ଜର୍ମାନୀ ଓ ଅଷ୍ଟ୍ରେଲିଆରେ ବଢ଼ୁଛି ବନାନୀଙ୍କ ‘ଇକୋ ଫ୍ରେଣ୍ଡ୍‌ଲି’ ଶାଳ ଓ ଶିଆଳିପତ୍ର ଥାଳି ଓ ଦନାର ଚାହିଦା

୫୦ ମହିଳାଙ୍କୁ ଯୋଗାଇ ପାରିଛନ୍ତି କର୍ମସଂସ୍ଥାନ

ଫୁଲବାଣୀ :  ଫୁଲବାଣୀର ସଫଳ ମହିଳା ଉଦ୍ୟୋଗୀ ବନାନୀରାଣୀ ପଟ୍ଟନାୟକଙ୍କ ‘ଇକୋ ଫ୍ରେଣ୍ଡ୍‌ଲି’ ଶାଳ ଓ ଶିଆଳିପତ୍ରର ଥାଳି, ଦନା, କପ୍‌, ପ୍ଲେଟ୍‌ର ଚାହିଦା କେବଳ ଭାରତ କାହିଁକି ଦେଶ ବାହାରେ ମଧ୍ୟ ଶୀର୍ଷରେ ରହିଛି। ସୁଦୂର ଜର୍ମାନୀ, ଅଷ୍ଟ୍ରେଲିଆରୁ ତାଙ୍କ ପରିବେଶ ଅନୁକୁଳ ଶାଳ ଓ ଶିଆଳିପତ୍ରର ଥାଳି, କପ୍‌, ପ୍ଲେଟ୍‌ ନେବା ପାଇଁ ଅର୍ଡର ଆସିଥାଏ।  ନିଜ ସ୍ବପ୍ନକୁ ବାସ୍ତବ ରୂପ ଦେବା ପାଇଁ ପ୍ରଥମେ ବନାନୀ ଏକ ଛୋଟ ପ୍ରୟାସ କରିଥିଲେ। ପରେ ସେ ଖଲିପତ୍ର ତିଆରି ପାଇଁ ନିଜସ୍ବ ୟୁନିଟ୍‌ ପ୍ରତିଷ୍ଠା କରିଥିଲେ। ବନାନୀ ନିଜେ ସ୍ବାବଲମ୍ବୀ ହେବା ସହିତ ୫୦ ମହିଳାଙ୍କୁ ‌କର୍ମସଂସ୍ଥାନ ଯୋଗାଇ ପାରିଛନ୍ତି। ଗରିବ ଓ ଜନଜାତି ମହିଳାମାନଙ୍କୁ କାମ ଯୋଗାଇ ଦେଇ ‌ଉନ୍ନତ ଜୀବନଶୈଳୀ ପ୍ରଦାନ କରିବାରେ ବନାନୀଙ୍କର ଏକ ବଡ଼ ଭୂମିକା ରହିଛି। ଫୁଲବାଣୀ ସହରର ମାଷ୍ଟରପଡ଼ାଠାରେ ‘ସାଇସ୍ବପ୍ନା ଉଦ୍ୟୋଗ’ ନାମରେ ଏକ ୟୁନିଟ୍‌ ପ୍ରତିଷ୍ଠା କରି ଏଥିରେ ଆଦିବାସୀ ମହିଳାଙ୍କୁ ନିୟୋଜିତ କରିଛନ୍ତି। ବନାନୀ କୁହନ୍ତି ପ୍ରଥମେ ଦୁଇଜଣ ମହିଳାଙ୍କୁ ନେଇ କାମ ଆରମ୍ଭ କରିଥିଲେ।

ଏବେ ତାଙ୍କ ୟୁନିଟ୍‌ରେ ୫୦ ଜଣ ମହିଳା କର୍ମନିଯୁକ୍ତି ପାଇଛନ୍ତି। ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କାର ଋଣ ଆଣି ପ୍ରାରମ୍ଭିକ ଭାବେ ବ୍ୟବସାୟ ଆରମ୍ଭ କରିଥିଲେ। ବର୍ତ୍ତମାନ ତାଙ୍କର କାରବାର କୋଟିଏରୁ ଊର୍ଦ୍ଧ୍ବରେ ପହଞ୍ଚିଛି। ଶାଳ ଓ ଶିଆଳି ଖଲିପତ୍ର ଥାଳି, କପ୍‌, ପ୍ଲେଟ୍‌ ଓ ଦନା ପ୍ରସ୍ତୁତ ପାଇଁ ସେ ପାଞ୍ଚ ପ୍ରକାର ମେସିନ୍‌ କିଣିଥିଲେ। ଏଭଳି ବ୍ୟବସାୟ ଆରମ୍ଭ ପୂର୍ବରୁ ବନାନୀଙ୍କର ଉଦ୍ଦେଶ୍ୟ ଥିଲା ପରିବେଶ ଅନୁକୁଳ ଉଦ୍ୟୋଗ ପ୍ରତିଷ୍ଠା କରିବା ଏବଂ ଆଦିବାସୀ ମହିଳାଙ୍କୁ ଆତ୍ମନିର୍ଭର କରାଇବା। ତେବେ ତାଙ୍କ ସ୍ବାମୀ ଭବାନୀ ପ୍ରସନ୍ନ ମହାନ୍ତି ତାଙ୍କୁ ଏଥ‌ିରେ ସହାୟତା କରିଥାନ୍ତି। ତାଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ଅଣସଂଗଠିତ ଶ୍ରମିକଙ୍କ ଉପରେ ନିର୍ଭରଶୀଳ। ଆଦିବାସୀ ମହିଳାମାନେ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ତୋଳି ବନାନୀଙ୍କ ମାନୁଫାକ୍‌ଚରିଂ ୟୁନିଟ୍‌ ପାଇଁ ଯୋଗାଇ ଥାନ୍ତି। ଆଦିବାସୀ ମହିଳାମାନେ ବନାନୀଙ୍କ ଏହି ୟୁନିଟ୍‌ରେ ପତ୍ର ସିଲେଇଠାରୁ ଆରମ୍ଭ କରି ଅଠା ଲଗାଇବା, କ୍ରିପ୍‌ ପେପର ବୋର୍ଡ କଟିଂ କରିବା ଏବଂ ମେସିନରେ ସିଲେଇ କରିବା ପର୍ଯ୍ୟନ୍ତ ସମସ୍ତ କାମ କରିଥାନ୍ତି। ଦିନକୁ ଆଠଘଣ୍ଟା ପରିଶ୍ରମ କରି ମହିଳା କର୍ମଚାରୀମାନେ ଘଣ୍ଟାକୁ ହଜାରେ ପ୍ଲେଟ୍‌ ଓ ଥାଳି ବାହାର କରନ୍ତି।

ଫୁଲବାଣୀ ସହରରେ ଜନ୍ମିତ ବନାନୀ ବିବାହ ପରେ ସ୍ବାମୀଙ୍କ ସହ ମିଶି ନିଜସ୍ବ ଉଦ୍ୟମରେ ଆରମ୍ଭ କରିଥିଲେ ଏହି ଉଦ୍ୟୋଗ। ବନାନୀ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ସେ ଚାହିଁଥିଲେ ଶିକ୍ଷକତା କରିପାରିଥାନ୍ତେ। ମାତ୍ର, କାହା ଉପରେ ନିର୍ଭରଶୀଳ ନହେବାକୁ ଭଲ ପାଉଥିବା ବନାନୀ ନିଜ ଗୋଡ଼ରେ ଠିଆ ହେବା ପାଇଁ ଏଭଳି ପ୍ରୟାସ ଆରମ୍ଭ କରିଥିଲେ। ବନାନୀ ମାଇକ୍ରୋ ବିଜ୍‌ନେସ (ମାନୁଫାକ୍‌ଚରିଂ ୟୁନିଟ୍‌) ପ୍ରତିଷ୍ଠା କଲେ। ୨୦୨୦ ମସିହାରେ ସାଇସ୍ବପ୍ନା ୟୁନିଟ୍‌ ପ୍ରତିଷ୍ଠା କରି ପରିବେଶ ଅନୁକୁଳ ଖଲିପତ୍ର ବ୍ୟବସାୟକୁ ଆପଣାଇ ନେଲେ। ଏହି ୟୁନିଟ୍‌ ଆରମ୍ଭ କରିବା ପୂର୍ବରୁ ବନାନୀ ଏମ୍‌ଏସ୍‌ଏମ୍‌ଇ ପ୍ରଶିକ୍ଷଣ ନେଇଥିଲେ। ସେହିଭଳି ସେ ଷ୍ଟେଟ୍‌ ବ୍ୟାଙ୍କ ଏବଂ ଜିଲ୍ଲା ଶିଳ୍ପକେନ୍ଦ୍ରର ସାହାଯ୍ୟ ପ୍ରୋତ୍ସାହନ ଦ୍ବାରା ଏହି ଉଦ୍ୟୋଗ ଆରମ୍ଭ କରିଥିଲେ। କରୋନା ମହାମାରୀ ସମୟରେ ସବୁକିଛି ଅଟକି ଯାଇଥିବାବେଳେ ବନାନୀଙ୍କର ଏହି ପରିବେଶ ଅନୁକୁଳ ଖଲିପତ୍ର ବ୍ୟବସାୟ କିନ୍ତୁ ଅଟକି ଯାଇ ନଥିଲା। କରୋନା ମହାମାରୀ କାଳରେ ସମସ୍ତେ ଚାକିରି ହରାଇ ବସିଥିବାବେଳେ ବନାନୀ ଆଦିବାସୀ ମହିଳାମାନଙ୍କୁ ଅର୍ଥ ରୋଜଗାରର ପନ୍ଥା ଦେଖାଇ ପାରିଥିଲେ।

ତାଙ୍କର ଉତ୍ପାଦଗୁଡ଼ିକ ବିଶେଷକରି ପରିବେଶ ଅନୁକୁଳ ଏବଂ ବାୟୋ ଡିଗ୍ରେଡେବୁଲ ହୋଇଥିବାରୁ ଏହାର ଚାହିଦା ଦେଶବିଦେଶରେ ଅଧିକ ରହିଛି। ବିଶେଷକରି ଅଷ୍ଟ୍ରେଲିଆ, ଜର୍ମାନୀ, ଇଂଲଣ୍ଡରୁ ତାଙ୍କ ନିକଟକୁ ଏହି ଉତ୍ପାଦ ନେବା ପାଇଁ ବହୁ ସଂଖ୍ୟାରେ ଅର୍ଡର ଆସୁଛି। ବନାନୀ ଅଧିକ ଲାଭ ଆଶାରେ ଏ ବ୍ୟବସାୟ କରୁନାହାନ୍ତି। ସେ ବଜାର ମୂଲ୍ୟରୁ ନିଜ ଉତ୍ପାଦକୁ କମ୍‌ ଦରରେ ସ୍ଥାନୀୟ ମାର୍କେଟ୍‌ରେ ବିକ୍ରି କରିଥାନ୍ତି। ଆସନ୍ତା ମାସରେ ତାଙ୍କର ଉତ୍ପାଦ ଦିଲ୍ଲୀର ଜନତା ମଇଦାନରେ ପ୍ରଦର୍ଶନୀ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ତାଙ୍କୁ କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଆସିଛି। ନିଜେ ସଂଘର୍ଷ କରି ବନାନୀ ନିଜର ଏକମାତ୍ର ପୁତ୍ର କିରଣ କୁମାର ମହାନ୍ତିଙ୍କୁ ଓଡ଼ିଶା ପ୍ରାଶାସନିକ ସେବାର ଅଧିକାରୀ କରାଇ ପାରିଛନ୍ତି। ମା’ଙ୍କ ପ୍ରେରଣା ଓ ନିଷ୍ଠା ଯୋଗୁଁ ସେ ଓଏଏସ୍‌ ପାଇପାରିଛନ୍ତି ବୋଲି କହନ୍ତି ପୁତ୍ର କିରଣ।

ସମ୍ବନ୍ଧିତ ଖବର