ସମ୍ବଲପୁର : ୫-ଟି ସଚିବଙ୍କୁ ଖୁସି କରିବା ପାଇଁ ଶନିବାର ସମ୍ବଲପୁର ଜିଲ୍ଲାର ଅଧିକାଂଶ କଲେଜରୁ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ଧନକଉଡ଼ା ପଡ଼ିଆକୁ ବସ୍‌ ଯୋଗେ ବୋହି ଅଣାଗଲା। ଛାତ୍ରଛାତ୍ରୀଙ୍କୁ ଭୟଭୀତ କରି ସଭାକୁ ଅଣାଯାଇଥିଲା। କିଛି ଛାତ୍ରଛାତ୍ରୀ ବିରୋଧ କରିବାରୁ ସେମାନଙ୍କୁ ଧମକ ଦିଆଯାଇଥିଲା ଏବଂ ସଭାକୁ ଯିବାକୁ ବାଧ୍ୟ ବୋଲି କୁହାଯାଇଥିଲା। ଏବିଭିପି ପକ୍ଷରୁ ସମ୍ବଲପୁର ଏସ୍‌ପିଙ୍କ ନିକଟରେ ମଙ୍ଗଳବାର ଲିଖିତ ଭାବେ ଏହି ଅଭିଯୋଗ କରାଯିବ ବୋଲି ଆଜି ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏବିଭିପିର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ବେତାଂଶୁ ବରାଇ ସୂଚନା ଦେଇଛନ୍ତି।

Advertisment

ଏବିଭିପିର ଅଭିଯୋଗ ହେଲା, ପୂର୍ବରୁ ସରକାରୀ କଳର ଅପବ୍ୟବହାର କରି କନ୍ଧମାଳ ଓ ବରଗଡ଼ରେ ବିଭିନ୍ନ କଲେଜର ଅଧ୍ୟକ୍ଷଙ୍କୁ ଚିଠି କରାଯାଇ ଛାତ୍ରଛାତ୍ରୀଙ୍କୁ ବସ୍‌ କରି ସଭାସ୍ଥଳକୁ ଅଣାଯାଇଥିଲା। ଛାତ୍ରଛାତ୍ରୀମାନେ ଆସିବା ଠାରୁ ଫେରିବା ଯାଏ ଅନେକ କିଛି ଅଘଟଣ ଘଟିଯାଇଥିଲା। ଯାହା ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ଜମନକିରା ଅଂଚଳରେ ଛାତ୍ରଛାତ୍ରୀଙ୍କୁ ଧରି ଆସୁଥିବା ବସ୍‌ ଏକ ଟ୍ରକ୍‌କୁ ଧକ୍କା ଦେବା ଫଳରେ ଏକାଧିକ ଛାତ୍ରଛାତ୍ରୀ ଆହତ ହୋଇଥି‌ଲେ। ଅଘଟଣ ଏତିକିରେ ଶେଷ ହୋଇନଥିଲା। ସଭା ଶେଷ ହେବା ପରେ ବିଜୁ ଛାତ୍ର ଜନତା ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଚୌକି ଫୋପଡ଼ା ସହ ମାରପିଟ୍‌ ହୋଇଥିଲା। ‌ସେହିପରି ସଭାରେ ଲାଗିଥିବା ଏକ ଫ୍ୟାନ୍‌ ଭିତରେ ଜଣେ ଛାତ୍ରୀଙ୍କ କେଶ ପାଖାପାଖି ଅଧଘଣ୍ଟାଏ କାଳ ରହିଯାଇଥିଲା। ସଭାରେ ଯୋଗ ଦେଇଥିବା ଅନେକ ଛାତ୍ରଛାତ୍ରୀଙ୍କୁ ରାତି ୧୦ଟା ଯାଏ ଘରେ ଛାଡ଼ିନଥିଲେ ବୋଲି ଶ୍ରୀ ବରାଇ ଅଭିଯୋଗ କରିଛନ୍ତି।

ସେହିପରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ(ଏନ୍‌ଏସସିବି) କଲେଜ୍‌ର ଇଣ୍ଟରନାଲ୍‌ ପରୀକ୍ଷା ବାତିଲ କରାଯାଇଥିଲା। ଏନ୍‌ଏସସିବି କଲେଜ୍‌ରେ ୧୪ ତାରିଖ ଦିନ ଇଣ୍ଟରନାଲ ପରୀକ୍ଷା ହୋଇଥିଲା। କଲେଜ କର୍ତ୍ତୃପକ୍ଷଙ୍କ ପରୀକ୍ଷା ନୋଟିସ୍‌ ଅନୁଯାୟୀ ୧୫ ତାରିଖ ଦିନ ବି ପରୀକ୍ଷା ହେବାର ଥିଲା। ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ପାଇଁ କଲେଜ୍‌ ମଧ୍ୟ ଆସିଲେ। କିନ୍ତୁ ପାଣ୍ଡିଆନଙ୍କ ସଭାକୁ ଯିବା ପାଇଁ ସେମାନଙ୍କ ଉପରେ ଚାପ ପକାଗଲା। ସଭାକୁ ଯିବା ପାଇଁ କଲେଜ୍‌ କର୍ତ୍ତୃପକ୍ଷ ପରୀକ୍ଷା ବାତିଲ ବି କରିଦେଲେ ବୋଲି ସେ କହିଛନ୍ତି।

ଶ୍ରୀ ବରାଇ ଆହୁରି ଅଭିଯୋଗ କରିଛନ୍ତି ଯେ ଗତ ୪ ବର୍ଷ ହେବ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ବିଭିନ୍ନ ପ୍ରକାର ବାହାନା ଦେଖାଇ ରାଜ୍ୟ ସରକାର ନିର୍ବାଚନ ବନ୍ଦ କରି ଆସିଛନ୍ତି। ରାଜ୍ୟ ସରକାର ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବାକୁ ସେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏବିଭିପିର ସମ୍ବଲପୁର ଜିଲ୍ଲା ସଂଯୋଜକ ପ୍ରୀତିଶ କରଙ୍କ ସମେତ ସିମରନ୍‌ ପ୍ରଧାନ, ଯଶବର୍ଦ୍ଧନ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।