ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଉପରେ ପଶ୍ଚିମ ଓଡ଼ିଶା ସମେତ ଛତିଶଗଡ଼, ଝାରଖଣ୍ଡ ରାଜ୍ୟର ଯାତ୍ରୀ ନିର୍ଭର କରୁଥିବା ବେଳେ ଏକଦା ଏଠାରୁ ଦେଶର ଅନେକ ସ୍ଥାପକୁ ବିମାନ ଉଡ଼ୁଥିଲା। ମାତ୍ର ଏବେ ଏହି ବିମାନବନ୍ଦରରୁ ଦୁଇ ତିନୋଟି ସ୍ଥାନକୁ ବିମାନ ଯାତାୟତ କରୁଛି। ଦିଲ୍ଲୀ ଭଳି ଗୁରୁତ୍ବପୂର୍ଣ୍ଣ ରୁଟ୍‌ରେ ବିମାନ ସେବା ଅନିୟମିତ ହେଉଥିବା ଦେଖାଯାଇଛି। ଏହାର ପ୍ରତିକାର ପାଇଁ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ରେଙ୍ଗାଲି ବିଧାୟକ ନାଉରୀ ନାୟକ ଓ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସାକ୍ଷାତ କରି ଝାରସୁଗୁଡ଼ା ବିମାନ ବନ୍ଦର ପ୍ରତି ତୁରନ୍ତ ଦୃଷ୍ଟିଦେଇ ଏଠାରୁ ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇକୁ ନିୟମିତ ବିମାନସେବା ଯୋଗାଇ ଦେବା ସହିତ ରାଞ୍ଚି ଓ ଜୟପୁରକୁ ବିମ‌ାନସେବା ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ମନ୍ତ୍ରୀ ଶ୍ରୀ ସିନ୍ଧିଆ ଏ ନେଇ ଯଥାଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ବିଜେପି ସଂପାଦକ ଶ୍ରୀ ତ୍ରିପାଠୀ ଜଣାଇଛନ୍ତି।

Advertisment

ଏହା ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ବିମାନ ସେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଜାନୁଆରି ମାସରେ ଭୁବନେଶ୍ବର ଓ ରାଉରକେଲାଠାରେ ହକି ବିଶ୍ବ କପ୍‌ ହେବାକୁ ଥିବାରୁ ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନସେବାକୁ ତ୍ବରାନ୍ବିତ କରିବା ଓ ଅଧିକ ରୁଟ୍‌ରେ ବିମାନ ଚଳାଚଳ ପାଇଁ ରାଜ୍ୟ ଶାସନ ସଚିବ ମଧ୍ୟ କେନ୍ଦ୍ରକୁ ଚିଠି ଲେଖିଥିଲେ।