ବ୍ରହ୍ମପୁର: ବ୍ରହ୍ମପୁର ଉପଖଣ୍ଡକୁ ନେଇ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ଦାବି ଜୋର୍ ଧରିଛି। ବ୍ରହ୍ମପୁର ଜିଲ୍ଲା ଘୋଷଣା ଦାବି ନେଇ ଆଜି ବ୍ରହ୍ମପୁର ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ୫-ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଭୌଗୋଳିକ ସ୍ଥିତି ଓ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଜିଲ୍ଲା ଘୋଷଣାର ଆବଶ୍ୟକ ରହିଛି ବୋଲି ଏଥିରେ ଦର୍ଶାଯାଇଛି। ପ୍ରଶାସନକୁ ତୃଣମୂଳସ୍ତରରେ ପହଞ୍ଚାଇବା, ବିକାଶ ଓ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ବିଗତ ଦିନରେ ରାଜ୍ୟ ସରକାର ପଦ୍ମପୁର ଜିଲ୍ଲା ଘୋଷଣା କରିଥିଲେ। ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ୧୩ଟି ଜିଲ୍ଲାରୁ ୩୦ଟି ଜିଲ୍ଲା କରି ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା ଏକ ବଡ଼ ଜିଲ୍ଲା ହୋଇଥିବା ଯୋଗୁଁ ବ୍ରହ୍ମପୁର ଉପଖଣ୍ଡକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ଦେବାକୁ ଏଥିରେ ଦାବି କରାଯାଇଛି।
ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ଶୈକ୍ଷିକ ଓ ବାଣିଜ୍ୟିକ ପେଣ୍ଠସ୍ଥଳ ବ୍ରହ୍ମପୁର ଏକ ବହୁପୁରାତନ ଐତିହାସିକ ସହର। ସ୍ବାଧୀନତା ସଂଗ୍ରାମ ଓ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କ୍ଷେତ୍ରରେ ବି ବ୍ରହ୍ମପୁର ସହରର ଅବଦାନ ରହିଛି। ଏହି ମାଟିର ସନ୍ତାନ ଭି.ଭି ଗିରି ଭାରତର ରାଷ୍ଟ୍ରପତି ରହିଥିଲେ। ଏହି ପ୍ରାଚୀନ ସହରର ଅଗ୍ରଗତିକୁ ଦେଖିଲେ ଏହି ସହର ପ୍ରତି ଅନ୍ୟାୟ କରାଯାଇଛି। ଭୌଗୋଳିକ ଅବସ୍ଥିତି ଓ ଗମନାଗମନ ଦୃଷ୍ଟିରୁ ଦେଖିଲେ, ସହରଟି ଏକ ସୁବିଧାଜନକ ସ୍ଥିତିରେ ରହିଛି। କିନ୍ତୁ ଏହାର ବିକାଶ ଆଖିଦୃଶିଆ ହୋଇପାରିନାହିଁ। ବ୍ରହ୍ମପୁର ସହର ସହ ତାଳ ଦେଇ ଗଢ଼ି ଉଠିଥିବା ସହରଗୁଡ଼ିକର ବିକାଶ ଓ ଭିତ୍ତିଭୂମିକୁ ଦେଖିଲେ ବ୍ରହ୍ମପୁର ବହୁ ପଛରେ ରହିଛି। ଉଦାହରଣ ଭାବେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରକୁ ନିଆଯାଇପାରେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଶିକ୍ଷା, ସ୍ବାସ୍ଥ୍ୟ ତଥା ଭିତ୍ତିଭୂମି କ୍ଷେତ୍ରରେ ଯଥା ରେଳ, ସଡ଼କ, ଜଳପଥ, ବିମାନବନ୍ଦର, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ରହ୍ମପୁର ପଛରେ ରହିଯାଇଛି। ବ୍ରହ୍ମପୁର ସହରକୁ ଏକ ଅଗ୍ରଣୀ ଏବଂ ଅତ୍ୟାଧୁନିକ ସହରରେ ଭାବେ ପରିଣତ କରିବା ପାଇଁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରିବାକୁ ଦାବି କରାଯାଇଛି।
୨୦୧୯ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ଜିଲ୍ଲା ଗଠନ ନିମନ୍ତେ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଯେତେବେଳେ ପଦ୍ମପୁର ଜିଲ୍ଲା ଘୋଷଣା ହୋଇପାରିଛି, ସେହିକ୍ରମରେ ବ୍ରହ୍ମପୁର ଜିଲ୍ଲା ଘୋଷଣାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରାଯାଇଛି। ବ୍ରହ୍ମପୁର ସ୍ବତନ୍ତ୍ର ପୁଲିସ ଜିଲ୍ଲା କାର୍ଯ୍ୟ କରୁଥିବା ବେଳେ ଏଠାରେ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ସମେତ ଅନ୍ୟାନ୍ୟ କୋର୍ଟ, ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ କାର୍ଯ୍ୟାଳୟ, ଶ୍ରମ କାର୍ଯ୍ୟାଳୟ ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ରହିଛି। ଲୋକସଂଖ୍ୟା ଏବଂ ଭୌଗୋଳିକ ଆୟତନକୁ ଦୃଷ୍ଟିରେ ରଖି ଏବଂ ଅଞ୍ଚଳର ସ୍ବାର୍ଥ ତଥା ଅଞ୍ଚଳବାସୀଙ୍କ ଅବେଗକୁ ସମ୍ମାନ ଜଣାଇ ବ୍ରହ୍ମପୁର ଉପଖଣ୍ଡକୁ ବ୍ରହ୍ମପୁର ଜିଲ୍ଲା ଭାବେ ଘୋଷଣା କରିବାକୁ ଅନୁରୋଧ କରାଯାଇଛି। ଆଜି ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ସଂଜୀବ ପଟ୍ଟନାୟକ ଓ ଅନ୍ୟ କର୍ମକର୍ତ୍ତାମାନେ ୫-ଟି ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।