ଭୁବନେଶ୍ବର: ଓଡ଼ିଶା ସମେତ ସାରା ଦେଶରେ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଯାତ୍ରୀମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇଛି। ଜାତୀୟ ସ୍ତରରେ ବନ୍ଦେ ଭାରତ ଏକ୍ସପ୍ରେସ ଚାହିଦା ପ୍ରାୟ ୧୦୬% ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୧୦୨ ଯୋଡ଼ା ନିୟମିତ ବନ୍ଦେ ଭାରତ ଏକ୍ସପ୍ରେସ ଓ କିଛି ସ୍ୱତନ୍ତ୍ର ବନ୍ଦେ ଭାରତ ଏକ୍ସପ୍ରେସ ୧୮ହଜାର ୪୨୩ ଟ୍ରିପ୍ ଦେଶର ବିଭିନ୍ନ ପ୍ରାନ୍ତରେ ଚଳାଚଳ କରିଛି। କେରଳରେ ଏହାର ଚାହିଦା ସବୁଠାରୁ ଅଧିକ ୧୭୫.୩% ରହିଥିଲା। ଝାଡ଼ଖଣ୍ଡରୁ ଛାଡୁଥିବା ବନ୍ଦେ ଭାରତରେ ସବୁଠାରୁ ଅଧିକ ୬୭% ପୁରୁଷ ଏବଂ ଗୋଆରୁ ଛାଡ଼ୁଥିବା ବନ୍ଦେ ଭାରତରେ ସବୁଠୁ ଅଧିକ ୪୨% ମହିଳା ଯାତ୍ରୀ ରହିଥିଲେ। ୨୬ରୁ ୪୫ ବର୍ଷ ବୟସ ମଧ୍ୟରେ ସବୁଠୁ ଅଧିକ ଯାତ୍ରୀ ୪୫.୯% ଯାତାୟତ କରିଛନ୍ତି। ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ ବନ୍ଦେ ଭାରତ ୧କୋଟି ୨୪ଲକ୍ଷ ୮୭ହଜାର ୫୪୦ କିମି ଚଳାଚଳ କରିଛି, ଯାହାକି ପୃଥିବୀକୁ ୩୧୦ ଘେରା ବୁଲି ପାରିଛି।
ଏବେ ସୁଦ୍ଧା ପୂର୍ବତଟ ରେଳପଥ ମଧ୍ୟରେ ୬ ଯୋଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି। ସେଥିମଧ୍ୟରୁ ଦୁଇ ଯୋଡ଼ା ବିଶାଖାପାଟଣା ଓ ସିକନ୍ଦରାବାଦ ମଧ୍ୟରେ ଚଳାଚଳ କରୁଥିବା ବେଳେ ପୁରୀରୁ ହାଓଡା, ପୁରୀରୁ ରାଉରକେଲା, ଭୁବନେଶ୍ୱରରୁ ବିଶାଖାପାଟଣା ଓ ବିଶାଖାପାଟଣାରୁ ଭୁବନେଶ୍ୱରକୁ ବନ୍ଦେ ଭାରତ ଟ୍ରେନ୍ ଚାଲୁଛି। ଏହି ଟ୍ରେନ୍ଗୁଡ଼ିକରେ ଯାତ୍ରୀ ଚାହିଦା ଆଶାନୁରୂପ ରହିଛି। ବିଶାଖାପାଟଣା-ସିକନ୍ଦରାବାଦ ବନ୍ଦେ ଭାରତ ଏକ୍ସପ୍ରେସ(୨୦୭୦୮)ରେ ୧୫୬.୬୧% ଚାହିଦା ରହିଛି। ସେହିପରି ବିଶାଖାପାଟଣା-ସିକନ୍ଦରାବାଦ ବନ୍ଦେ ଭାରତ(୨୦୮୩୩) ରେ ୧୩୭.୪୯%, ପୁରୀ-ରାଉରକେଲା ବନ୍ଦେ ଭାରତ(୨୦୮୩୬)ରେ ୧୦୦.୫୭%, ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ(୨୦୮୪୧)ରେ ୫୦.୮୩%, ବିଶାଖାପାଟଣା-ଭୁବନେଶ୍ୱର ବନ୍ଦେ ଭାରତ(୨୦୮୪୨)ରେ ୬୯.୮୨% ଓ ପୁରୀ-ହାଓଡ଼ା ବନ୍ଦେ ଭାରତ(୨୨୮୯୬)ରେ ୧୦୭.୨% ଚାହିଦା ରହିଛି। ଓଡ଼ିଶାରେ ଏହାକୁ ସମ୍ପ୍ରସାରିତ କରିବାକୁ ରେଳ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।
ବନ୍ଦେ ଭାରତ ଏକ୍ସପ୍ରେସ୍ରେ ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା ସହ ଅତ୍ୟାଧୁନିକ କୋଚ୍ ଓ ଯାତ୍ରୀ ସୁବିଧା ଉପଲବ୍ଧ ରହିଛି। ଘଣ୍ଟାପ୍ରତି ୧୬୦ କିମି ବେଗରେ ଚଳାଚଳ କରୁଥିବା ବନ୍ଦେ ଭାରତରେ ଦୁର୍ଘଟଣା ଏଡ଼ାଇବାକୁ କବଚଓ ସେମି ହାଇସ୍ପିଡ୍ ପରିଚାଳନା ବ୍ୟବସ୍ଥା ହୋଇଛି। ସ୍ୱୟଂଚାଳିତ ପ୍ଲଗ୍ କବାଟ ସହ ଏକଜୁକୁଟିଭ ଶ୍ରେଣୀରେ ଘୂର୍ଣ୍ଣନ ପ୍ରଣାଳୀ, ଏର୍ଗୋନୋମିକ୍ ଓ ଆରାମଦାୟକ ସିଟ୍, ପ୍ରତ୍ୟେକ ସିଟ ପାଇଁ ମୋବାଇଲ୍ ଚାର୍ଜିଂ ସକେଟ୍, ହଟ୍କେସ, ବୋତଲ କୁଲର, ଡିପ ଫ୍ରିଜର୍ ଓ ଗରମ ପାଣି ବଏଲର ପାଇଁ ମିନି ପ୍ୟାଣ୍ଟ୍ରି ଉପଲବ୍ଧ ହୋଇଛି। ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ଡିସିଏସ୍ରେ ସ୍ୱତନ୍ତ୍ର ଶୌଚାଳୟ, ପ୍ରତି କୋଚରେ ଜରୁରୀକାଳୀନ ଝରକା(ୱିଣ୍ଡୋ) ଓ ଅଗ୍ନି ନିର୍ବାହକାରୀ, ସମସ୍ତ କୋଚରେ ସିସିଟିଭି, ପ୍ରତି କୋଚରେ ଜରୁରୀକାଳୀନ ଆଲାର୍ମ ପୁସ୍ ବଟନ୍ ଓ ବାର୍ତ୍ତା ବିନିମୟ ପ୍ରଣାଳୀ ରହିଛି। ଭଏସ୍ ରେକର୍ଡିଂ ସୁବିଧା ଓ କ୍ରାସ୍ ହାର୍ଡ ମେମୋରି ସହ ଡ୍ରାଇଭର-ଗାର୍ଡମାନଙ୍କ ମଧ୍ୟରେ ବାର୍ତ୍ତା ବିନିମୟ ପାଇଁ ଯୋଗାଯୋଗ ବ୍ୟବସ୍ଥା ଅଛି। ରିମୋଟ୍ ଦ୍ୱାରା କୋଚ୍ କଣ୍ଡିସନ ମନିଟରିଂ ପ୍ରଣାଳୀ ବ୍ୟବସ୍ଥା ସହ ପ୍ରଦର୍ଶିତ ହୋଇଛି।