ବନ୍ଧମୁଣ୍ଡା: ରାଉରକେଲା ରେଳଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଗର୍ଭବତୀ ରେଳଯାତ୍ରୀ ରାଉରକେଲା ରେଳଷ୍ଟେସନର ୨ ନମ୍ବର ପ୍ଲାଟ୍ଫର୍ମରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ପ୍ରସବ ପରେ ଉଭୟ ମା’ ଓ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହିଳାଜଣକ ବିହାର ପାଟଣା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ମହିଳାଯାତ୍ରୀ ତାଙ୍କ ସ୍ୱାମୀଙ୍କ ସହ ପାଟନା-ସିକନ୍ଦରାବାଦ ସ୍ପେଶାଲ ଏକ୍ସପ୍ରେସ ଟ୍ରେନ୍ରେ ଯାତ୍ରା କରୁଥିଲେ। ଯାତ୍ରା ସମୟରେ ଗୁରୁବାର ସକାଳେ ମହିଳାଜଣକ ଟ୍ରେନ୍ରେ ପ୍ରସବଯନ୍ତ୍ରଣା ଅନୁଭବ କରିଥିଲେ। ସେତେବେଳେ ଟ୍ରେନ୍ରେ ଉପସ୍ଥିତ ଥିବା ଟିଟିଇ ଏ ବିଷୟରେ ସୂଚନା ପାଇଲା ପରେ ରାଉରକେଲା ଷ୍ଟେସନକୁ ସୂଚନା ଦେଇଥିଲେ। ଟ୍ରେନ୍ ଷ୍ଟେସନରେ ପହଞ୍ଚିବାପରେ ମହିଳାଙ୍କୁ ଓହ୍ଲାଇ ଦିଆଯାଇଥିଲା।
ପୂର୍ବରୁ ସୂଚନାପାଇ ଷ୍ଟେସନରେ ଉପସ୍ଥିତ ମହିଳା ଆର୍ପିଏଫ୍ ଟିମ୍ ଆସନ୍ନପ୍ରସବା ମହିଳାଙ୍କୁ ସହଯୋଗ କରିବା ସହ ପ୍ଲାଟ୍ଫର୍ମରେ ଏକ ଚାଦରକୁ ଘେରି ଦେଇଥିଲେ। ଏହିସମୟରେ ରାଉରକେଲା ରେଳବାଇ ଡାକ୍ତରଖାନାର ଡାକ୍ତର ପ୍ରକାଶ କୁମାର ଓ ନର୍ସ ମିନିମା ଟପ୍ପୋ ପ୍ଲାଟ୍ଫର୍ମରେ ପହଞ୍ଚିଥିଲେ। ଡ. ପ୍ରକାଶ କୁମାରଙ୍କ ତତ୍ତ୍ବାବଧାନରେ ମହିଳାଙ୍କର ପ୍ଲାଟ୍ଫର୍ମରେ ପ୍ରସବ କରାଯାଇଥିଲା। ସେଠାରେ ମହିଳା ଏକ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲେ। ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି ବୋଲି ଡ. ପ୍ରକାଶ କହିଛନ୍ତି। ଆର୍ପିଏଫ୍ ପକ୍ଷରୁ ଉଭୟଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁକୁ ଜନ୍ମଦେବା ପରେ ମହିଳାଜଣକ ରେଳ ଡାକ୍ତର ପ୍ରକାଶ, ନର୍ସ ଏବଂ ମହିଳା ଆର୍ପିଏଫ୍ ଟିମ୍କୁ କୃତଜ୍ଞତା ଜଣାଇଛନ୍ତି।