ଲୋକସଭାରେ ଦାବି କଲେ କଟକ ସାଂସଦ ଭର୍ତ୍ତୃହରି : ରେଭେନ୍‌ସାକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଘୋଷଣା କର

ଭୁବନେଶ୍ବର : ରେଭେନ୍‌ସା ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ତୁରନ୍ତ ଘୋଷଣା କରାଯାଉ। ଆଜି ଲୋକସଭା ଶୂନ୍ୟକାଳରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଏହି ଦାବି କରି କହିଛନ୍ତି ଯେ ଏହା ହେଉଛି ରାଜ୍ୟର ସର୍ବକନିଷ୍ଠ ବିଶ୍ବବିଦ୍ୟାଳୟ। କିନ୍ତୁ ଏହାର ସୁଦୀର୍ଘ ଇତିହାସ ରହିଛି। ୧୮୬୮ ମସିହାରେ ପ୍ରତିଷ୍ଠିତ ଏହି ଉଚ୍ଚତର ଶିକ୍ଷାନୁଷ୍ଠାନ ୧୪୭ ବର୍ଷ ଧରି ମହାବିଦ୍ୟାଳୟ ଭାବେ ଓ ୧୫ବର୍ଷ ଧରି ବିଶ୍ବବିଦ୍ୟାଳୟ ଭାବେ କାର୍ଯ୍ୟ କରୁଛି। ଓଡ଼ିଶା ତଥା ଓଡ଼ିଶା ବାହାରର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷିତ କରିଆସୁଛି। ଏହି ଶିକ୍ଷାନୁଷ୍ଠାନ ଅନେକ ବିଦ୍ବାନ, ବୈଜ୍ଞାନିକ, ସ୍ବାଧୀନତା ସଂଗ୍ରାମୀ, ରାଜନେତାଙ୍କୁ ଜନ୍ମ ଦେଇଛି। ଏହି ବିଶ୍ବବିଦ୍ୟାଳୟରେ ୨୭ଟି ବିଭାଗ ଓ ୨୩ଟି ପିଜି ବିଭାଗ ରହିଛି। ପିଏଚ୍‌ଡି, ଡିଲିଟ୍ ବି। ୨୭ଟି ବିଭାଗରେ ଅଣ୍ଡର ଗ୍ରାଜୁଏଟ୍ ଅନର୍ସ କୋର୍ସ କରାଯାଇଛି। ଶ୍ରୀ ମହାତାବ କହିଥିଲେ, ଓଡ଼ିଶା ରାଜ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ରେଭେନ୍‌ସା ବିଶ୍ବବିଦ୍ୟାଳୟର ସ୍ବର୍ଣ୍ଣିମ ଇତିହାସ ସହ ଏବେକାର ଉଚ୍ଚତର ଶିକ୍ଷାକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ତୁରନ୍ତ ଏହାକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପରିଣତ କରିବା ଦରକାର। ଶ୍ରୀ ମହତାବ ଆହୁରି କହିଥିଲେ ଯେ ବିଭିନ୍ନ ରାଜ୍ୟରେ ଏକାଧିକ ବିଶ୍ବବିଦ୍ୟାଳୟ ଥିବା ବେଳେ ଓଡ଼ିଶାରେ ମାତ୍ର ଗୋଟିଏ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟ ଠାରେ ପରିଚାଳିତ ହେଉଛି। ରେେଭନ୍‌ସା ବିଶ୍ବବିଦ୍ୟାଳୟର ଶିକ୍ଷାର ମାନ ବିଶ୍ବସ୍ତରୀୟ କରିବା ଲକ୍ଷ୍ୟରେ ଏହାକୁ ଶୀଘ୍ର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିବାକୁ ଲୋକସଭାରେ କଟକ ସାଂସଦ ଦୃଷ୍ଟି ଆକର୍ଷଣ କରିଥିଲେ।
ଏଠାରେ ଉଲ୍ଲେଖଥାଉକି, ପୂର୍ବରୁ ଏ ସଂକ୍ରାନ୍ତରେ ଶ୍ରୀ ମହତାବ କେନ୍ଦ୍ରଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କଠାରେ ଦୃଷ୍ଟିଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର