ଓଡ଼ିଶାରେ ବି ପ୍ରଭାବ ବିସ୍ତାର କରିଛି ଡେଲ୍‌ଟା ଭାରିଏଣ୍ଟ

କୌଣସି ନମୁନାରେ ନାହିଁ ବିଟା ଭାରିଏଣ୍ଟ

ଭୁବନେଶ୍ବର : ଦେଶ ତଥା ବିଦେଶରେ ଆତଙ୍କ ସୃଷ୍ଟି ‌କରିଥିବା ଡବଲ ମ୍ୟୁଟାଣ୍ଟ(ବି.୧.୬୧୭)ର ଡେଲ୍‌ଟା ଭାରିଏଣ୍ଟ ଓଡ଼ିଶାରେ ମଧ୍ୟ ନିଜର ଯଥେଷ୍ଟ ପ୍ରଭାବ ବିସ୍ତାର କରିଛି। ରାଜ୍ୟରେ ଯେତିକି ସଂଖ୍ୟକ କରୋନା ଭୂତାଣୁର ଜିନ୍ ଅନୁଶୀଳନ କରାଯାଇଛି, ତହିଁରୁ ୧୩ପ୍ରତିଶତ ଡେଲ୍‌ଟା ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହା ତୁଳନାରେ ଭୂତାଣରୁ ଅନ୍ୟ ଭାରିଏଣ୍ଟ କମ୍ ପ୍ରତିଶତରେ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମଣ ହଠାତ୍ ବୃଦ୍ଧି ପାଇବା ଓ ଅଧିକ ସଂଖ୍ୟାରେ ଯୁବବର୍ଗ ସଂକ୍ରମିତ ହେବା ପଛରେ ଡେଲ୍‌ଟା ଭାରିଏଣ୍ଟ ରହିଥିବା କୁହାଯାଉଛି।

ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ପକ୍ଷରୁ ବିଭିନ୍ନ ଦେଶରେ କରେନାର ବିଭିନ୍ନ ଭାରିଏଣ୍ଟର ନାମକରଣ କରାଯାଇଛି। ଏଥିରେ ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ବି.୧.୬୧୭ ମଧ୍ୟ ରହିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ସମୁଦାୟ ୧୩୦୭ ନମୁନା ସଂଗ୍ରହ ହୋଇଥିବା ବେଳେ ତହିଁରୁ ୭୦୮ର ଜିନ୍ ଅନୁଶୀଳନ କରାଯାଇଛି। ଏଥିରୁ ୨୨୮ ନମୁନାରେ ମ୍ୟୁଟେସନ୍‌ ଚିହ୍ନଟ ହୋଇଛି। ତହିଁରୁ ୧୫୩ ନମୁନା ଅର୍ଥାତ୍ ୬୭ ପ୍ରତିଶତ ବିଭିନ୍ନ ଭାରତୀୟ ଭାରିଏଣ୍ଟ ରହିଛି। ସେହିପରି ଡବଲ ମ୍ୟୁଟାଣ୍ଟର ଅନ୍ୟତମ ଲିନିଏଜ୍ (ବି.୧.୬୧୭-୨ ବା ଡେଲ୍‌ଟା) ୧୩ ପ୍ରତିଶତ ରହିଛି। ୪୫ଟି ନମୁନାରେ ବ୍ରିଟେନ୍‌ରେ ପ୍ରଥମେ ଚିହ୍ନଟ ହୋଇଥିବା ଆଲ୍‌ଫା(ବି.୧.୧.୭), ୧୯୮ଟି ନମୁନାରେ ଅନ୍ୟ ମ୍ୟୁଟେସନ୍‌ ରହିଛି। ତେବେ ଦକ୍ଷିଣ ଆଫ୍ରିକା‌ରେ ପ୍ରଥମ ଚିହ୍ନଟ ହୋଇଥିବା ବିଟା ଭାରିଏଣ୍ଟ(ବି.୧.୩୫୧) ଓଡ଼ିଶାରେ ଚିହ୍ନଟ ହୋଇନାହିଁ।

