ଭୁବନେଶ୍ବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଏବଂ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ୨ ଶିଶୁପୁତ୍ରଙ୍କୁ ପୋଡ଼ି ହତ୍ୟା ମାମଲାରେ କେନ୍ଦୁଝର ଜେଲ୍ରେ ୨୫ବର୍ଷ ହେଲା କାରବାସ ଭୋଗୁଥିବା ଦାରା ସିଂଙ୍କୁ ମୁକ୍ତ କରିବା ଦାବିରେ ଆଜି ରାଜଧାନୀରେ ହଜାର ହଜାର ସନାତନୀଙ୍କ ଗର୍ଜନ ଶୁଭିଥିଲା। ଇଂ.ଦେବାଶିଷ ହୋତାଙ୍କ ନେୃତୃତ୍ବରେ ପ୍ରାୟ ୨ହଜାରରୁ ଅଧିକ ସନାତନୀ ଲୋୟର୍ ପିଏମ୍ଜିରେ ଏକାଠି ହୋଇଥିଲେ। ସେମାନେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ ଏବଂ ଲୋୟର୍ ପିଏମ୍ଜିରେ ସଭା କରି ଉପରୋକ୍ତ ଦୁଇ ଦାବି କରିଥିଲେ। ସେଠାରୁ ମେଲ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପଠାଯାଇଥିଲା।
ଏହି ସନାତନୀମାନଙ୍କ ନେତୃତ୍ବ ନେଇଥିବା ଇଂ.ହୋତାଙ୍କ ଅଭିଯୋଗ ଅନୁସାରେ ଗତବର୍ଷ ମଧ୍ୟ ସେମାନେ ଏହି ଦୁଇ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ବିଷୟ ଏହା ଭିତରେ ବର୍ଷଟିଏ ବିତିଯାଇଥିଲେ ମଧ୍ୟ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ରାଜ୍ୟ ସରକାରଙ୍କ ଏଭଳି ଉଦାସୀନତାକୁ ନେଇ ସନାତନୀମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଏହି ମାମଲାରେ ହୋଇଥିବା କ୍ରାଇମ୍ବ୍ରାଞ୍ଚ ତଦନ୍ତ ଏକପାଖିଆ ଥିଲା। ୨୦୦୮ ଅଗଷ୍ଟ ୨୩ ତାରିଖ ସକାଳେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ସୁରକ୍ଷାରେ ଥିବା ପୁଲିସ ଚାଲିଯାଇଥିଲେ।
ସେହିଭଳି ହତ୍ୟା ଘଟଣାର ୨୪ ଘଣ୍ଟା ନପୂରୁଣୁ ତତ୍କାଳୀନ ପୁଲିସ ଡିଜି ଏହି ମାମଲାରେ ମାଓବାଦୀ ଲିଙ୍କ୍ ଦର୍ଶାଇଥିଲେ। ସେହିଭଳି ଧର୍ମାନ୍ତରୀକରଣ, ଗୋହତ୍ୟା ଓ ଆଦିବାସୀଙ୍କ ଅଧିକାର କ୍ଷୁଣ୍ଣ ଆଦି ଦିଗରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ସ୍ବର ଉତ୍ତୋଳନକୁ ମଧ୍ୟ କ୍ରାଇମ୍ବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରି ନଥିଲା। ବଡ଼ କଥା ହେଉଛି ୨୦୧୩ରେ ଫୁଲବାଣୀ କୋର୍ଟ ଯେଉଁ ୭ଜଣଙ୍କୁ ସଜା ଶୁଣାଇଥିଲେ, ସେମାନେ ୨୦୧୯ରୁ ଜାମିନରେ ଆସି ବାହାରେ ବୁଲୁଛନ୍ତି। ପୁଣି ୨୦୧୫ ମସିହାରୁ ବିଚାର ବିଭାଗୀୟ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଉ ନାହିଁ। ଅନୁରୂପ ଭାବେ ୧୯୯୯ରେ ଘଟିଥିବା ଗ୍ରାହାମ୍ ଷ୍ଟେନ୍ସ ପୋଡ଼ି ମାମଲାରେ ଦାରା ସିଂ ୨୫ ବର୍ଷ ସଜା କାଟିସାରିଲେଣି। କିନ୍ତୁ ତାଙ୍କୁ ମୁକ୍ତି ମିଳୁନାହିଁ। ଅଥଚ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ମାମଲାର ମୁଖ୍ୟ ଷଡ୍ଯନ୍ତ୍ରକାରୀ ସ୍ବରୂପାନନ୍ଦ ପାତ୍ରଙ୍କ ପୁଅ ସସ୍ମିତ ପାତ୍ର ରାଜ୍ୟସଭା ସାଂସଦ ଭାବେ ଖୋଲାରେ ବୁଲୁଛନ୍ତି। ତୁରନ୍ତ ଦାରା ସିଂଙ୍କୁ ମୁକ୍ତ କରିବା ଲାଗି ଇଂ.ହୋତା ଦାବି କରିଛନ୍ତି।