ଅନ୍‌ଲାଇନ ଠକକୁ ବସ୍ତା ଅଞ୍ଚଳରୁ ବାନ୍ଧିଲା ଦିଲ୍ଲୀ ପୁଲିସ

ପୂର୍ବରୁ ବିଭିନ୍ନ ଥାନାରେ ରହିଛି ଠକେଇ ମାମଲା

ବାଲେଶ୍ବର/ରୁପସା/ବାହାର୍ଦ୍ଦା/ଦରଡ଼ା : ଅନଲାଇନ ଠକର ଖେଳ ଶେଷ! ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରୁ ଅନଲାଇନ ଠକ ସନ୍ମୟ ପରିଡ଼ାକୁ ଦିଲ୍ଲୀ ପୁଲିସ ଗିରଫ କରିଛି। ତା ନିକଟରୁ ୩ଟି ମୋବାଇଲ, ୩ଟି ଲାପଟପ୍, ପ୍ରିଣ୍ଟର, ସ୍କାନର, କ୍ୟାଟ୍ରିଜ୍, ହାର୍ଡଡିସ୍କ, ଚୋରି ଅଟୋମୋବାଇଲ ଜିନିଷ ଓ ୧୦୦ରୁ ଉର୍ଦ୍ଧ୍ବ ଆଧାର ଓ ସିମକାର୍ଡ ପୁଲିସ ଜବତ କରିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବସ୍ତା ଥାନା ବାରମାଡ଼ିଆ ଗ୍ରାମର ସନ୍ମୟ ଦିଲ୍ଲୀର ନରେଡି. ଇନ୍ ନାମକ ଏକ ସଂସ୍ଥାରୁ ୪୪ ହଜାର ଟଙ୍କା ମୂଲ୍ୟର ଗୋଟିଏ ଇନଭର୍ଟର, ବ୍ୟାଟେରି ଓ ଆଉ କିଛି ଜିନିଷ ଅନଲାଇନରେ କିଣିଥିଲା। ପରେ ଅନଲାଇନରେ ପେମେଣ୍ଟ କରିଥିବା କମ୍ପାନି କର୍ତ୍ତୃପକ୍ଷଙ୍କୁ କହିବା ସହ ଫେକ୍ ସ୍କ୍ରିନସଟ୍ ପଠାଇଥିଲା ସନ୍ମୟ। ପେମେଣ୍ଟ ହୋଇ ନଥିବା ଜଣା ପଡ଼ିବା ପରେ କମ୍ପାନି ମାଲିକ ଅରୁଣ ଶର୍ମା ସନ୍ମୟ ସହ ଯୋଗାଯୋଗ କରିଥିଲେ। ହେଲେ ସେ ଆଉ ଫୋନ ଉଠାଉ ନଥିଲା କି ଧରାଛୁଆଁ ଦେଉ ନଥିଲା। ଶେଷରେ କମ୍ପାନି ମାଲିକ ଶ୍ରୀ ଶର୍ମା ବାଧ୍ୟ ହୋଇ ଦିଲ୍ଲୀ ସାଇବର ଥାନାରେ ଏନେଇ ଅଭିଯୋଗ କରିଥିଲେ। ଦିଲ୍ଲୀ ସାଇବର ଥାନା ପୁଲିସ ତନାଘନା କରିବା ସହ ବସ୍ତା ପୁଲିସ ସହାୟତାରେ ବାରମାଡ଼ିଆ ଗ୍ରାମରେ ପହଞ୍ଚି ଅଭିଯୁକ୍ତ ସନ୍ମୟକୁ ଆଜି ଗିରଫ କରିଛି।

ସନ୍ମୟ ନାଁରେ ପୂର୍ବରୁ ବସ୍ତା ଓ କର୍ମର୍ଦ୍ଦା ଥାନାରେ ଠକେଇ ମାମଲା ରହିଛି। ତାର ବସ୍ତା ବଜାରରେ ଡିଜିଟାଲ ସେବା ନାମକ ଏକ ଆଧାର ସଂଶୋଧନ ଓ କିଓସ୍କ ବ୍ୟାଙ୍କିଂ ଉପକେନ୍ଦ୍ର ରହିଛି। ଏହି କେନ୍ଦ୍ର ମାଧ୍ୟମରେ ଜାଲ କାଗଜପତ୍ର ପ୍ରସ୍ତୁତ କରି ସେ ଲୋକଙ୍କୁ ଠକିଥିବା ଜଣାପଡ଼ିଛି। ଜଣେ ବୃଦ୍ଧାଙ୍କ ଆକାଉଣ୍ଟରୁ ୫୪ ହଜାର ଟଙ୍କା ଉଠାଇ ନେଇଥିବା ବେଳେ ଏ ନେଇ ବସ୍ତା ଥାନାରେ ୧୩୭/୨୦ରେ ତା ନାଁରେ ଏକ ମାମଲା ପୂର୍ବରୁ ରହିଛି। ସେହିଭଳି କମର୍ଦ୍ଦା ଥାନାରେ ବି ଅନ୍ୟ ଏକ ଠକେଇ ମାମଲା ରହିଛି। ହାଇକୋର୍ଟରୁ ଜାମିନରେ ଆସି ପୁଣି ସେ ଠକେଇ କାର୍ଯ୍ୟ ଆରମ୍ଭ କରି ଦେଇଥିଲା। ହେଲେ ତାର ଠକେଇ କାର୍ଯ୍ୟକଳାପ ସ୍ଥାନୀୟ ଅଞ୍ଚଳରେ ଜଣାପଡ଼ିବା ପରେ ତାର ରାଜ୍ୟ ବାହାରର ନାମୀଦାମୀ କମ୍ପାନି ଉପରେ ଆଖି ପକାଇଥିଲା। ତାର ଠକେଇ କାରବାର ସମ୍ପର୍କରେ ଯେ କେହି ଜାଣି ପାରିବେ ନାହିଁ ସେଥିପାଇଁ ନୂଆ ନୂଆ ସିମକାର୍ଡ ବ୍ୟବହାର କରୁଥିଲା।

ବସ୍ତା ଓ କମର୍ଦ୍ଦା ପୁଲିସ ଆଖିରେ ଧୂଳିଦେଇ ବୁଲୁଥିବା ଠକ ସନ୍ମୟକୁ ଶେଷରେ ବାନ୍ଧିଛି ଦିଲ୍ଲୀ ପୁଲିସ। ଆଜି ବାଲେଶ୍ବର ସିଜେଏମଙ୍କ କୋର୍ଟରେ ହାଜର କରାଇ ସନ୍ମୟକୁ ଦିଲ୍ଲୀ ପୁଲିସ ନିଜ ହେପାଜତକୁ ନେଇଥିବା ବସ୍ତା ଥାନାଧିକାରୀ ଅଶୋକ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର