ଲକ୍‌ଡାଉନ୍‌ରେ ଦେବଦୂତ ‌ସାଜିଛନ୍ତି ଡେଲିଭରି ବଏ: ଘରେ ପହଞ୍ଚାଉଛନ୍ତି ରାସନ, ରନ୍ଧା ଖାଦ୍ୟ

ଜମାଟୋ, ସ୍ବିଗିରେ କାମ କରୁଛନ୍ତି ୧୫୦ ଯୁବକ

ରାଉରକେଲା: ଲକ୍‌ଡାଉନ୍‌ ପରେ ଶୂନ୍‌ଶାନ୍‌ ସ୍ମାର୍ଟ ସିଟି। ଖାଁ ଖାଁ ରାସ୍ତା ଘାଟ। ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଭୟରେ ପଦାକୁ ଗୋଡ କାଢ଼ୁ ନାହାନ୍ତି ଲୋକେ । ଗୃହବନ୍ଦୀ ଜୀବନ ବିତାଉଥିବା ସହରବାସୀଙ୍କ ଏପରି ସମୟରେ ଦେବଦୂତ ସାଜିଛନ୍ତି ଡେଲିଭରି ବଏ। ପେଟ ପାଟଣା ପାଇଁ ଜୀବନକୁ ପାଣି ଛଡାଇ ଲୋକଙ୍କ ନିକଟରେ ପହଁଚାଉଛନ୍ତି ରାସନ ଓ ରନ୍ଧା ଖାଦ୍ୟ। ଫୋନ୍‌ କିମ୍ବା ଅନ୍‌ ଲାଇନ୍‌ରେ ଅର୍ଡର କରିବା ମାତ୍ର କେଇ ମିନିଟ୍‌ ମଧ୍ୟରେ ଠିକଣା ଜାଗାରେ ପହଞ୍ଚି ଯାଉଛନ୍ତି । ଏଭଳି ସଙ୍କଟ ସ୍ଥିତିରେ ସେବାକୁ ଚାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି ଅନ୍‌ ଲାଇନ୍‌ ଖାଦ୍ୟ ଡେଲିଭରି ସଂସ୍ଥା ଜମାଟୋ, ସ୍ବିଗିର ପ୍ରାୟ ୧୨୦ରୁ ଅଧିକ ଯୁବକ। ହୋଟେଲ, ଢ଼ାବା, ରେଷ୍ଟୁରାଣ୍ଟ ସବୁ ବନ୍ଦ ହୋଇଗଲା ପରେ ଏମାନଙ୍କ ଗୁରୁତ୍ବ ବେଶ୍‌ ବଢ଼ି ଯାଇଛି। ପୂର୍ବ ଅପେକ୍ଷା ଢ଼େର ଅଧିକ ଅର୍ଡର ପାଉଛନ୍ତି। ଜଣେ ଜଣେ ଡେଲିଭରି ବଏ ଦିନକୁ ପ୍ରାୟ ୧୫ରୁ ୧୮ଟି ଅର୍ଡର ପାଉଛନ୍ତି। ସକାଳ ୮ଟାରୁ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ସହରର ବିଭିନ୍ନ ଗଳି କନ୍ଦିରେ ରହୁଥିବା ବ୍ୟାଚ୍‌ଲର, ପରିବାରଙ୍କ ନିକଟରେ ଅର୍ଡର ମୁତାବକ ଖାଦ୍ୟ ପହଁଚାଉଛନ୍ତି। ବିଶେଷ ଉପକୃତ ହେଉଛନ୍ତି ସହରର ବିଭିନ୍ନ ସ୍ଥାନରେ ରହି ଉଚ୍ଚ ଶିକ୍ଷା ପାଇଁ କୋଚିଂ ନେଉଥିବା ଛାତ୍ରଛାତ୍ରୀ।

