ଭୁବନେଶ୍ବର : ମଠ ଉଚ୍ଛେଦ ରୋକିବାକୁ ରାଜ୍ୟପାଳଙ୍କୁ ଗୁହାରି

ଭୁବନେଶ୍ବର : ଶିଖ୍ ସମ୍ପ୍ରଦାୟ ସହ ସଂଶ୍ଳିଷ୍ଟ ମଙ୍ଗୁ ମଠ, ପଞ୍ଜାବୀ ମଠ, ବାଉଳୀ ମଠ, ଶ୍ରୀମନ୍ଦିରକୁ ଲାଗି ରହିଥିବା ଗୁରୁଦ୍ବାର ଉଚ୍ଛେଦ ରୋକିବା ପାଇଁ ଆଜି ଏକ ପ୍ରତିନିଧିଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି। ପ୍ରତିନିଧିଦଳରେ ଥିବା ମାନବାଧିକାର କର୍ମୀ ଜଗମୋହନ ସିଂହ, ଐତିହାସିକ ଅନିଲ ଧୀର, ଆଇନଜୀବୀ ସୁଖ୍‌ବିନ୍ଦର କୌର, ସାମାଜିକ କର୍ମୀ ଗୁର୍‌ମିତ୍‌ ସିଂହ ପ୍ରମୁଖ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ଏହି ଉଚ୍ଛେଦ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ତା’ ସହିତ ଗୁରୁ ନାନକ ଯେଉଁ ବାଟ ଦେଇ ଓଡ଼ିଶାରେ ବିଚରଣ କରିଥିଲେ ସେଗୁଡ଼ିକୁ ଚିହ୍ନଟ କରି ଗୁରୁ ନାନକ ମାର୍ଗ ପ୍ରସ୍ତୁତ କରିବାକୁ ସେମାନେ ଅନୁରୋଧ କରିଛନ୍ତି।

ଶ୍ରୀମନ୍ଦିର ସୁରକ୍ଷା ପ୍ରଥମ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ସରକାରଙ୍କ ପଦକ୍ଷେପକୁ ସମସ୍ତେ ସ୍ବାଗତ କରିଛନ୍ତି। କିନ୍ତୁ ଏହି ଐତିହ୍ୟଗୁଡ଼ିକୁ ପୁନରୁଦ୍ଧାର କରି ରଖା ଯାଇପାରିଥାନ୍ତା ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି। ଆସନ୍ତା ନଭେମ୍ବର ୧୨ ତାରିଖରେ ଗୁରୁ ନାନକଙ୍କର ୫୫୦ ତମ ଜୟନ୍ତୀ ସମଗ୍ର ଦେଶ ପାଳନ କରିବାକୁ ଯାଉଥିବା ବେଳେ ସରକାରଙ୍କର ଏହି ଉଚ୍ଛେଦ ଲକ୍ଷ ଲକ୍ଷ ଶିଖ୍‌ଙ୍କ ଭାବାବେଗକୁ ଆଘାତ କରିଛି ବୋଲି ସେମାନେ କହିଛନ୍ତି। ପୂର୍ବରୁ ଦିଲ୍ଲୀ ଗୁରୁଦ୍ବାର ପ୍ରବନ୍ଧକ କମିଟି ଓ ଶିରୋମଣି ଗୁରୁଦ୍ବାର ପ୍ରବନ୍ଧକ କମିଟି ପୁରୀ ପରିଦର୍ଶନରେ ଆସି ଜିଲ୍ଲାପାଳଙ୍କୁ ଏ ବାବଦରେ ସ୍ମାରକପତ୍ର ଦେଇ ସାରିଛନ୍ତି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ଏ ନେଇ ଜଗମୋହନ ସିଂହ କହିଛନ୍ତି, ମଙ୍ଗୁମଠରେ ୫ଶହ ବର୍ଷ ପୂର୍ବେ ନାନକ ରହିବା ସହ ‘ଗଗନ ମେ ଥାଲ ରାଓ ଚନ୍ଦ ଦୀପକ’ ଲେଖିଥିଲେ। ଶ୍ରୀଜଗନ୍ନାଥ ଦର୍ଶନ କରିବା ପରେ ‘ଏକ୍‌ ଓମ୍‌କାର’ ବାର୍ତ୍ତା ବାଣ୍ଟିଥିଲେ। ଏହି ମଠ ମାଟିରେ ମିଶିଗଲେ ୫ଶହ ବର୍ଷ ତଳର ଶିଖ୍‌ ଓ ଶ୍ରୀଜଗନ୍ନାଥଙ୍କର ସଂଯୋଗ ମଧ୍ୟ ଲିଭିଯିବ। ଐତିହାସିକ ଅନିଲ ଧୀର କହିଥିଲେ, ୧୮୮୬ ମସିହାରେ ବେଙ୍ଗଲ୍‌ର ସାନିଟାରି କମିସନ ସ୍ମିଥ୍‌ ରିପୋର୍ଟ କରିଥିଲେ ଯେ ପଞ୍ଜାବୀମାନେ ୨୦୦୦ ମାଇଲ ପାଦରେ ଚାଲି ଚାଲି ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଆସୁଥିଲେ। ସେମାନଙ୍କୁ ୬ ମାସ ଲାଗୁଥିଲା। ଏଣୁ ପଞ୍ଜାବ ସହ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କ ସଂଯୋଗ ବଡ଼ ବିଚିତ୍ର। ଏଭଳି ସ୍ଥିତିରେ ମଠକୁ ଧୂଳିସାତ କରିବା ଆଦୌ ଗ୍ରହଣୀୟ ନୁହେଁ।

ସମ୍ବନ୍ଧିତ ଖବର