ଭୁବନେଶ୍ବର: ଆସନ୍ତା ଜାନୁୟାରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ପାଇଁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିମନ୍ତ୍ରଣ ଦିଆଯିବାପରେ ଗତକାଲି ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଓ ପରିଚାଳନା କମିଟି ସଦସ୍ୟ ଅଶୋକ ମହାପାତ୍ର, ଦୁର୍ଗା ପ୍ରସାଦ ଦାସମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର ଓ ଜଗନ୍ନାଥ ସିଂହାରୀ ମଧ୍ୟପ୍ରଦେଶର ଉଜ୍ଜୟନୀ ଯାତ୍ରା କରି ଜଗତଗୁରୁଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି। ସେଠାରେ ଜଗତଗୁରୁଙ୍କ ସହ ଵିସ୍ତ୍ରୃତ ଭାବରେ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧିବିଧାନ ସମ୍ପର୍କରେ ଆଲୋଚନା କରାଯାଇଛି। ଆଗାମୀ ମାସରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଶ୍ରୀକ୍ଷେତ୍ରକୁ ଫେରିବା ପରେ ଗଜପତି ମହାରାଜଙ୍କ ନେତୃତ୍ବରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯିବାର କାର୍ଯ୍ୟକ୍ରମ ରହିଛି।

Advertisment

publive-image

ତେବେ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟକଟି କ୍ଷେତ୍ରରେ ଜଗତଗୁରୁଙ୍କୁ ଅଣଦେଖା କରୁଥିବା ନେଇ କ୍ଷୋଭ କରୁଥିବା ବେଳେ ନିମନ୍ତ୍ରଣ ପତ୍ର ସ୍ୱୀକାର କରି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ବିଶ୍ୱାସ ରହିଥିବା ପରିଚାଳନା କମିଟିର ସଦସ୍ୟ ଜଗନ୍ନାଥ କର କହିଛନ୍ତି। ପରେ ପରେ ଭାରତବର୍ଷର ୪ ଧାମ, ୧୨ ଜ୍ୟୋତି ଲିଙ୍ଗ ଓ ଭାରତ ବର୍ଷ ବିଭିନ୍ନ ଶୈବପୀଠ ଓ ଶ୍ରୀଜଗନ୍ନାଥ ମନ୍ଦିର ଓ ବିଭିନ୍ନ ମନ୍ଦିରର ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣ ପାଇଁ ସେବାୟତମାନେ ଯାତ୍ରା କରିବେ।