ଲୋକଙ୍କ ପାଇଁ ସେମାନଙ୍କର ଆବଶ୍ୟକତାକୁ ଉପଲବ୍ଧ କରି ମୁହଁରେ ମାକ୍ସ ଓ ପକେଟ୍‌ରେ ସାନିଟାଇଜର ରଖି ସକାଳ ପ୍ରାୟ ୭ଟାରୁ ଘରୁ ବାହାରି ଆସୁଛନ୍ତି ନିଜ ଅଞ୍ଚଳର ପ୍ରମୁଖ ଛକରୁ। ଅଞ୍ଚଳ ଅନୁଯାୟୀ ସହରର ଛେଣ୍ଡ, ରଘୁନାଥପାଲୀ, ରେଲୱେ କଲୋନି, ସେକ୍ଟର-୧୯, ସେକ୍ଟର-୪, ଉଦିତନଗର ଆଦି ଛକରେ ଛିଡା ହୋଇ ଅର୍ଡରକୁ ଅପେକ୍ଷା କରୁଛନ୍ତି। ଅର୍ଡର ପାଇବା ମାତ୍ରେ ବନ୍ଦଥିବା ହୋଟେଲ, ରେଷ୍ଟୁରାଣ୍ଟରୁ ଖାଦ୍ୟ ନେଇ ଲୋକଙ୍କ ଡେଲିଭରି ଦେଉଛନ୍ତି। ସହରର ଜମାଟୋ ସଂସ୍ଥାରେ ପ୍ରାୟ ୮୦ ଓ ସ୍ବିଗିରେ ୭୦ ଯୁବକ କାମ କରୁଛନ୍ତି। ଜମାଟୋରେ କାମ କରୁଥିବା କଲୁଙ୍ଗାର ରୁପେନ୍ଦ୍ର ଖାଖା କହିଛନ୍ତି, ଏଭଳି ସମୟରେ ତାଙ୍କର ଦାୟିତ୍ବ ବେଶ୍‌ ବଢ଼ି ଯାଇଛି। ବିପଦ ଥିବା ସତ୍ବେ ସେବାକୁ ସେ ଚାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ସକାଳୁ ୮ଟାରୁ ରାତି ପ୍ରାୟ ୧୧ ପର୍ଯ୍ୟନ୍ତ କାମ କରୁଛନ୍ତି। ଦିନକୁ ପ୍ରାୟ ୧୫ରୁ ୧୬ଟି ଅର୍ଡର ପାଉଛି। ୪୦୦ରୁ ୫୦୦ ଟଙ୍କା ରୋଜଗାର କରୁଛି। ସବୁଠାରୁ ବଡ କଥା ହୋଟେଲ୍‌ ଓ ରେଷ୍ଟୁରାଣ୍ଟ ଉପରେ ନିର୍ଭର କରୁଥିବା ଲୋକ ଭୋକ ମେଣ୍ଟାଉଛୁ। ଏଥିରେ ତାଙ୍କୁ ବେଶ୍‌ ଆତ୍ମ ସନ୍ତୋଷ ଲାଗୁଛି ବୋଲି କହିଛନ୍ତି। ସ୍ବିଗି ଡେଲିଭରି ବଏ ସନ୍ତୋଷ ତାଣ୍ଡି କହିଛନ୍ତି ଭୟ ତ ଲାଗୁଛି। କିନ୍ତୁ ପରିବାର ତ ପ୍ରତିପୋ‌ଷଣ କରିବାକୁ ପଡିବ। ଏଥିପାଇଁ ସତର୍କତାର ସହ ଲୋକଙ୍କ ଅର୍ଡର ମୁତାବକ ତାଙ୍କ ନିକଟରେ ଖାଦ୍ୟ ପହଁଚାଉଛୁ। ଦୈନିକ ରୋଜଗାର ଯାହା ହେଉନା କାହିଁକି ଏଭଳି ଦୁର୍ଦ୍ଦିନ ସମୟରେ ଲୋକଙ୍କ ସେବା କରିବାରେ ସୁଯୋଗ ମିଳିଥିବାରୁ ସେ ବେଶ୍‌ ଖୁସି ବୋଲି କହିଛନ୍ତି। ଅନୁରୂପ ଭାବେ ରାସନ ଦୋକାନ ଡେଲିଭରି ବଏଙ୍କର ମଧ୍ୟ ସେତିତି ଗୁରୁତ୍ବ ବଢ଼ି ଯାଇଛନ୍ତି। ସହରର ପ୍ଲାଣ୍ଟସାଇଟ୍‌, ସେକ୍ଟର-୧୫, ପାୱାର ହାଉସ୍‌ ରୋଡ୍‌, ଷ୍ଟେସନ୍‌ ରୋଡ୍‌, ବନ୍ଧମୁଣ୍ଡା, ବାସନ୍ତୀ କଲୋନି, ସିଭିଲଟାଉନସିପ୍‌, କଳିଙ୍ଗ ବିହାର, ଫର୍ଟିଲାଇଜର, ସେକ୍ଟର-୨୨, ଟାଙ୍ଗରପାଲି, ଦେଓଗାଁ, ପାନପୋଷ ରୋଡ୍‌, ଡେଲିମାର୍କେଟ, ଉଦିତନଗର, ଗୁରୁଦ୍ବାରା ରୋଡ, ଦଣ୍ଡିଆପାଲି, କୋଏଲନଗର, ଜଗଦା ପ୍ରମୁଖ ଜାଗାରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ୪୦ରୁ ଅଧିକ ରାସନ ଦୋକାନ ତାଲିକା ପ୍ରସ୍ତୁତ କରିଛି। ଯେଉଁମାନେ ସହରବାସୀଙ୍କ ଫୋନ୍‌ ଅର୍ଡର ଅନୁଯାୟୀ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଞ୍ଚାଉଛନ୍ତି। ଏଥିରେ ଆଗରେ ଅଛନ୍ତି ବିଗ୍‌ ବଜାର, ସିଟି ସୁପର ବଜାର୍‌ , ବିଶାଳ ମେଗା ମାର୍ଟ, ଚିଲିକା ଗ୍ରୋ‌ସରି, ଗୁଡ୍‌ସ କ୍ଲବ ସୁପର ମାର୍କେଟ, ଏନ୍‌ଏସ୍‌ଓ ସର୍ଭିସ୍‌ ପ୍ରାଇଭେଟ୍‌ ଲିମି‌ଟେଡ୍‌, କେଡିଆ ଡେଲି ନିଡ୍‌ସ ଇତ୍ୟାଦି। ଲକ୍‌ ଡାଉନ୍‌ ପରେ ହୋମ୍‌ ଡେଲିଭରି ଢ଼େର ବଢ଼ି ଯାଇଛନ୍ତି। ଏସବୁ ରାସନ ଦୋକାନରେ କାମ କରୁଥିବା ଡେଲିଭରି ବଏ ସକାଳ ୯ଟାରୁ ଆରମ୍ଭ କରି ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ପରିଶ୍ରମ କରୁଛନ୍ତି। ସ୍ମାର୍ଟ ସିଟିର ଡେଲିଭରି ବଏଙ୍କ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର