ସମ୍ବଲପୁର : ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ମା’ ସମଲେଶ୍ବରୀଙ୍କ ନାମରେ ମହିଳା ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ଦାବି ହୋଇଛି। ୧୯୫୯ ମସିହାରୁ ପଶ୍ଚିମ ଓଡ଼ିଶାରେ ନାରୀ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇ ଆସିଥିବା ଏହି ଉଚ୍ଚ ଶିକ୍ଷା ଅନୁଷ୍ଠାନକୁ ନାରୀ ଶକ୍ତିର ପ୍ରତୀକ ଜଗତ୍‌ଜନନୀ ମାତା ସମଲେଶ୍ବରୀଙ୍କ ନାମରେ ନାମିତ କରିବାର ଏହା ପ୍ରକୃଷ୍ଟ ସମୟ ବୋଲି ଓ ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ମା’ ସମଲେଶ୍ବରୀ ମହିମା ପ୍ରଚାର ସମିତି ଦାବି କରିଛି। ବିଶ୍ବବିଦ୍ୟାଳୟ ସମୂହର କୁଳାଧିପତି ରାଜ୍ୟପାଳ ପ୍ର. ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଦାବି ପତ୍ରରେ ସମିତିର ଆବାହକ ତ୍ରିବିକ୍ରମ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର ଉଚ୍ଚ ଶିକ୍ଷାର ବିକାଶ ପାଇଁ ଏବେ ଅନେକ ପଦକ୍ଷେପ ନେଉଛନ୍ତି। ରାଜ୍ୟର ଏକାଧିକ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯାଇଛି।

Advertisment

ସେହିପରି ସରକାର ନାରୀ ଶିକ୍ଷା ଓ ମହିଳା ସଶକ୍ତୀକରଣକୁ ବି ଗୁରୁତ୍ବ ଦେଉଛନ୍ତି। ଏହି କ୍ରମରେ ଓଡ଼ିଶାର ଅନ୍ୟତମ ସର୍ବପୁରାତନ ମହିଳା ମହାବିଦ୍ୟାଳୟଭାବେ ସମ୍ବଲପୁର ସରକାରୀ ମହିଳା କଲେଜ୍ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବାକୁ ସମସ୍ତ ଯୋଗ୍ୟତା ରଖେ। ୬୪ ବର୍ଷ ତଳେ ସ୍ଥାପିତ ଏହି ମହାବିଦ୍ୟାଳୟର ଉନ୍ନତ ଓ ଉଚ୍ଚସ୍ତରୀୟ ଶିକ୍ଷା ପ୍ରଦାନର ଇତିହାସ ରହିଛି। ଏହି ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଅନେକ ଛାତ୍ରୀ ଦେଶବିଦେଶରେ ପ୍ରତିଷ୍ଠିତ ହୋଇଛି। ରାଜ୍ୟ ବିଧାନସଭାରୁ ନେଇ ଲୋକସଭା ପର୍ଯ୍ୟନ୍ତ ସବୁଠି ଏଠାରୁ ଉତ୍ତୀର୍ଣ୍ଣ ଛାତ୍ରୀଙ୍କର ପ୍ରତିନିଧିତ୍ବ ରହିଛି। ସମ୍ବଲପୁର ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ମହାବିଦ୍ୟାଳୟର ଯଥେଷ୍ଟ ପରିମାଣର ନିଜସ୍ବ ଜମି ମଧ୍ୟ ରହିଛି। ଗତ ବର୍ଷଠାରୁ ଏଠାରେ ସମସ୍ତ ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ମଧ୍ୟ ଖୋଲିଛି। ତେଣୁ ବିଶ୍ବବିଦ୍ୟାଳୟ ଭାବେ ଉନ୍ନୀତ ହେବାର ସବୁ ଯୋଗ୍ୟତା ଏହି ମହାବିଦ୍ୟାଳୟର ରହିଛି। ଯେହେତୁ ସରକାର ‘ସମଲେଇ’ ଯୋଜନାରେ ମା’ ସମଲେଶ୍ବରୀଙ୍କ କ୍ଷେତ୍ରର ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି, ତେଣୁ ମା’ଙ୍କ ନାମରେ ବିଶ୍ବବିଦ୍ୟାଳୟ ହେଲେ ଏହା ସମ୍ବଲପୁର ସହରରେ ଶିକ୍ଷା ଓ ନାରୀ ଶକ୍ତିର ବିକାଶ କ୍ଷେତ୍ରରେ ଏକ ବଳିଷ୍ଠ ପଦକ୍ଷେପ ସାବ୍ୟସ୍ତ ହେବ। ସେଥି ପାଇଁ ସରକାର ଏହାକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ଦିଗରେ ସକାରାତ୍ମକଭାବେ ବିଚାର କରନ୍ତୁ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି।

ଦାବିପତ୍ରରେ ଆହୁରି କହାଯାଇଛି ଯେ ଉତ୍ତର ପ୍ରଦେଶର ସାହାରନ୍‌ପୁରରେ ମା’ ଶାକୁମ୍ବରୀ ବିଶ୍ବବିଦ୍ୟାଳୟ ରହିଛି। ସେହିଭଳି ସମ୍ବଲପୁରରେ ମା’ ସମଲେଶ୍ବରୀଙ୍କ ନାମରେ ମହିଳା ବିଶ୍ବବିଦ୍ୟାଳୟ ସ୍ଥାପନ କରାଯାଉ। ମା’ ସମଲେଶ୍ବରୀଙ୍କ ମହିମା କେବଳ ସମ୍ବଲପୁର ବା ପଶ୍ଚିମ ଓଡ଼ିଶାରେ ସୀମିତ ନୁହେଁ। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୪ଟି ରାଜ୍ୟରେ ମା’ ସମଲେଶ୍ବରୀଙ୍କର ୩୦୦ରୁ ଅଧିକ ମନ୍ଦିର ରହିଛି। ମା’ ସମଲେଶ୍ବରୀ ମହିମା ପ୍ରଚାର ସମିତି ସାରା ଦେଶରେ ମା’ଙ୍କ ମହିମା ପ୍ରଚାର ଦିଗରେ କାର୍ଯ୍ୟ କରୁଛି। ମା’ଙ୍କ ନାମରେ ବିଶ୍ବବିଦ୍ୟାଳୟ ସ୍ଥାପନ ଦ୍ବାରା ଶିକ୍ଷାର ବିକାଶ ସହ ମା’ଙ୍କ ମହିମା ସର୍ବବିଦିତ ହୋଇପାରିବ ବୋଲି ଉଲ୍ଲେଖ କରାଯାଇଛି।