଳମ୍ବ: ଜୁନ୍‌‌ରେ ସରିଥା’ନ୍ତା, ଅକ୍ଟୋବରକୁ ଅପେକ୍ଷା

ସମୟ ମାଗିଲା ଠିକାସଂସ୍ଥା ଏଚ୍‌ଏସ୍‌ସିସି, ସମୀକ୍ଷା ବୈଠକରେ ଠିକାସଂସ୍ଥା ଉପରେ ବର୍ଷିଲେ ଆର୍‌ଡିସି

ବୁର୍ଲା :  ଭିମ୍‌ସାର ସୁପର୍ ସ୍ପେସାଲିଟି ହସ୍ପିଟାଲ କୋଠା ନିର୍ମାଣ କାମ ବିଳମ୍ବିତ ହେଉଛି। ଗତ ଜୁନ୍‌ମାସରେ ଅନୁଷ୍ଠିତ ବୈଠକରେ ସେହିମାସ ଶେଷସୁଦ୍ଧା ନିମାଣ କାର୍ଯ୍ୟ ଶେଷ କରିବାକୁ ଠିକାସଂସ୍ଥା ଏଚ୍‌ଏସ୍‌ସିସିକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର, ତଦନୁଯାୟୀ କାମ ନସାରିବାକୁ ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ଆର୍‌ଡିସି ଡ. ସୁରେଶ ଚନ୍ଦ୍ର ଦଳେଇ ଏହି ଠିକାସଂସ୍ଥା ଉପରେ ବର୍ଷିଛନ୍ତି। ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ କାମ ସଂପୂର୍ଣ୍ଣ ପାଇଁ ଠିକାସଂସ୍ଥା ମହଲତ ମାଗିଥିବା ଭିମ୍‌ସାର ନିର୍ଦ୍ଦେଶକ କହିଛନ୍ତି।