ଆଇସିଏମ୍‌ଆରର ପୂର୍ବତନ ଉପଦେଷ୍ଟା ଡା. ତ୍ରିଭୁବନ ମହାପାତ୍ରଙ୍କ କହିବା କଥା, ଡେଲ୍‌ଟା ଭାରିଏଣ୍ଟ ଦେଶର ଏକାଧିକ ରାଜ୍ୟରେ ନିଜର ପ୍ରଭାବ ବିସ୍ତାର କରିଛି। ଓଡ଼ିଶାରେ ଏହା ବିସ୍ତାର କରିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଏହି ଭାରିଏଣ୍ଟ ଭୂତାଣୁ ଯୋଗୁଁ ସଂକ୍ରମଣ ଓ ମୃତ୍ୟୁ ଅଧିକ ହେଉଛି। ଏହି ଭାରିଏଣ୍ଟରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କୁ ବି ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଛି। ଛତିଶଗଡ଼ରେ ଏହି ଭାରିଏଣ୍ଟ ଆତଙ୍କ ସୃଷ୍ଟି କରିଥିବା ବେଳେ ଏଥିପାଇଁ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ହଠାତ୍ ବୃଦ୍ଧି ପାଇଥିଲା। ରାଜ୍ୟରେ ଅଧିକ ସଂଖ୍ୟାରେ ଜିନ୍ ଅନୁଶୀଳନ କରାଗଲେ ଭାରିଏଣ୍ଟ ସଂପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଡା. ମହାପାତ୍ର କହିଛନ୍ତି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଭାରତରେ କରୋନାର ଅନେକ ଭାରିଏଣ୍ଟ ଚିହ୍ନଟ ହୋଇଥିଲେ ହେଁ ଏହି ଭାରିଏଣ୍ଟମାନେ ଅଧିକ ମାତ୍ରାରେ ପ୍ରଭାବ ବିସ୍ତାର କରିପାରି ନ ଥିଲେ। ମାତ୍ର ଡବଲ ମ୍ୟୁଟାଣ୍ଟର ଡେଲ୍‌ଟା ଭାରିଏଣ୍ଟ ଅଧିକ ମାତ୍ରାରେ ସଂକ୍ରମିତ କରିଥିଲା। ଫଳରେ କେବଳ ଓଡ଼ିଶା‌ରେ ନୁହେଁ, ଦେଶର ଏକାଧିକ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା।

ବରିଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ର କହିଛନ୍ତି, ପୂର୍ବର କରୋନା ଭୂତାଣୁରେ ସଂକ୍ରମିତ ହେଲେ ଜଣେ ସଂକ୍ରମିତ ୨.୫ଲୋକଙ୍କୁ ସଂକ୍ରମିତ କରୁଥିବା ବେଳେ ଡବଲ ମ୍ୟୁଟାଣ୍ଟ ଦ୍ବାରା ଏହା ୫ଟପି ଯାଇଥିଲଶ। ଫଳରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଥିଲା। ଡବଲ ମ୍ୟୁଟାଣ୍ଟ ଦେଶବ୍ୟାପୀ ସଂକ୍ରମଣ ପଛରେ ପ୍ରମୁଖ କାରଣ ବୋଲି କୁହାଯାଉଛି। ଦ୍ବିତୀୟ ଲହରରେ ପଞ୍ଜାବ ଓ ଦିଲ୍ଲୀରେ ଆଲ୍‌ଫା ଭାରିଏଣ୍ଟ ପ୍ରଭାବ ବିସ୍ତାର କରିଥିବା ବେଳେ ପରବର୍ତ୍ତୀ ସମୟରେ ଡବଲ ମ୍ୟୁଟାଣ୍ଟ ହିଁ ସଂକ୍ରମଣ ବଢ଼ାଇଥିଲା। ଏହାଦ୍ବାରା ଅଧିକ ମାତ୍ରାରେ ଯୁବବର୍ଗ ସଂକ୍ରମିତ ହୋଇଥିଲେ। ଯଦିଓ ଡବଲ ମ୍ୟୁଟାଣ୍ଟରେ ଏ ପର୍ଯ୍ୟନ୍ତ ଅଧିକ ମୃତ୍ୟୁ ହେଉଥିବ‌ା ନେଇ କୌଣସି ସୂଚନା ନାହିଁ, ମାତ୍ର ଅଧିକ ସଂଖ୍ୟାରେ ସଂକ୍ରମଣ ବଢ଼ିବା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିଥିବା ‌ଡା. ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର