ସମ୍ବଲପୁର : ପ୍ରତିଟି ସାମ୍ବାଦିକ ଭିତରେ ଭଲ ପାଇବା ଗୁଣ ରହିବା ଜରୁରୀ। ଆମେ ନିଜ ଅଞ୍ଚଳକୁ, ନିଜ ମାଟିକୁ ହାତର ପାପୁଲି ଭଳି ଜାଣିବା ଓ ଭଲ ପାଇବା ଦରକାର। ମାଟିକୁ ଭଲ ପାଇଲେ, ମାଟିର କଥା, ମାଟିର ମଣିଷଙ୍କ କଥା ଅନ୍ୟ ନିକଟରେ ମର୍ମସ୍ପର୍ଶୀ ଢଙ୍ଗରେ ପହଞ୍ଚାଇ ପାରିଲେ ଜଣେ ଭଲ ସାମ୍ବାଦିକ ହୋଇପାରିବ ବୋଲି ‘ସମ୍ବାଦ’ର ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକ କହିଛନ୍ତି।

Advertisment

‘ସମ୍ବାଦ’ ପଶ୍ଚିମ ସଂସ୍କରଣର ରୌପ୍ୟ ଜୟନ୍ତୀ ଅବସରରେ ଶୁକ୍ରବାର ହୋଟେଲ୍ ଗ୍ରାଣ୍ଡ ଶିବାରେ ଆୟୋଜିତ ପଶ୍ଚିମ ଓଡ଼ିଶାସ୍ତରୀୟ ପ୍ରତିନିଧି ସମାବେଶରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ଜଗନ୍ନାଥ ଆମକୁ ମାଟି ତଳେ ଖଣି ଦେଇଛନ୍ତି ଆଉ ମାଟି ଉପରେ ନଦ, ନଦୀ ଓ ଜଙ୍ଗଲ। କିନ୍ତୁ ଏହି ପ୍ରାକୃତିକ ପ୍ରାଚୁର୍ଯ୍ୟ ଗୁଡ଼ିକ ଆଜି ସଂକଟରେ। ଚାରିଆଡ଼େ ମାତିଛନ୍ତି ମାଫିଆ। ସେମାନଙ୍କ କବଳରୁ ଆମ ଈଶ୍ବରଦତ୍ତ ପ୍ରାକୃତିକ ସଂପଦକୁ ସୁରକ୍ଷା ଦେବା ପ୍ରତ୍ୟେକ ସାମ୍ବାଦିକର ନୈତିକ କର୍ତ୍ତବ୍ୟ। ତେବେ ମାଟି, ନିଜ ଅଞ୍ଚଳ ଓ ନିଜ ଲୋକଙ୍କ ପ୍ରତି ଭଲପାଇବା ରହିଲେ ଯାଇ ଜଣେ ନିଷ୍ଠାବାନ ହୋଇ ଏହା କରିପାରିବ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ‘ସମ୍ବାଦ’ର ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ‘ସମ୍ବାଦ’ ଅନୁଗୁଳ ସଂସ୍କରଣର ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ପ୍ରତିନିଧି ମାନଙ୍କୁ ଉପାଦେୟ ଦିଗ୍‌ଦର୍ଶନ ଦେଇଥିଲେ।

ସମ୍ବଲପୁର ଶାଖା ପରିଚାଳକ ଗଜେନ୍ଦ୍ର ମଲ୍ଲିକ ପାୱାର୍ ପଏଣ୍ଟ ଜରିଆରେ ବିଭିନ୍ନ ପରିସଂଖ୍ୟାନ ଉପସ୍ଥାପନ କରିଥିଲେ। ମୁଖ୍ୟ ସହସଂପାଦକ ଲକ୍ଷ୍ମୀ ନାରାୟଣ ହୋତାଙ୍କ ସଂଯୋଜନାରେ ଆୟୋଜିତ ଖୋଲା ଅଧିବେଶନରେ ପ୍ରତିନିଧି ମାନେ ନିଜନିଜ ମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ପ୍ରତିନିଧିମାନଙ୍କୁ ପ୍ରଶଂସାପତ୍ର ଦେଇ ସମ୍ମାନିତ କରାଯାଇଥିଲା। ବିଗତ ଏକବର୍ଷ ମଧ୍ୟରେ କରୋନା ଓ ଅନ୍ୟାନ୍ୟ କାରଣରୁ ପ୍ରାଣ ହରାଇଥିବା ‘ସମ୍ବାଦ’ର ପ୍ରତିନିଧିମାନଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା।