ରାଜ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁବାରେ ବିଳମ୍ବ ହେବ, ମେ’ ଦ୍ବିତୀୟ ସପ୍ତାହ ନେଇ ସ୍ବାସ୍ଥ୍ୟ ବିଭାଗର ଆକଳନ

ଦିନକରେ ୧୭୮୪ ଜଣ ପଜିଟିଭ୍, ୨ ମୃତ, ନୂଆପଡ଼ାରେ ଦୈନିକ ସଂକ୍ରମଣ ୩୦୦ ଟପିଲା

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହରରେ ସଂକ୍ରମଣ ଶୀର୍ଷ ଛୁଇଁବାକୁ ସାମାନ୍ୟ ବିଳମ୍ବ ହୋଇପାରେ। ରାଜ୍ୟ ସରକାର ଅନୁକରଣ କରୁଥିବା ୩ଟି ସଂକ୍ରମଣ ମଡେଲ ଚଳିତ ମାସ ୧୫ରୁ ୨୫ତାରିଖ ମଧ୍ୟରେ ଶୀର୍ଷ ସଂକ୍ରମଣ ଆସିବ ବୋଲି ଆକଳନ କରିଥିଲା। ମାତ୍ର ଓଡ଼ିଶାରେ ଦୈନିକ ସଂକ୍ରମଣ ଡବଲିଂ ରେଟ୍‌ ବା ଦ୍ବିଗୁଣିତ ହାରକୁ ଅନୁଶୀଳନ କରିବା ପରେ ଶୀର୍ଷ ସଂକ୍ରମଣ ଆସିବା ଲାଗି ଆସନ୍ତା ମାସ ଦ୍ବିତୀୟ ସପ୍ତାହ ଲାଗିପାରେ ବୋଲି ଅନୁମାନ କରାଯାଉଛି। ଏହାସହ ପୂର୍ବ ଆକଳନରେ ଦୈନିକ ସଂକ୍ରମଣ ୪ହଜାର ପାର କରିବା ନେଇ ଅନୁମାନ କରାଯାଇଥିବା ବେଳେ ନୂତନ ଆକଳନ ଅନୁସାରେ ଦୈନିକ ସଂକ୍ରମଣ ୫ହଜାରରୁ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏପରିକି ଆବଶ୍ୟକ ପଡ଼ିଲେ ଏହାଠାରୁ ଯଥେଷ୍ଟ ଅଧିକ ଦୈନିକ ସଂକ୍ରମଣ ମଧ୍ୟ ହୋଇପାରେ। ମାତ୍ର ମୃତ୍ୟୁ ସଂଖ୍ୟାକୁ ନେଇ ଏବେଠାରୁ କିଛି ନିର୍ଦ୍ଦିଷ୍ଟ ଭାବେ କହିବା ସମ୍ଭବ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସଂପୃକ୍ତ ଅଧିକାରୀଙ୍କ ମତରେ ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିବାର ବେଶ୍ କିଛିଦିନ ପରେ ଓଡ଼ିଶାରେ ସଂକ୍ରମଣ ବଢ଼ିବାକୁ ଆରମ୍ଭ କରିଥିଲା। ଚଳିତମାସ ମହାରାଷ୍ଟ୍ରରେ ସଂକ୍ରମଣ ଶୀର୍ଷକୁ ଛୁଇଁବ ବୋଲି ଆକଳନ କରାଯାଉଛି। ଏ ଦୃଷ୍ଟିରୁ ଓଡ଼ିଶାର ଦୈନିକ ସଂକ୍ରମଣର ଡବଲିଂ ରେଟ୍‌କୁ ଅନୁଧ୍ୟାନ କରାଯିବା ପରେ ରାଜ୍ୟରେ ସଂକ୍ରମଣ ଶୀର୍ଷକୁ ଛୁଇଁବା ଲାଗି ଆସନ୍ତା ମାସ ଦ୍ବିତୀୟ ସପ୍ତାହ ଯାଏ ସମୟ ନେବ। ସଂକ୍ରମଣ ଶୀର୍ଷରେ ପହଞ୍ଚିବା ପରେ ଅତିକମ୍‌ରେ ୨/୩ ସପ୍ତାହ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଆଇସିଏମ୍‌ଆର, ଆଇଆଇଟି ଭୁବନେଶ୍ବର ଓ ଜନ୍ ହପକିନ୍‌ସ ବିଶ୍ବବିଦ୍ୟାଳୟର ରହିଥିବା ୩ଟି ସଂକ୍ରମଣ ମଡେଲକୁ ଅନୁକରଣ କରୁଛନ୍ତି।

ଅପରପକ୍ଷରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଓଡ଼ିଶାରେ କରୋନା ଭୂତାଣୁର ରିପ୍ରଡକସନ୍‌ ଭ୍ୟାଲୁ ବା ‘ଆର୍’ ଭ୍ୟାଲୁ ୨.୧୪ ପ୍ରତିଶତ ରହିଛି। ବିହାରରେ ସର୍ବାଧିକ ୩ ପ୍ରତିଶତ ଥିବା ବେଳେ ଜାତୀୟ ସ୍ତରରେ ‘ଆର୍‌’ ଭ୍ୟାଲୁ ୧.୫୬ ପ୍ରତିଶତ ରହିଛି। ଆଇସିଏମ୍‌ଆର ପୂର୍ବତନ ଉପଦେଷ୍ଟା ତଥା ବରିଷ୍ଠ ଚିକିତ୍ସକ ଡା. ତ୍ରିଭୁବନ ମହାପାତ୍ରଙ୍କ ଅନୁସାରେ, ‘ଆର୍‌’ ୨ ଉପରେ ରହିବା ନିଶ୍ଚିତଭାବେ ଚିନ୍ତାଜନକ। ଲୋକମାନଙ୍କୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ହେବ। ଭିଡ଼ରୁ ଦୂରେଇବା ସହିତ ପର୍ବପର୍ବାଣିରେ ରୋକ୍ ଲଗାଯିବା ଜରୁରୀ। ଧର୍ମାନୁଷ୍ଠାନକୁ ଯଦି ବନ୍ଦ କରାଯାଇ ନ ପାରିବ ତାହାଲେ ନିୟମିତ ବ୍ୟବଧାନରେ ସାନିଟାଇଜ୍ କରାଯିବା ସହିତ ପ୍ରବେଶ ପାଇଁ କୋଭିଡ ରିପୋର୍ଟ ନେଗେଟିଭ୍‌କୁ ବାଧ୍ୟତାମୂଳକ କରାଯାଉ। ଓଡ଼ିଶାରେ ଶୀର୍ଷ ସଂକ୍ରମଣ ପ୍ରାୟତଃ ବିଳମ୍ବରେ ଆସୁଥିବା ଦେଖିବାକୁ ମିଳିଛି। ପ୍ରଥମ ଲହରରେ ବି ୧୫ଦିନ ବିଳମ୍ବରେ ରାଜ୍ୟରେ ସଂକ୍ରମଣ ଆରମ୍ଭ ହୋଇଥିଲା। ତେବେ ଏହି ଆକଳନ ଯେ ସଂପୂର୍ଣ୍ଣ ଭାବେ ଠିକ୍ ହେବ, ତାହା କହିହେବ ନାହିଁ। ଡବଲିଂ ରେଟ୍‌କୁ ଅନୁଧ୍ୟାନ କରି ଏହାର ଆକଳନ କରାଯାଉଥିବା ବେଳେ ଡବଲିଂ ରେଟ୍ ସତର୍କତା ଅବଲମ୍ବନ କଲେ କମିପାରେ ବୋଲି ଡା.ମହାପାତ୍ର କହିଛନ୍ତି।

କରୋନା ସଂକ୍ରମଣର ଦ୍ବିତୀୟ ଲହର ପଶ୍ଚିମ ଓଡ଼ିଶାରେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି। ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ସଂକ୍ରମଣ ରେକର୍ଡ କରୁଛି। ଗତ ୨୪ଘଣ୍ଟାରେ ନୂଆପଡ଼ାରେ ୩୦୩ଜଣ ନୂତନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାସହ ରାଜ୍ୟରେ ଗୋଟିଏ ଦିନରେ ୧୭୮୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆପଡ଼ାକୁ ବାଦ୍ ଦେଲେ ସୁନ୍ଦରଗଡ଼ରେ ୨୪୧, ଖୋର୍ଧା ୨୦୧, ସମ୍ବଲପୁର ୧୧୪, ବଲାଙ୍ଗୀର ୯୧, ବରଗଡ଼ ୮୭, ଗଞ୍ଜାମ ୮୦, ବାଲେଶ୍ବର ୭୨, କଳାହାଣ୍ଡି ୬୮, ନବରଙ୍ଗପୁର ୬୭, କଟକ ୫୯, କେନ୍ଦୁଝର ୫୪ ଓ ପୁରୀରୁ ୫୩ଜଣଙ୍କୁ ଚିହ୍ନଟ କରାଯାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୫୩ହଜାର ୦୮୬କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୮,୦୧୩ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୬.୩୬ ପ୍ରତିଶତକୁ ଲମ୍ଫ ମାରିଛି। ଯାହାକି ଚଳିତବର୍ଷର ସର୍ବାଧିକ ଟିପିଆର୍‌। ଅନ୍ୟପଟରେ ରାଜ୍ୟରେ ‌କୋଭିଡ ନମୁନା ପରୀକ୍ଷା ଆଶାଜନକ ବୃଦ୍ଧି ଦେଖିବାକୁ ମିଳିନାହିଁ। ରାଜ୍ୟରେ ଦ୍ବିତୀୟ ଲହର ଆସିବା ସମୟରେ ଦୈନିକ ହାରହାରି ଯେତିକି ନମୁନା ପରୀକ୍ଷା ହେଉଥିଲା ଏବେ ତାଠାରୁ ସାମାନ୍ୟ ଅଧିକ ପରୀକ୍ଷା ହେଉଛି। ରାଜ୍ୟରେ ୨ଜଣ ସଂକ୍ରମିତ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଓ ବଲାଙ୍ଗୀର ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୯୩୦ରେ ପହଞ୍ଚିଛି। ଆଜି ରାଜ୍ୟରେ ୫୨୩ କୋଭିଡ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୪୧ହଜାର ୧୨୩କୁ ବୃଦ୍ଧି ପାଇଛି। ଏବେ ୯,୯୮୦ ରୋଗୀଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର