ଭଦ୍ରକ: ବକେୟା ଦରମା ଦାବିରେ ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜର କର୍ମଚାରୀମାନେ ଆଜି କଲେଜ ପରିସରରେ ଧାରଣାରେ ବସିଛନ୍ତି। ଦରମା ନ ମିଳିବା ଯାଏ ଏହି ଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।
ଭଦ୍ରକର ବହୁ ପୁରାତନ ଓ ପ୍ରତିଷ୍ଠିତ ଯାନ୍ତ୍ରିକ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବରପଦା ଇଞ୍ଜିନିୟରିଂ କଲେଜର ଓଡ଼ିଶାରେ ଏହାର ଏକ ସ୍ବତନ୍ତ୍ର ପରିଚୟ ଥିଲା। ମାତ୍ର ଏହି ଶିକ୍ଷାନୁଷ୍ଠାନର ପରିଚାଳନାଗତ ତ୍ରୁଟି ପାଇଁ ଏହାର ଶୈଶିକ ବାତାବରଣ ଦିନକୁ ଦିନକୁ ହ୍ରାସ ପାଉଛି। ଏହି କଲେଜର ପରିଚାଳନା କମିଟିର କିଛି କର୍ମକର୍ତ୍ତା କଲେଜକୁ ଚଳାଇବାରେ ବିଫଳ ହେବା ପରେ କଲେଜ ଶ୍ରୀହୀନ ହୋଇପଡିଛି। କଲେଜର ବିଭିନ୍ନ ପ୍ରସଙ୍ଗରେ ୨୦୧୫ ମସିହାରେ କଲେଜ ପରିସର ଠାରୁ ଆନ୍ଦୋଳନ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏପରିକି ରାଜଧାନୀରେ ମଧ୍ୟ ଦୀର୍ଘଦିନ ଦିନ ଧରି ଆନ୍ଦୋଳନ ଚାଲିଥିଲା। ଘଟଣାକୁ ନେଇ ଭଦ୍ରକ ରାଜନୀତି ମଧ୍ୟ ଉଠିଥିଲା ପଡିଥିଲା। ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ଇଂ ପ୍ରୟାସକାନ୍ତି ସାମଲ ଓ ତାଙ୍କ ସଂପର୍କୀୟମାନଙ୍କ ହାତରେ ଏହାର ପରିଚାଳନା ଭାର ରହିଥିଲା।
କର୍ମଚାରୀଙ୍କ ଆନ୍ଦୋଳନ ସେତେବେଳେ ଉଗ୍ରରୂପ ନେଇଥିଲା। ପରିସ୍ଥିତି ଏମିତି ହେଲା ଶେଷରେ କଲେଜର ପରିଚାଳନା ଭାର ଜିଲ୍ଲା ପ୍ରଶାସନ ହାତକୁ ଯାଇଥିଲା। କିନ୍ତୁ ଏହି କଲେଜ ମାମଲା ପରବର୍ତ୍ତୀ ପର୍ଯ୍ୟାୟରେ ହାଇକୋର୍ଟକୁ ଗଲା। ମାନ୍ୟବର ହାଇକୋଇର୍ଟଙ୍କ ରାୟ ପରେ ପୁଣି କଲେଜର ପରିଚାଳନା ଭାର ପରିଚାଳନା କମିଟି ହାତକୁ ଗଲା। ଏବେ କଳେଜର ପରିଚାଳନା କମିଟିର ସଭାପତି ଅଛନ୍ତି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ତଥା ବିଜେଡି ରାଜ୍ୟ ସଂପାଦକ ଇଂ ପ୍ରୟାସକାନ୍ତି ସାମଲ। ନିକଟରେ ଇଂ ସାମଲ ନିଜର ଭଦ୍ରକସ୍ଥିତ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବରପଦା ଇଂଜିନିୟରିଂ କଲେଜର ଆର୍ଥିକ ଅବସ୍ଥା ଭଲ ନ ଥିବା କଥା ଗଣମାଧ୍ୟମ ଆଗରେ କହିଥିବା ବେଳେ ଏହି କଲେଜକୁ ଯଦି କେହି ବଡ ଅନୁଷ୍ଠାନ ନେଇ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରନ୍ତି କିମ୍ବା ଏହି ଅନୁଷ୍ଠାନକୁ ନେଇ ଚଳାଇ ପାରନ୍ତେ ସେ ସଂପୂର୍ଣ୍ଣ ଭାବେ ଦାୟିତ୍ବ ଛାଡି ଦେବେ ବୋଲି ପ୍ରକାଶ କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀର ଦୁଇ ସପ୍ତାହ ପରେ ଆଜି କଲେଜ ପରିସରରେ କର୍ମଚାରୀମାନେ ବକେୟା ୧୭ ମାସର ଦରମା ଦାବିରେ ଆନ୍ଦୋଳନ କରିଥିଲେ। କଲେଜ କର୍ତ୍ତୃପକ୍ଷଙ୍କର ଅପାରଗତା ଓ ପରିଚାଳନା କମିଟିର ମନୋମୁଖୀ କାର୍ଯ୍ୟକଳାପକୁ ନେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କଲେଜର କର୍ମଚାରୀମାନେ ଦରମା ପାଉନଥିବା ବେଳେ ଗତ କିଛି ଦିନ ତଳେ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ମାତ୍ର ଜିଲ୍ଲାପାଳ ସମୟ ଗଡାଇ ଚାଲିଥିବା ବେଳେ କର୍ମଚାରୀମାନେ ବାଧ୍ୟ ହୋଇ ଆଜି କଲେଜ ପରିସରରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେମାନଙ୍କର ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବିଧାନସଭା ଆଗରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଧାରଣା ସ୍ଥଳରେ ଭଦ୍ରକର ବରିଷ୍ଠ ଅଧିବକ୍ତା ନିରାକାର ଜେନା ପହଞ୍ଚି ନୈତିକ ସମର୍ଥନ ଦେଇଥିଲେ। ଅନ୍ୟପକ୍ଷରେ ମାମଲା ହାଇକୋର୍ଟରେ ଥିବାରୁ ଘଟଣା ସଂପର୍କରେ କଲେଜର ଅଧ୍ୟକ୍ଷ ଡ. ମୋହନ ଚରଣ ପଣ୍ଡା କିଛି କହିବେ ନାହିଁ ବୋଲି ଗଣମାଧ୍ୟମକୁ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/11-25.jpg)