ଭିମ୍‌ସାରକୁ ମିଳିଥିବା ୭୯ ଏକର୍ ଜମିରେ କେନ୍ଦ୍ରୀୟ ବିଦ୍ୟାଳୟ, ଏନ୍‌ଏସି ମହାବିଦ୍ୟାଳୟ ଆଦି ରହିଥିବାବେଳେ ଉକ୍ତ ଅଂଚଳରେ ପୁଣି କେମିତି ନୂଆ ଇନ୍‌ଷ୍ଟିଚ୍ୟୁଟ, ନର୍ସିଂ ଛାତ୍ରାବାସ, ଫାର୍ମାସିଷ୍ଟ ଛାତ୍ରାବାସ, ଖେଳପଡ଼ିଆ, ଏମ୍‌ସିଏଚ୍‌ କମ୍ପ୍ଲେକ୍ସ ସହିତ ଡାକ୍ତର ଏବଂ କର୍ମଚାରୀଙ୍କ ପାଇଁ କୋଠା ନିର୍ମାଣ ହେବ; ସେ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଥିଲା। ଏ ସଂପର୍କିତ ମାଷ୍ଟର ପ୍ଲାନ୍ ତିଆରି ପୂର୍ବରୁ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡିଜାଇନ ଆରଡିସିଙ୍କ ସମ୍ମୁଖରେ ପ୍ରଦର୍ଶନ କରାଯାଇଥିଲା। ଏହି ଡିଜାଇନରେ କେତେକ ତ୍ରୁଟି ରହିଥିବା ଆର୍‌ଡିସି ଚିହ୍ନଟ କରିଥିଲେ। ଏଥିସହିତ ଆଗାମୀ ୨ ସପ୍ତାହ ମଧ୍ୟରେ ସଂଶୋଧିତ ଡିଜାଇନ୍‌ ପ୍ରସ୍ତୁତ କରି ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଡିଜାଇନ୍ ପ୍ରସ୍ତୁତ ହେବାପରେ ମାଷ୍ଟରପ୍ଲାନ୍ ତିଆରି କରାଯିବ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ଭିମ୍‌ସାର ଜମିର ୩୩ଟି ଜାଗାରେ ଜବରଦଖଲ ହୋଇଛି। ଦୁଇଟି ପର୍ଯ୍ୟାୟରେ ଜବରଦଖଲ ଉଚ୍ଛେଦ ପାଇଁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି। ସୁପର ସ୍ପେସାଲିଟି କୋଠାର ନିର୍ମାଣ କାର୍ଯ୍ୟ ଗତ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା କାମ ଅସଂପୂର୍ଣ୍ଣ ରହିଛି। ଗତ ୨୦୧୭ ମସିହାରେ କୋଠା ନିର୍ମାଣ ଆରମ୍ଭ ହୋଇଥିବାବେଳେ ସମୁଦାୟ ୧୫୦ କୋଟିର ପ୍ରକଳ୍ପରେ ୮୦ କୋଟି ନର୍ମାଣ ଏବଂ ଅବଶିଷ୍ଟ ୭୦ କୋଟି ଚିକିତ୍ସା ଉପକରଣ ପାଇଁ ରହିଥିଲା। ଭୁବନେଶ୍ୱର ଏମସ୍ ଏହି ସୁପର ସ୍ପେସାଲିଟି ପ୍ରକଳ୍ପର ନୋଡାଲ କେନ୍ଦ୍ର ଭାବେ କାର୍ଯ୍ୟକରିବ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୫ ମସିହାରେ ସ୍ୱୟଂଶାସିତ ହେବା ପରେ ବି ଭିମ୍‌ସାରରେ ଡାକ୍ତର ଅଭାବ ଦୂର ହୋଇନାହିଁ। ଅବଶ୍ୟ ପୂର୍ବରୁ ୫ଟି ସୁପର ସ୍ପେସାଲିଟି ବିଭାଗ ଥିବାବେଳେ ଏବେ ପୁଣି ୫ଟି ନୂଆ ସୁପର ସ୍ପେସାଲିଟି ବିଭାଗ ଯୋଡ଼ାଯାଇଛି। ଗେଷ୍ଟ୍ରୋଏଣ୍ଟ୍ରୋରୋଲୋଜି, ଏଣ୍ଡୋକ୍ରିନୋଲୋଜି, କ୍ଲିନିକାଲ ହେମାଟୋଲୋଜି, ପ୍ଲାଷ୍ଟିକ୍ ସର୍ଜରି ଆଦି ବିଭାଗରେ ସୁପର ସ୍ପେସାଲିଟି ବିଭାଗ ଖୋଲିବାକୁ ଯାଉଛି। ପୂର୍ବରୁ ନେଫ୍ରୋଲୋଜି, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରି ଓ ହୃଦ୍‌ରୋଗ ବିଭାଗର ସୁପର ସ୍ପେସାଲିଟି ବିଭାଗ ଥିଲା। ସୁପର ସ୍ପେସାଲିଟି କୋଠାରେ ୬୦ଟି ଆଇସିୟୁ ୟୁନିଟ ଓ ୧୮୦ଟି ସାଧାରଣ ଶଯ୍ୟା ରହିବାର ବ୍ୟବସ୍ଥା ରହିଛି। କୋଠା ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବାରୁ ସୁପରସ୍ପେସାଲିଟି ହସ୍ପିଟାଲ କାର୍ଯ୍ୟକ୍ଷମରେ ବି ବିଳମ୍ବ ହେଉଛି। ସୁପର୍‌ ସ୍ପେସାଲିଟି କୋଠା କାର୍ଯ୍ୟକ୍ଷମ ହେଲେ ରୋଗୀମାନେ ଉପକୃତ ହୋଇପାରିବେ।
ଆର୍‌ଡିସି କାର୍ଯାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଭିମ୍‌ସାର ନିର୍ଦେଶକ ପ୍ରଫେସର ଲଳିତ ମେହେର, ଅଧ୍ୟକ୍ଷା ଡାକ୍ତର ଜୟଶ୍ରୀ ଦୋରା, ଅଧୀକ୍ଷକ ପ୍ରଫେସର ଲାଲ୍ ମୋହନ ନାୟକ, ପ୍ରଶାସନିକ ଅଧିକାରୀ ସୁବ୍ରତ କୁମାର ନାୟକ, ସୁପର୍ ସ୍ପେଶାଲିଟି ହସ୍ପିଟାଲର ନୋଡାଲ ଅଫିସର ଡାକ୍ତର ସଂଜୟ କୁମାର ମହାପାତ୍ର, ବୁର୍ଲା ପୂର୍ତ୍ତ ବିଭାଗ ଏସ୍‌ଡିଓ ଏସ୍‌କେ ମୁସ୍ତାକ ଏବଂ ବୁର୍ଲା ଟିପିଡବ୍ଲୁଓ ଡିଏଲ୍‌ର ଅଧିକାରୀଙ୍କ ସମେତ ଠିକାସଂସ୍ଥାର କିଛି ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର