କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବି: ରାଜଭବନ ସମ୍ମୁଖରେ ଧାରଣା

ଦାବିପୂରଣ ନହେବା ଯାଏ ଆନ୍ଦୋଳନ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକୁ ଜୋରଦାର କରାଯାଇଛି। ଜିଲ୍ଲାରେ ବହୁଦିନ ଧରି ଆନ୍ଦୋଳନ ହେବା ପରେ ରାଜଧାନୀରେ ଏହି ଆନ୍ଦୋଳନ ଦେଖିବାକୁ ମିଳିଛି। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ମେଡିକାଲ କଲେଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି। ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନେଇ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟପାଳଙ୍କୁ ଭେଟି କମିଟି ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

କମିଟିର କହିବା କଥା, ଜାତୀୟସ୍ତରରେ ପ୍ରତି ୧୦୮୫ ଲୋକଙ୍କ ପାଇଁ ଜଣେ ଡାକ୍ତର ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସରକାରୀ ଡାକ୍ତରଖାନାରେ ମାତ୍ର ୧୩୬ଜଣ ଡାକ୍ତର ରହିଛନ୍ତି। ଏହା ଅନୁମୋଦିତ ପଦବି ସଂଖ୍ୟାରୁ ଏକତୃତୀୟାଂଶ କମ୍। ଷ୍ଟାଫ୍ ନର୍ସମାନଙ୍କ ସଂଖ୍ୟା ଅନୁମୋଦିତ ସଂଖ୍ୟାର ଅଧା ବି ନୁହେଁ। ଅନେକ ପିଏଚ୍‌ସି ଓ ସିଏଚ୍‌ସି ଡାକ୍ତରମାନେ ନାହାନ୍ତି। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ସଂଗିନ। ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଏହି ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ନିଟ୍ ପରୀକ୍ଷାରେ ଉକୃଷ୍ଟତା ପ୍ରତିପାଦନ କରୁଥିଲେ ମଧ୍ୟ ଡାକ୍ତରୀ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଫଳରେ ବାହାରକୁ ଯାଇ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି। ଅନେକ ଛାତ୍ରଛାତ୍ରୀ ଡାକ୍ତରୀ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ଗତ ୨୨ବର୍ଷ ମଧ୍ୟରେ ରାଜ୍ୟରେ ସରକାରୀ ମେଡିକାଲ ୧୦ରେ ପହଞ୍ଚିଛି। ହେଲେ ଦୁଃଖର ବିଷୟ ଏଥିରୁ କେନ୍ଦ୍ରାପଡ଼ା ଜିଲ୍ଲା ବଞ୍ଚିତ ହୋଇଛି। ଜିଲ୍ଲାର ଜନସଂଖ୍ୟା ୧୫ଲକ୍ଷ ହୋଇଥିବାରୁ ଜିଲ୍ଲରା ମେଡିକାଲ କଲେଜ ସହ ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା କରିବା ପାଇଁ କମିଟି ଦାବି କରିଛି।

କମିଟିର ଯୁକ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲା ଏକ ଆର୍ଥିକ ଅନଗ୍ରସର ଜିଲ୍ଲା। ଲୋକମାନଙ୍କର ମୁଖ୍ୟ ଜୀବିକା କୃଷି ହୋଇଥିଲେ ମଧ୍ୟ କୃଷି ଭିତ୍ତିଭୂମିର ଅଭାବ ରହିଛି। ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏଠାର କୃଷି ଓ କୃଷକ ବିପନ୍ନ। ଏହାର ଉପକଣ୍ଠରେ ଥିବା ପାରାଦ୍ବୀପ ଶିଳ୍ପାଞ୍ଚଳ ଓ ରାଜ୍ୟର ଖଣିଜ ଓ ଶିଳ୍ପ ସମୃଦ୍ଧ ଜିଲ୍ଲାକୁ ସଂଯୋଗ କରିବା ପାଇଁ ଦୈତାରୀ ପାରାଦ୍ବୀପ ତ୍ବରିତ ରାଜପଥ ଓ ବର୍ତ୍ତମାନର ହରିଦାସପୁର ପାରାଦ୍ବୀପ ରେଳପଥ ପାଇଁ ଜିଲ୍ଲାବାସୀ ହଜାର ହଜାର ଏକର ଚାଷଜମି ଓ ଭିଟାମାଟି ହରାଇଛନ୍ତି। ମାତ୍ର ଏହି ଜିଲ୍ଲାରେ ନିଯୁକ୍ତି ସୁଯୋଗର ଅଭାବରୁ ୮୦ପ୍ରତିଶତ ଯୁବକ ଦାଦନ ଖଟିବାକୁ ଦେଶରୁ ବିଦେଶ ଯାଉଛନ୍ତି। ଏହି ରାଜପଥ ପାଇଁ ଲୋକମାନେ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିପରି ପାରାଦ୍ବୀପ ଶିଳ୍ପ କାରଖାନା ଗୁଡ଼ିକରୁ ନିଷ୍କାସିତ ବର୍ଜ୍ୟବସ୍ତୁ ତଥା ବିଷାକ୍ତ ଗ୍ୟାସ ପାଇଁ ଜିଲ୍ଲାବାସୀ ହୃଦରୋଗ, ଚର୍ମରୋଗ ଓ ଯକ୍ଷ୍ମା ରୋଗ ଭଳି ଏନେକ ରୋଗରେ ପୀଡ଼ିତ ହୋଉଛନ୍ତି। ମାତ୍ର ଜିଲ୍ଲାରେ ଉନ୍ନତ ଚିକିତ୍ସା ବ୍ୟବସ୍ଥା ନଥିବାରୁ ଲୋକମାନେ ହଇରାଣ ହେଉଛନ୍ତି। ଦାରିଦ୍ର୍ୟ ଓ ଅନଗ୍ରସରତା କାରଣରୁ ଏହି ଜିଲ୍ଲାର ମୁଣ୍ଡ ପିଛା ଆୟରେ ରାଜ୍ୟର ୨୯ତମ ଜିଲ୍ଲା ଭାବେ ସ୍ଥାନିତ। ତେଣୁ କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଦାବି ହୋଇଛି।

କମିଟି ସଭାପତି ଅଜୟ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଅଂଶୁମାନ ବେହେରା, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ରାଜାରାମ ଶତପଥୀ, ଅରବିନ୍ଦ ଦାସ, ରାଜେଶ ନାୟକ, ବିଜେଡି ନେତା ରବୀନ୍ଦ୍ର ସାମଲ, ବିଜେପି ନେତା ଭୁବନ ମୋହନ ଜେନା, ଅଲେଖ ପଢ଼ିଆରୀ, ଅଧ୍ୟାପିକା ଅମୀୟ ମହାନ୍ତି, ଦୁର୍ଯ୍ୟୋଧନ ପରିଡ଼ା, ଗନ୍ଧର୍ବ ନାୟକ, ତେଜେଶ୍ବର ପରିଡ଼ା, ନରୋତ୍ତମ ପାର୍ଥସାରଥୀ, ରତିକାନ୍ତ କାନୁନ୍‌ଗୋ ପ୍ରମୁଖ ଉପସ୍ଥିତ ଥିଲେ। ଭାଗୀରଥି ଜେନା ଧନ୍ୟବାଦ ଦେଇଥିଲେ। ଧାରଣା ଶେଷରେ ଅଧ୍ୟାପକ ଅଜୟ ସାମଲ, ରମଣୀ ରଞ୍ଜନ ରାଉତରାୟ, ଚିନ୍ମୟ ପ୍ରସାଦ ବେହୁରା, ପ୍ରଫୁଲ୍ଲ ଦାସ, ଅମୀୟ ପାଣ୍ଡବ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳ ଯାଇ ରାଜଭବନ ଯାଇ ଦାବିପତ୍ର ପ୍ରଦାନ କରିଥିଲେ। ଆଦିକନ୍ଦ ରାଉଳ, ମୁକ୍ତାର ଖାଁ, ସୋହାନା ବେଗମ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର