ରାହୁଲ ଗାନ୍ଧୀଙ୍କ ଅଫିସରୁ ଆସିଲା ଫୋନ୍ : ଓଡ଼ିଶାର ବିଧାୟକଙ୍କୁ ୫ରେ ଦିଲ୍ଲୀରେ ଭେଟିବେ, କଥାହେବେ

ଭୁବନେଶ୍ବର: କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ପିସିସିର ନୂଆ ସଭାପତି ଘୋଷଣା ଚର୍ଚ୍ଚା ଭିତରେ ଆସନ୍ତା ୫ ତାରିଖରେ ଦିଲ୍ଲୀରେ ରାଜ୍ୟ କଂଗ୍ରେସ ବିଧାୟକମାନଙ୍କ ସହ ଆଲୋଚନା କରିବେ ରାହୁଲ ଗାନ୍ଧୀ । ଏଥିପାଇଁ ବିଧାୟକମାନଙ୍କୁ ଦିଲ୍ଲୀ ଡକାଯାଇଛି। ବୈଠକରେ ନୂଆ ସଭାପତି ଚୟନ ଓ ସାଙ୍ଗଠନିକ ପରିବର୍ତ୍ତନ ନେଇ ଆଲୋଚନା ହେବା ସମ୍ଭାବନା ରହିଛି ।

ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। କଂଗ୍ରେସ ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର ଗତ ସପ୍ତାହରେ ଓଡ଼ିଶା ଆସି କଂଗ୍ରେସ ନେତୃବୃନ୍ଦଙ୍କ ସହିତ ମାନସ ମନ୍ଥନ କରିବା ପରେ ବିଧାୟକଙ୍କୁ ଦିଲ୍ଲୀରୁ ଡାକରା ଆସିଛି। ବିଧାୟକ ଓ ବରିଷ୍ଠ ନେତାମାନଙ୍କ ମତାମତ ଗ୍ରହଣ କରି ଚେଲାକୁମାର ଦିଲ୍ଲୀ ଫେରିଯାଇ ହାଇକମାଣ୍ଡଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିବା ପରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରୁ ବିଧାୟକଙ୍କୁ ଡକାଯାଇଛି। ପିସିସି ସଭାପତି ଚୟନ ନେଇ ରାହୁଲ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ପିସିସି ସଭାପତି ପରିବର୍ତ୍ତନର ଦାବି ଜୋର୍‌ ଧରିଥିଲା। ଏକାଧିକ ବିଧାୟକ ନିୟମିତ ଭାବେ ଗଣମାଧ୍ୟମରେ ସଭାପତି ପରିବର୍ତ୍ତନ ପାଇଁ ମତ ରଖିଥିଲେ। ଏ ସଂକ୍ରାନ୍ତରେ ଚେଲାକୁମାର ଓ ଏଆଇସିସିର ସାଧାରଣ ସମ୍ପାଦକ ଜି. ରୁଦ୍ର ରାଜୁ ଓଡ଼ିଶାରେ ପହଞ୍ଚିବା ସହିତ ସଭାପତି ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନିରସିଂହ ମିଶ୍ରଙ୍କ ସହିତ ପୃଥକ ଆଲୋଚନା କରିଥିଲେ। ପରେ ଅନ୍ୟ ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ୱାନ୍‌ ଟୁ ୱାନ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର