ହାଟଡିହି : ଆମ୍ବୁଲାନସ ଆସିବାରେ ବିଳମ୍ବ ହେଲା। ଏପଟେ ସଂଗରୋଧ କେନ୍ଦ୍ରରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ। ଏଭଳି ସ୍ଥିତିରେ ଆଶାକର୍ମୀ ଦେବଦୂତ ସାଜି ସେଠାରେ ପହଞ୍ଚିବା ସହ ମହିଳାଙ୍କ ପ୍ରସବ କରାଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଇଞ୍ଚୋଳ ପଞ୍ଚାୟତରେ।
/sambad/media/post_attachments/wp-content/uploads/2020/07/hatadihi-1.jpg)
ପ୍ରାପ୍ତ ସୂଚନା ଅନୁସାରେ, ଜଣେ ଗର୍ଭବତୀ ହାଇଦ୍ରାବାଦରୁ ଫେରି ଇଞ୍ଚୋଳ ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ରହୁଥିଲେ। ଡାକ୍ତର ତାଙ୍କ ପ୍ରସବ ପାଇଁ ଅଗଷ୍ଟ ୮ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ। କିନ୍ତୁ ଗତକାଲି ସକାଳେ ମହିଳା ଜଣଙ୍କ ହଠାତ୍ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ସଂଗରୋଧ କେନ୍ଦ୍ରର କର୍ମଚାରୀମାନେ ତୁରନ୍ତ ଆଶାକର୍ମୀଙ୍କୁ ଜଣାଇଥିଲେ। ଆଶାକର୍ମୀ ଝୁନୁ ରାଉତ ସଂଗରୋଧ କେନ୍ଦ୍ରରେ ପହଞ୍ଚି ଏ ସମ୍ପର୍କରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣାଇବା ସହ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ପରେ ସରପଞ୍ଚ ପାର୍ବତୀ ନାଇକ ମଧ୍ୟ ସଂଗରୋଧ କେନ୍ଦ୍ରରେ ପହଞ୍ଚିଥିଲେ। ଘଣ୍ଟାଏ ପର୍ଯ୍ୟନ୍ତ ଅପେକ୍ଷା କରିବା ସତ୍ତ୍ବେ ଆମ୍ବୁଲାନ୍ସ ନ ଆସିବାରୁ ଆଶାକର୍ମୀ ଜଣଙ୍କ ପିପିଇ କିଟ୍ ପିନ୍ଧି ମହିଳାଙ୍କ ପ୍ରସବ କରାଇଥିଲେ। ପ୍ରସବ ପରେ ଉଭୟ ମା' ଓ ଶିଶୁକୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନିଆଯାଇ ସେଠାରେ ଏକ ସ୍ୱତନ୍ତ୍ର କୋଠରୀରେ ରଖାଯାଇଛି। ଉଭୟ ସୁସ୍ଥ ଥିବା ବିପିଓ ଚନ୍ଦନ କୁମାର ସାହୁ କହିଛନ୍ତି। କରୋନା ସଂକ୍ରମଣକୁ ଖାତିର ନକରି ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ନିଷ୍ଠାର ସହ ତୁଲାଇଥିବାରୁ ଆଶାକର୍ମୀଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Delivery-in-Quarantine-Centre_Thumbnail.jpg)