ହଜାଇଦେଲେ ଶ୍ରୀମନ୍ଦିର ଫାଇଲ୍‌: ସମସ୍ତ ସେକ୍ସନକୁ ଆଇନ ବିଭାଗର ଚିଠି

ହଜାଇଦେଲେ  ଶ୍ରୀମନ୍ଦିର ଫାଇଲ୍‌: ସମସ୍ତ ସେକ୍ସନକୁ ଆଇନ ବିଭାଗର ଚିଠି

Image Courtesy of India.com

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ଫାଇଲ୍‌ ହଜାଇ ଦେଇଛି ଆଇନ ବିଭାଗ। ଦୁଇଟି ଫାଇଲ୍‌। ଯେଉଁଥିରେ ହାଇକୋର୍ଟ ମାଗିଥିବା ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି। ବହୁ‌ ଖୋଜାଖୋଜି ପରେ ଏହି ଦୁଇ ଫାଇଲ୍‌ ନ ମିଳିବାରୁ ଆଇନ ବିଭାଗ ପକ୍ଷରୁ ସମସ୍ତ ସେକ୍ସନ୍‌କୁ ଏ ସମ୍ପର୍କରେ ଚିଠି କରି ଫାଇଲ୍‌ ଖୋଜିବାକୁ କୁହାଯାଇଛି। ଫାଇଲ୍‌ ମିଳିଲା କି ନାହିଁ ଯଥାଶୀଘ୍ର ଜଣାଇବାକୁ ସମସ୍ତ ସେକ୍ସନକୁ କୁହାଯାଇଛି। ସେପଟେ ଏହାକୁ ନେଇ ଆଜିର ବୈଠକରେ ତମ୍ବିତୋଫାନ ହୋଇଛି। କେଉଁ ପରିସ୍ଥିତିରେ ଏହି ଫାଇଲ୍‌ ହଜିଲା, ବରିଷ୍ଠ ସେବାୟତମାନେ ତାର କାରଣ ମାଗିଛନ୍ତି। ଏହା ଆଇନ ବିଭାଗର ଦାୟିତ୍ବହୀନତା ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏହାର କୌଣସି ଜବାବ ରଖିନି। ସେପଟେ ଆସନ୍ତା ୨୦ ତ‌ାରିଖରେ ମହାପ୍ରଭୁଙ୍କ ଜମିଜମା ମାମଲାର ପରବର୍ତ୍ତୀ ଶୁଣାଣି ଥିବାବେଳେ ଏହା ପୂର୍ବରୁ ଫାଇଲ୍‌ ହଜିବା ଚର୍ଚ୍ଚାର ବିଷୟ ପାଲଟିଛି।

ରାଜ୍ୟ ସରକାରଙ୍କ ଆଇନ ବିଭାଗ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପ୍ରଶାସନ ସେକ୍ସନ୍‌ ସହ ଅନ୍ୟାନ୍ୟ ସେକ୍ସନ୍‌ ରହିଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଚିଠି ନେଣଦେଣ ଏହି ଶ୍ରୀମନ୍ଦିର ସେକ୍ସନ୍‌ ସହ ‌ହୋଇଥାଏ। ଆଇନ ବିଭାଗ ପକ୍ଷରୁ ଆଜି ଶ୍ରୀମନ୍ଦିର ପ୍ରଶାସନ ସେକ୍ସନ୍‌ରୁ ଚିଠି ହଜିଥିବା ସମ୍ପର୍କରେ ନିଜ ଅଧୀନସ୍ଥ ସମସ୍ତ ସେକ୍ସନ୍‌କୁ ଚିଠି(ନଂ-ଜେଟିଏ-୫୦/୨୧/୮୨୧୦/ଏଲ୍‌) କରାଯାଇଛି। ଯେଉଁଥିରେ ହଜିଥିବା ଫାଇଲ୍‌ ନମ୍ବର ଜେଟିଏ-୫୫/୨୦୦୬(ପିଟି) ଓ ଜେଟିଏ-୦୬/୨୦୧୪ ‌ ବୋଲି ଉଲ୍ଲେଖ ହୋଇଛି। ଏହା ହାଇକୋର୍ଟଙ୍କ ଆଦେଶ ସମ୍ପର୍କିତ ଫାଇଲ୍‌ ହୋଇଥିବା ବେଳେ ଏହାକୁ ଗୁରୁତ୍ବ ଦେଇ ସମସ୍ତ ସେକ୍ସନ୍‌ ଫାଇଲ ଖୋଜିବାକୁ କୁହାଯାଇଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ପୂର୍ବତନ ସଦସ୍ୟ ତଥା ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ଏହା ପ୍ରଥମ ଘଟଣା ନୁହେଁ, ବାରମ୍ବାର ଆଇନ ବିଭାଗର ଶ୍ରୀମନ୍ଦିର ପ୍ରଶାସନ ସେକ୍ସନ୍‌ରୁ ଫାଇଲ୍‌ ହଜୁଛି। ପୂର୍ବରୁ ବି ଅନେକ ଥର ଏଭଳି ଘଟଣା ନଜରକୁ ଆସିଛି। ଆଇନ ବିଭାଗରେ ଶ୍ରୀମନ୍ଦିର ସେକ୍ସନ୍‌ ଭଳି ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ସେକ୍ସନ୍‌ ରହିଛି। ସେଠାରେ ଫାଇଲ୍‌ ସୁରକ୍ଷିତ ରହୁଥିବା ବେଳେ ବାରମ୍ବାର ଶ୍ରୀମନ୍ଦିର ସେକ୍ସନ୍‌ରୁ ଫାଇଲ୍‌ ହଜିବା ସନ୍ଦେହ ସୃଷ୍ଟି କରୁଛି। ଏହାକୁ ସରକାର ଗୁରୁତ୍ବର ସହ ନେବା ଦରକାର ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe