ଭୁବନେଶ୍ବର: ସାଧାରଣ ବର୍ଗ ଲୋକଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ସମ୍ବିଧାନ ସଂଶୋଧନ କରି ସଂସଦରେ ବିଲ୍ ପାରିତ କରିଛନ୍ତି। ଏହାକୁ ସ୍ବାଗତ କରିଛି ସାମାଜିକ ନ୍ୟାୟ ଅଭିଯାନ। ଏହା ସହିତ ରାଜ୍ୟର ଅନୁସୂଚିତ ଜନଜାତି, ଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବାକୁ ଅଭିଯାନ ପକ୍ଷରୁ ଦାବି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଉପରୋକ୍ତ ଦାବି କରିଥିଲେ। ସେ କହିଲେ ଯେ ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ। ଏଠାରେ ୨୦୧୧ ସାମାଜିକ ଓ ଅର୍ଥନୈତିକ ଜାତିଗତ(ଏସ୍ଇବିସି) ଗଣନା ଅନୁଯାୟୀ ସମୁଦାୟ ଜନସଂଖ୍ୟାର ଏସ୍ସି/ଏସ୍ଟି ୩୮.୫ ପ୍ରତିଶତ। ଓବିସି ଓ ଏସ୍ଇବିସି ହେଉଛନ୍ତିି ସମୁଦାୟ ଜନସଂଖ୍ୟାର ୫୨ ପ୍ରତିଶତ। ଏମାନଙ୍କ ମଧ୍ୟରୁ ୯୮ ପ୍ରତିଶତ ଲୋକଙ୍କ ବାର୍ଷିକ ଆୟ ୮ ଲକ୍ଷରୁ କମ୍। ଏହି ଆଧାରରେ ଏସ୍/ଏସ୍ଟି ବର୍ଗମାନଙ୍କ ପାଇଁ ଡାକ୍ତରୀ, ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷା କ୍ଷେତ୍ରରେ ୪୦ ପ୍ରତିଶତ ସଂରକ୍ଷଣ, ପଛୁଆବର୍ଗଙ୍କ ପାଇଁ ୫୪ ପ୍ରତିଶତ, ନିଯୁକ୍ତି କ୍ଷେତ୍ରରେ ୫୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଶ୍ରୀ ସଗରିଆ ଦାବି କରିଥିଲେ। ଏହା ସହିତ ୮ ଲକ୍ଷ ଟଙ୍କା ଆୟ ଆଧାରରେ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ନିର୍ଧାରଣ କରିବାକୁ ମଧ୍ୟ ସେ ଦାବି କରିଥିଲେ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ମଲ୍ଲିକ, ଦେବୀ ପ୍ରସାଦ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।