କଟକ : ଓଡ଼ିଶା ହାଇକୋର୍ଟ ପରିସରରେ ସୁପ୍ରିମକୋର୍ଟର ଏକ ଭର୍ଚୁଆଲ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି ହୋଇଛି। ହାଇକୋର୍ଟର ପ୍ରାୟ ଏକ ହଜାର ଆଇନଜୀବୀଙ୍କ ଦସ୍ତଖତ ସମ୍ବଳିତ ଏ ସଂପର୍କିତ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ରର କପି ଭାରତର ପ୍ରଧାନ ବିଚାରପତି, ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି, ଭାରତର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ ମନ୍ତ୍ରