କୋଭିଡ-୧୯: ଓଡ଼ିଶାରେ ଜଣେ ବ୍ୟକ୍ତି ଚିହ୍ନଟ ହେଲେ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ

ଭୁବନେଶ୍ୱର: କୋଭିଡ-୧୯ର ୨ୟ ଲହର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ ଓଡ଼ିଶାରେ ଚିହ୍ନଟ ହୋଇଛି । ରାଜ୍ୟରେ ଏହା ହେଉଛି ପ୍ରଥମ ଘଟଣା । ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲର ନିର୍ଦ୍ଦେଶକ ଏନେଇ ସୂଚନା ପ୍ରଦାନ କରିଛନ୍ତି । ଏପର୍ଯ୍ୟନ୍ତ ୧୦ଟି ରାଜ୍ୟରେ ଡେଲ୍ଟା ପ୍ଲସ ରୋଗୀ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ଦେବଗଡ଼ ଜିଲ୍ଲାରେ ଜଣେ ବ୍ୟକ୍ତି ଡେଲ୍‌ଟା ପ୍ଲସ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କର ଯାତ୍ରା ବିବରଣୀ ଉପରେ ଅନୁଧ୍ୟାନ କରାଯାଉଛି । ସେ କେଉଁ ରାଜ୍ୟରୁ ଆସିଥିଲେ ଅବା ଓଡ଼ିଶାରେ ଥାଇ ସଂକ୍ରମିତ ହୋଇଛନ୍ତି, ସେନେଇ ଅନୁଧ୍ୟାନ ଜାରି ରହିଛି ।

ଡେଲ୍‌ଟା ପ୍ଲସ ଭାରିଆଣ୍ଟ ନେଇ ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି, ରୋଗୀଙ୍କ ପାଖକୁ ଯାଇ ଅନୁସନ୍ଧାନ କଲେ ଅଧିକ କଥା କହିହେବ । ଡେଲ୍‌ଟାର ଉପପ୍ରଜାତି ହେଉଛି ଡେଲ୍‌ଟା ପ୍ଲସ । ବର୍ତ୍ତମାନ କାଁ ଭାଁ ସ୍ଥାନରେ ଡେଲ୍‌ଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହେଉଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ମହାରାଷ୍ଟ୍ରରୁ ୨୦, ତାମିଲନାଡୁରୁ ୯, ମଧ୍ୟପ୍ରଦେଶରୁ ୭, କେରଳରୁ ୩, ପଞ୍ଜାବ ଓ ଗୁଜୁରାଟରୁ ୨ ଜଣ ଲେଖାଏଁ, ଓଡିଶା, ରାଜସ୍ଥାନ, ଜାମ୍ମୁ କାଶ୍ମୀର ଓ କର୍ଣ୍ଣାଟକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଡେଲଟା ପ୍ଲସ ଭ୍ୟାରିଆଣ୍ଟରେ ଜଣଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର