କଲ୍ୟାଣସିଂହପୁରରେ ଜନନୀ ଯାତନା

ରାସ୍ତାକଡ଼ରେ ପ୍ରସବ, ଭାରରେ ବୁହା

କଲ୍ୟାଣସିଂହପୁର ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ରେ ଜନନୀ ଯାତନା ଥମିବାର ନାମ ନେଉନି। ପୁଣି ଗୋଟିଏ ଦିନରେ ଦୁଇ ଜଣ ଗର୍ଭବତୀ ହିନସ୍ତା ହୋଇଛନ୍ତି। ଜଣେ ଗର୍ଭବତୀ ରାସ୍ତାକଡରେ ପ୍ରସବ କରିଥିବା ବେଳେ ଅନ୍ୟ ଜଣେ ପ୍ରସୂତି ଭାରରେ ୧୨କିଲୋମିଟର ବୁହା ହୋଇ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଉଭୟ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଦୁର୍ଗମ ଅଞ୍ଚଳରେ ସରକାରଙ୍କ ବାଇକ୍‌ ଆମ୍ବୁଲାନ୍ସ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନାନୁଯାୟୀ, ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପଲ୍ଲୀଗାଁର ଅଭିମନ୍ୟୁ ବଚ୍ଚାଙ୍କ ପତ୍ନୀ ଇନ୍ଦୁବତୀ(୩୭) ଆଜି ସକାଳ ପ୍ରାୟ ୮ଟାରେ ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ଅଭିମନ୍ୟୁ ଆଶା କର୍ମୀ ପ୍ରତିମା ନାୟକଙ୍କ ସହ ଇନ୍ଦୁବତୀଙ୍କୁ ଅଟୋରେ ୨୧କିଲୋମିଟର ଦୂର କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ରାୟଗଡ଼ା ନେଇଯିବାକୁ ପରାମର୍ଶ ଦେଇଥିଲେ। ତେବେ ପାଖରେ ଆବଶ୍ୟକ ଟଙ୍କା ନଥିବା ସାଙ୍ଗକୁ ଆଜି ବିଜେଡିର ହରତାଳ ଯୋଗୁଁ ସେମାନେ ଘରକୁ ଯାଇ ଆସନ୍ତାକାଲି ସକାଳେ ରାୟଗଡା ମେଡିକାଲ ଯିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ସେମାନେ ସେହି ଅଟୋରେ ଫେରୁଥିବା ବେଳେ ଅପରାହ୍ନ ପ୍ରାୟ ଗୋଟାଏ ବେଳେ କସିଗୁଡ଼ା ନିକଟରେ ଇନ୍ଦୁବତୀଙ୍କର ପ୍ରବଳ ଯନ୍ତ୍ରଣା ହୋଇଥିଲା। ଫଳରେ ସେହିଠାରେ ହିଁ ସେ ଏକ ଶିଶୁକନ୍ୟାକୁ ପ୍ରସବ କରିଥିଲେ।
ପ୍ରସବ ସମୟରେ କିଛି ମହିଳା ଚାରିପଟୁ ଶାଢ଼ି ଧରି ଠିଆ ହୋଇ ରହିଥିଲେ। ଏହି ଦୃଶ୍ୟ ଗଣମାଧ୍ୟମ ନଜରରେ ପଡ଼ିବାରୁ ପ୍ରସୂତିଙ୍କୁ ପୁଣି କଲ୍ୟାଣସିଂହପୁର ମେଡିକାଲ ନିଆଯାଇଥିଲା। ଏ ସମ୍ପର୍କରେ ଡା.ଲକ୍ଷ୍ମୀକାନ୍ତ ସାହୁଙ୍କୁ ପଚାରିବାରୁ ଏଠାରେ ପ୍ରସବ ପାଇଁ ଉତ୍ତମ ସୁବିଧା ନଥିବାରୁ ସେ ରାୟଗଡ଼ା ନେବାକୁ ପରାମର୍ଶ ଦେଇଥିଲେ। ହେଲେ ବାଟରେ ପ୍ରସବ ହେବାରୁ ପୁଣି ମେଡିକାଲକୁ ଅଣାଯାଇଥିଲା। ଏବେ ଉଭୟ ମା’ ଓ ଶିଶୁର ଚିକିତ୍ସା ଚାଲିଛି। ପ୍ରସୂତିଙ୍କ ଅବସ୍ଥା ଭଲ ରହିଥିବା ବେଳେ ଶିଶୁର ଓଜନ କମ ରହିଥିବାରୁ ରାୟଗଡ଼ା ମେଡିକାଲକୁ ପଠାଯାଇଛି ବୋଲି କହିଥିଲେ।
ସେହିପରି ଦ୍ୱିତୀୟ ଘଟଣାରେ ବ୍ଲକ୍‌ର ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ଟେଭାପଟା ଗାଁର ଜଣେ ପ୍ରସୂତିଙ୍କୁ ପ୍ରାୟ ୧୨କିଲୋମିଟର ଭାର କରି ଅଣାଯାଇଛି। ସୂଚନାନୁଯାୟୀ, ପ୍ରାୟ ୧୪ ଦିନ ତଳେ ଗ୍ରାମର ଜାଣ୍ଡୁ କାଡ୍ରାକାଙ୍କ ପତ୍ନୀ ହୁଣ୍ଡାଡ଼ିି(୨୧) ପ୍ରସବ କରିଥିଲେ। ଦୁଇ ଦିନ ତଳେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ସହ ଆଜି ସକାଳେ ଅବସ୍ଥା ଆହୁରି ସାଂଘାତିକ ହେବାରୁ ସ୍ୱାମୀ ଜାଣ୍ଡୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମାତ୍ର ସେପଟୁ କୌଣସି ଉତ୍ତର ନମିଳିବାରୁ ସେ ବାଧ୍ୟ ହୋଇ କମ୍ବଳକୁ ଭାର କରି ସେଥିରେ ହୁଣ୍ଡାଡ଼ି ଓ ନବଜାତ ଶିଶୁକୁ ଧରି ହସ୍ପିଟାଲ ବାହାରିଥିଲେ। ସମ୍ପର୍କୀୟଙ୍କ ସହାୟତାରେ ପାହାଡ଼ିଆ ରାସ୍ତା ପାର କରି ଜାମ୍ବପଦର ଗାଁ ନିକଟକୁ ଆଣିଥିଲେ। ସେଠାରେ ପୁଣି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଁ କୌଣସି ସ୍ପଷ୍ଟ ଉତ୍ତର ମିଳିନଥିଲା। ଅପେକ୍ଷା କରିବାକୁ କୁହାଯାଇଥିଲା। ଅନ୍ୟପଟେ ହୁଣ୍ଡାଡ଼ିଙ୍କ ଅବସ୍ଥା ଗୁରୁତର ହେବାରୁ ବାଧ୍ୟ ହୋଇ ୧୨ କିଲୋମିଟର ବାଟ ଭାର କରି ବଡ଼ଦ୍ୱାର ସାହିକୁ ଆଣିଥିଲେ। ନବଜାତ ଶିଶୁକୁ ଭୋକ ଲାଗିବାରୁ ସେଠାରେ କିଛି ସମୟ ଅପେକ୍ଷା କରିଥିବା ବେଳେ ପାର୍ସାଲିକୁ ଔଷଧ ନେଇ ଯାଉଥିବା ଏମ୍‌ଏଚ୍‌ୟୁ ଆମ୍ବୁଲାନ୍ସ ନଜରରେ ଏହା ପଡ଼ିଥିଲା। ଏହାପରେ ମା’ ଓ ଶିଶୁକୁ ଆମ୍ବୁଲାନ୍ସରେ ମାଝିଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର