ସମ୍ବଲପୁର : ଆଜି ଲୋକସଭାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଲେ ଯେ ପ୍ରାୟ ୪୦ ବର୍ଷ ତଳେ ନବ ଦାସ ତାଙ୍କ ସହ ଅଧ୍ୟୟନ କରୁଥିଲେ। ତାଙ୍କ ସଂସଦୀୟ କ୍ଷେତ୍ରରେ ନବ ଦାସ ବିଧାୟକ ଥିଲେ। ଗତ ୨୯ ଜାନୁଆରି ଦିନ ଜଣେ ପୁଲିସ ଅଧିକାରୀ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏବେ ତାଙ୍କ ହତ୍ୟା ମାମଲାର ତଦନ୍ତ କ୍ରାଇମ୍ ବ୍ରାଞ୍ଚ କରୁଛି। ତଦନ୍ତର ୧୫ ଦିନ ପରେ ବି ପୁଲିସ ଏହି ହତ୍ୟା ପଛର କାରଣ ସଂପର୍କରେ କିଛି କହୁ ନାହିଁ। କ୍ରାଇମ୍ ବ୍ରାଞ୍ଚ ତଦନ୍ତରେ କିଛି ହେବାର ନାହିଁ। ମନ୍ତ୍ରୀ ମହୋଦୟଙ୍କୁ କାହିଁକି ଜଣେ ପୁଲିସ ଅଧିକାରୀ ଗୁଳି କଲା ତାହା ଲୋକଲୋଚନକୁ ଆସିବା ଦରକାର। ଓଡ଼ିଶା ସରକାର ଅଭିଯୁକ୍ତର ନାର୍କୋ ପରୀକ୍ଷା, ପଲିଗ୍ରାଫ ପରୀକ୍ଷା ଓ ବ୍ରେନ୍ ମ୍ୟାପିଂ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ନେଇଛି। କିନ୍ତୁ ସିବିଆଇ ତଦନ୍ତ ପାଇଁ ଡରୁଛି। ତେଣୁ ଆପଣ(ବାଚସ୍ପତି)ଙ୍କ ମାଧ୍ୟମରେ ଭାରତ ସରକାରଙ୍କଠାରେ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରୁଛି ବୋଲି ସାଂସଦ ଶ୍ରୀ ପୂଜାରୀ କହିଛନ୍ତି।
ଲୋକସଭାରେ ନବ ଦାସ ହତ୍ୟାକାଣ୍ଡ ସିବିଆଇ ତଦନ୍ତ ଦାବିକଲେ ସୁରେଶ ପୂଜାରୀ
/sambad/media/post_attachments/wp-content/uploads/2020/08/suresh-pujari.png)