ହରିଚନ୍ଦନପୁର: ଗାଁକୁ ରାସ୍ତା ନଥିବାରୁ ଘର ପାଖରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଦୁଇ କିଲୋମିଟର ଦୂରରେ ଛିଡ଼ା ହେଲା। ପରିବାରଲୋକେ ଅନ୍ୟ କୌଣସି ଉପାୟ ନପାଇ ପ୍ରସବ ଯନ୍ତ୍ରଣା ଭୋଗୁଥିବା ମହିଳାଙ୍କୁ ଦୁଇ କିଲୋମିଟର ଚଲେଇବା ସହ ତିନିଟି ନାଳ ପାର କରାଇ ଆମ୍ବୁଲାନ୍ସ ପାଖକୁ ଆଣିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି। ଜନନୀ ଯନ୍ତ୍ରଣାର ଏଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳା ଗ୍ରାମରେ।

Advertisment

ବଡ଼ପଳାଶପାଳ ପଞ୍ଚାୟତର ରାଣୀପଦା, ନୋଲ, କହ୍ନେଇଗୋଳା ଓ ବାଉଁରୁ ଗ୍ରାମରେ ଜୁଆଙ୍ଗ ଜନଜାତିର ଲୋକେ ବାସ କରନ୍ତି। ଦୁଇ ବର୍ଷ ତଳେ ବଡ଼ପଳାଶପାଳ ପଞ୍ଚାୟତ ମୁଖ୍ୟାଳୟରୁ ରାଣୀପଦା ଗ୍ରାମ ପର୍ଯ୍ୟନ୍ତ ୮ କିମି ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କରାଯାଇଛି। କିନ୍ତୁ ନୋଲ, କହ୍ନେଇଗୋଳା ଓ ବାଉଁରୁ ଗ୍ରାମକୁ ଏଯାଏ ରାସ୍ତା ନିର୍ମାଣ ହୋଇନି। ରାଣୀପଦାରୁ କହ୍ନେଇଗୋଳା ସଂଯୋଗ କରୁଥିବା ମାଟି ରାସ୍ତାରେ ତିନିଟି ନାଳ ପଡ଼େ। ବର୍ଷାଦିନେ ଏହି ରାସ୍ତାରେ ଗାଡ଼ିମୋଟର ଯାଇପାରେ ନାହିଁ। କହ୍ନେଇଗୋଳା ଗ୍ରାମର ଦୁଃଶାସନ ଜୁଆଙ୍ଗଙ୍କ ପତ୍ନୀ କଞ୍ଚାନ ଆଜି ସକାଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏନେଇ ଦୁଃଶାସନ ଆଶାକର୍ମୀ ପୁଷ୍ପା ଜୁଆଙ୍ଗଙ୍କୁ ଖବର ଦେଇଥିଲେ। ଗାଁରେ ମୋବାଇଲ ନେଟ୍‌ୱର୍କ ନଥିବାରୁ ପୁଷ୍ପା ପାହାଡ଼ ଉପରକୁ ଯାଇ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଆମ୍ବୁଲାନ୍ସଟି ରାଣୀପଦା ଗାଁ ପର୍ଯ୍ୟନ୍ତ ଆସିଥିଲା।

ସ୍ବାମୀ ଦୁଃଶାସନ, ଶାଶୂ ପାର ଓ ଆଶାକର୍ମୀ ପୁଷ୍ପା ଚଲାଇ ଚାଲାଇ କଞ୍ଚାନଙ୍କୁ ଦୁଇ କିଲୋମିଟର ଦୂରରେ ଥିବା ଆମ୍ବୁଲାନ୍ସ ପାଖକୁ ଆଣିଥିଲେ। ଦୁଇ କି.ମି ରାସ୍ତାରେ ସେମା‌ନଙ୍କୁ ତିନିଟି ନାଳ ପାରି ହେବାକୁ ପଡ଼ିଥିଲା। ପ୍ରଥମ ଦୁଇଟି ନାଳରେ ଅଳ୍ପ ପାଣି ଥିବାରୁ କୌଣସି ସମସ୍ୟା ହୋଇ ନଥିଲା। ମୂଷଳ ନାଳରେ ତିନିଫୁଟ ପାଣି ସହ ସ୍ରୋତ ପ୍ରଖର ଥିଲା। ବହୁ କଷ୍ଟରେ କଞ୍ଚାନଙ୍କୁ ନାଳ ପାରି କରିବାକୁ ପଡ଼ିଥିଲା ବୋଲି ଆଶାକର୍ମୀ ପୁଷ୍ପା କହିଛନ୍ତି। କାଞ୍ଚନଙ୍କୁ ରାଣୀପଦାରୁ ହରିଚନ୍ଦନପୁର ଡାକ୍ତରଖାନାକୁ ଆମ୍ବୁଲାନ୍ସରେ ଅଣାଯାଇଛି।

ରାଣୀପଦାରୁ କହ୍ନେଇଗୋଳା ଭାୟା ନୋଲ ଓ ରାଣୀପଦାରୁ କହ୍ନେଇଗୋଳା ଭାୟା ସରେଇ ଗ୍ରାମ ଦେଇ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବ୍ଲକ୍‌ ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଆସୁଛନ୍ତି। ଏପରିକି ୨୦୧୯ ସାଧାରଣ ନିର୍ବାଚନରେ ଲୋକେ ଭୋଟ୍‌ ବର୍ଜନ କରିଥିଲେ। ଏହା ପରେ ରାସ୍ତା ଓ ନାଳଗୁଡ଼ିକ ଉପରେ ପୋଲ ନିର୍ମାଣ ପାଇଁ ସର୍ଭେ କରାଯାଇଛି। ହେଲେ ନିର୍ମାଣ କାମ ଆରମ୍ଭ ହେଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କ ସମସ୍ୟାକୁ ଦୃଷ୍ଟି ଦେଇ ତୁରନ୍ତ ଏଠାରେ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ଲୋକେ ଦାବି ‌କରିଛନ୍ତି।