ଭୁବନେଶ୍ବର: ରାଜ୍ୟର ଶିକ୍ଷା ଓ ଚାକିରି କ୍ଷେତ୍ରରେ ପଛୁଆବର୍ଗଙ୍କୁ ୨୭% ସଂରକ୍ଷଣ ଦାବିରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ଛାତ୍ର କଂଗ୍ରେସ ନେତା ଏଥିରେ ସାମିଲ ହୋଇଥିଲେ। ପିସିସି ସଭାପତି ଭକ୍ତଚରଣ ଦାସ ଏହି ଧାରଣାରେ ଯୋଗଦେଇ ସେମାନଙ୍କ ଦାବିକୁ ସମର୍ଥନ କରିଥିଲେ।
ଛାତ୍ର କଂଗ୍ରେସର ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ମୋଟ ଜନସଂଖ୍ୟାର ୫୪% ଅଂଶ ପଛୁଆବର୍ଗ ଥିବା ବେଳେ ସେମାନେ ସମସ୍ତ ଅଧିକାରରୁ ବଞ୍ଚିତ। ପଛୁଆବର୍ଗ ଏହି ସମୟରେ ସାମ୍ବିଧାନିକ ଅଧିକାର ପାଇଁ ନ ଲଢ଼ିଲେ ଆଗକୁ ଏହି ବର୍ଗ ପଛୁଆଶ୍ରେଣୀ ଭାବେ ବିବେଚିତ ହେବେ। ରାଜ୍ୟରେ କୋଟିରୁ ଅଧିକ ଗରିବ ଓବିସି ନାଗରିକ ଅଛନ୍ତି। ଯାହାଙ୍କ ପାଇଁ ସଂରକ୍ଷଣ ଏକ ଆବଶ୍ୟକତା। ବିଜେପି ସରକାର ଓବିସି ବର୍ଗ ସହିତ ଖେଳ ଖେଳୁଛି। ୧୧.୨୫% ସଂରକ୍ଷଣ ଏହି ବର୍ଗ ପାଇଁ ଅନ୍ୟାୟ ଓ ଅପମାନ ସମାନ। ଆଗାମୀ ଦିନରେ ଏହି ଦାବିକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ।