ବାଲେଶ୍ବର: ୧୬ ନମ୍ବର ଜାତୀୟ ରାଜପଥର ବାଲେଶ୍ବର ଜିଲ୍ଲା ମଇତାପୁର, ମାର୍କୋଣା, ଜାମୁଝାଡ଼ି, ସିମୁଳିଆ, ତଳନଗର, ସୋର, ଛପୁଲିଆ, ଦହିସଡ଼ା, ବିଦୁ, ବାରିକପୁର, ବାହାନଗା, ବଗଲପୁର, ପଣପଣା, ଖନ୍ତାପଡ଼ା, ସେରଗଡ଼, ବଣପାରିଆ, ଛଣପୁର, ବାମପଦା, ରେମୁଣାଗୋଲେଇ, ନୂଆଗାଁ, ମଙ୍ଗଳପୁର, ନହରପାଟଣା ଆଦି ଅଞ୍ଚଳରେ ଉଭୟ ପାର୍ଶ୍ବ ସଂପ୍ରସାରଣ ଉଦ୍ଦେଶ୍ୟରେ ଖୋଳାଯାଇ ନିର୍ମାଣ କାମ ଚାଲିଛି। କିନ୍ତୁ ୩ ବର୍ଷ ଧରି ଏହି କାମ ଚାଲିଥିଲେ ହେଁ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ପ୍ରତିଦିନ ଧୂଳିଧୂଆଁରେ ଅଞ୍ଚଳବାସୀ ହନ୍ତସନ୍ତ ହେଉଥିବା ବେଳେ ଏନ୍‌ଏଚ୍‌ଏଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଉନଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଥାଉକି, ଚେନ୍ନାଇ ଠାରୁ ‌କୋଲକାତାକୁ ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥର ବାଲେଶ୍ବର ଜିଲ୍ଲା ଏବେ ସବୁଠୁ ବିପଦସଂକୁଳ। ୬ ଥାକିଆ ରାସ୍ତା ପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ ରାସ୍ତାର ସମ୍ପ୍ରସାରଣ କାମ ଚାଲିଛି। ପ୍ରତ୍ୟେକ ଛକମାନଙ୍କରେ ଫ୍ଲାଏ ଓଭର ନିର୍ମାଣ କରାଯାଉଛି। ଯେଉଁଥି ପାଇଁ ଅନେକ ଜାଗାରେ ରାଜପଥକୁ ଏକକ ରାସ୍ତା ବା ସିଙ୍ଗଲ-ୱେରେ ପରିଣତ କରାଯାଇଛି। ଭଦ୍ରକ ଜିଲ୍ଲାରୁ ବାଲେଶ୍ବର ଆଡ଼କୁ ଆସିଲେ ପ୍ରଥମେ ମଇତାପୁର ଠାରେ ରାସ୍ତା ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଖୋଳାଯାଇ ଛାଡ଼ି ଦିଆଯାଇଛି। ସେହିପରି ସିମୁଳିଆ କଲେଜଠାରେ ଅଧା କିଲୋମିଟର, ମାକୋର୍ଣା ଛକରୁ ତହସିଲ ପର୍ଯ୍ୟନ୍ତ ଅଧା କିଲୋମିଟର, ଜାମୁଝାଡ଼ି ଛକରୁ ତଳନଗର ୯ କିଲୋମିଟର, ସୋରରୁ ଦହିସଡ଼ା, ବାରିକପୁରରୁ ବାହାନଗା, ସେରଗଡ଼ରୁ ବଣପାରିଆ‌, କୁରୁଡ଼ାରୁ ବାମପଦା, ରେମୁଣାଗୋଲେଇରୁ ନହରପାଟଣା ପର୍ଯ୍ୟନ୍ତ ଏପରି ଚିତ୍ର ଦେଖାବାକୁ ମିଳିଛି। ଅନେକ ସ୍ଥାନରେ ରାସ୍ତାର ଉଭୟ ପାର୍ଶ୍ବ ଖୋଳାଯାଇଥିବା କାରଣରୁ କାର୍ଯ୍ୟ ମଧ୍ୟ ଆଗଉ ନାହିଁ।

ଏଭଳି ସ୍ଥିତିରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୈନିକ ଏହି ରାସ୍ତାରେ ପାଣି ସିଞ୍ଚନ କିପରି ହେବ, ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ କିପରି ହେବ ସେଥିପ୍ରତି କାହାରି ନିଘା ନାହିଁ। ଫଳରେ ଦୁର୍ଘଟଣାର ମାତ୍ରା ବୃଦ୍ଧି ପାଉଛି। ବିଶେଷ କରି ବାଲେଶ୍ବର, ବାରିପଦା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରୁ ଭୁବନେଶ୍ବର ଏବଂ ରାଜ୍ୟର ଅନ୍ୟ ସହରକୁ ଯାତାୟତ କରୁଥିବା ବସ୍‌ ଏବଂ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ବି ରାଜପଥ କାମ ଯୋଗୁ ବାଧାପ୍ରାପ୍ତ ହେଉଛି। ବେଳେ ବେଳେ ଏମିତି ସମସ୍ୟା ଉପୁଜିଛି, ଜାତୀୟ ରାଜପଥର କିଲୋମିଟର କିଲୋମିଟର ଦୂର ପର୍ଯ୍ୟନ୍ତ ଟ୍ରକ, ବସ୍‌ର ଲମ୍ବା ଲାଇନ୍‌ ହୋଇ ରହୁଛି। ସେହିପରି କାମର ଗୁଣବତ୍ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା। ଯେଉଁଠି କାମ ଚାଲିଛି, ସେଠାରେ କାମ ନସରୁଣୁ ରାସ୍ତା ଖରାପ ହେବା ଆରମ୍ଭ କଲାଣି। ମରାମତି ଅଭାବରୁ ଅଧିକାଂଶ ସ୍ଥାନରେ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ସେହିପରି ନିର୍ମାଣ କାମ ଚାଲିଥିବାରୁ ଜାତୀୟ ରାଜପଥରେ ଆଲୋକ ବ୍ୟବସ୍ଥା ନାହିଁ। ତା ଭିତରେ ରାତିରେ ଗାଡ଼ି ଚଳାଇବା ଜୀବନ ପ୍ରତି ବିପଦପୂର୍ଣ୍ଣ ସାଜିଛି।

ଏହି କାମ କେବେ ସରିବ ଏବଂ ଅବ୍ୟବସ୍ଥା ନେଇ ଏନ୍‌ଏଚ୍‌ଏଆଇ-୧୬ର ବାଲେଶ୍ବର ଅଧିକାରୀ ଜୟପ୍ରକାଶ ବର୍ମାଙ୍କ ସହ ଯୋଗାଯୋଗ କରିବାରୁ ଏହି କାମ ବ୍ରିଜ୍‌ଗୋପାଲ କନଷ୍ଟ୍ରକ୍ସନ କମ୍ପାନିକୁ ଦିଆଯାଇଛି। ୬୫ କିଲୋମିଟର ରାସ୍ତା ସମ୍ପ୍ରସାରଣ ସହ ଓଭରବ୍ରିଜ୍, ଅଣ୍ଡରପାସ, ଡ୍ରେନ୍‌ ଓ ସର୍ଭିସ୍‌ ରୋଡ଼ ଆଦିକୁ ନେଇ ଏହି ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କାର ଅନୁଦାନ ଆସିଥିବା ବେଳେ ୨୦୧୯ରୁ କାମ ଆରମ୍ଭ ହୋଇ ୨୦୨୧ରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କରୋନା କାରଣରୁ କାମ ବିଳମ୍ବ ହୋଇଥିବା ବେଳେ ଏପଟେ ଆବଶ୍ୟକ ନିର୍ମାଣ ସାମଗ୍ରୀ(ମ୍ୟାଟେରିଆଲ୍ସ) ମିଳୁନାହିଁ। ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇ ଖୁବଶୀଘ୍ର କିପରି ଏହି କାମ ସରିପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ତିନି ବର୍ଷରେ ବର୍ତ୍ତମାନ ପ୍ରକଳ୍ପର ୫୦ ପ୍ରତିଶତ କାମ ଶେଷ ହୋଇଥିବା କୁହାଯାଇଥିବା ବେଳେ ଅବଶିଷ୍ଟ କାମ କେବେ ସରିବ ସେନେଇ ପ୍ରଶ୍ନ ଉଠିଛି।