ସୂର୍ଯ୍ୟନାରାୟଣ ଲେଙ୍କା
ରାଜନଗର: ବିକ୍ରି ହେଉଛି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ। ସରକାରୀସ୍ତରରେ ଦଲିଲ କରି ଜଙ୍ଗଲ ଓ ସମୁଦ୍ରକୁ ରାଜ୍ୟ ବାହାର କମ୍ପାନି ହାତରେ ଟେକି ଦିଆଯାଇଛି। ଫଳରେ ରାଜ୍ୟର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟର ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା ହେବାର ୨୮ ବର୍ଷ ପରେ ବି ଗହୀରମଥାର ଜମିବାଡ଼ି କିଣାବିକା ହେଉଛି। ଯେଉଁ ଅଭୟାରଣ୍ୟ ଅଞ୍ଚଳରେ ବିନା ଅନୁମତିରେ ପାଦ ପକାଇଲେ ମାମଲା ରୁଜୁର ଭୟ ରହିଛି, ସେ ଅଞ୍ଚଳରେ ସରକାରୀସ୍ତରରେ ଜମିବାଡ଼ି (ଯାହା ଏବେ ସମୁଦ୍ର ଭିତରେ) ହେଉଛି। ତାମିଲନାଡୁ ଓ ଦିଲ୍ଲୀର ୩ଟି କମ୍ପାନି ଗହୀରମଥାରେ ସମୁଦ୍ର ଓ ଜଙ୍ଗଲ କିଣିଛନ୍ତି। ତେବେ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ କିପରି ଘରୋଇ କମ୍ପାନି ହାତରେ ଟେକି ଦିଆଗଲା? ସରକାରୀ ବାବୁମାନେ କିପରି ଅନୁମତି ଦେଲେ ତାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।
ଜୈବ ବିବିଧତାରେ ପରିପୂର୍ଣ୍ଣ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ। ସାରା ବିଶ୍ବରେ ଉପଲବ୍ଧ ଅଲିଭ୍ରିଡ୍ଲେ କଇଁଛ ମଧ୍ୟରୁ ୫୦ ପ୍ରତିଶତ ଗହୀରମଥାରେ ସମାଗମ ହୋଇଥାନ୍ତି। ୨୭ ସେପ୍ଟେମ୍ବର ୧୯୯୭ରେ ଗହୀରମଥାକୁ ରାଜ୍ୟର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା ପୂର୍ବରୁ ରାଜସ୍ୱ ଗ୍ରାମ ସାନଗହୀରମଥା ଓ ବଡ଼ଗହୀରମଥାରେ ଗୋଟିଏ ବି ପରିବାର ରହୁ ନଥିଲେ। ୧୯୯୭ ପୂର୍ବରୁ ଦୁଇଟି ରାଜସ୍ୱ ଗାଁର ୫୦ ପ୍ରତିଶତ ଜମି ସମୁଦ୍ର ଭିତରକୁ ଚାଲିଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ଉଗ୍ର ହୋଇ ସ୍ଥଳଭାଗକୁ ମାଡ଼ି ଆସିବାରୁ ଏହି ଦୁଇଟି ଗାଁର ଅବଶିଷ୍ଟ ଜମି ସମୁଦ୍ର ଗର୍ଭକୁ ଚାଲିଯାଇଛି। ମାତ୍ର ଆଜି ବି ଏହି ଦୁଇଟି ଗାଁ ସରକାରୀ ରେକର୍ଡରେ ରାଜସ୍ୱ ଗାଁ ହୋଇ ରହିଛି। ସରକାରୀ ଅବ୍ୟବସ୍ଥାର ସୁଯୋଗ ବାହାର ରାଜ୍ୟର ବଡ଼ ବଡ଼ କମ୍ପାନିମାନେ ଉଠାଇଛନ୍ତି। ଦିଲ୍ଲୀ ଓ ତାମିଲନାଡ଼ୁର ୩ କମ୍ପାନି ଗହୀରମଥାରେ ସମୁଦ୍ରକୁ କିଣି ନେଇଛନ୍ତି।
ସରକାରୀ ଭୂଲେଖରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦିଲ୍ଲୀର ଏନ୍ପିବି ଫାର୍ମସ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୧୧ ମସିହାରେ ୧୪ ଟି ପ୍ଲଟ୍ର ୧୪ ଏକର ୫୬ ଡେସିମିଲ୍ ସାମୁଦ୍ରିକ ଅଞ୍ଚଳ କିଣି ନେଇଥିବା ବେଳେ, ଦିଲ୍ଲୀର ନିର୍ବାଣ ହାୟାର୍ ପରଚେଜ୍ ଲିମିଟେଡ୍ ୯ ଏକର ଓ ତାମିଲନାଡ଼ୁର ଲରେଲ୍ ଫାର୍ମସ୍ ଡେଭ୍ଲପର୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ୪ ଏକର ୪୪ ଡେସିମିଲ୍ ସାମୁଦ୍ରିକ ଅଞ୍ଚଳ କିଣିଛି। ବାହାର ରାଜ୍ୟର ୩ଟି କମ୍ପାନି ସମୁଦ୍ର ଭିତରେ ଥିବା ଜମିକୁ କିପରି କିଣିଲେ, କେଉଁ କାମରେ ବ୍ୟବହାର ପାଇଁ କିଣିଛନ୍ତି ଏବଂ ସବ୍ରେଜିଷ୍ଟ୍ରାର୍ କିପରି ସାମୁଦ୍ରିକ ଅଭୟାରଣ୍ୟ ଘୋଷିତ ଅଞ୍ଚଳକୁ କବଲା କରାଇଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଯେଉଁ ଅଞ୍ଚଳ ଭିତରକନିକା ଓ ଗହୀରମଥାର ଜୈବବିବିଧତାକୁ ବଳିଷ୍ଠ କରି ରଖିଛି ସେ ଅଞ୍ଚଳର ସମୁଦ୍ର ଓ ଜଙ୍ଗଲକୁ ବାହାର ରାଜ୍ୟର କମ୍ପାନି ହାତରେ ଟେକିଦେବା ଘଟଣା ଆମ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ଏ ସମ୍ପର୍କରେ ରାଜନଗର ତହସିଲଦାର ଯୀଶୁକୃଷ୍ଣ ଦାସ କହିଛନ୍ତି ଏହି ଦୁଇଟି ରାଜସ୍ବ ଗାଁର ଜମି ସମୁଦ୍ର ଗର୍ଭକୁ ଚାଲିଯାଇଛି। ‘ରାଇଟ୍-ଅଫ୍’ ପ୍ରକ୍ରିୟାରେ ଲୋକଙ୍କ ନାଁରୁ ଏହା କଟାଯିବା କଥା ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/10/fshhffhfh-2025-11-10-02-29-01.jpg)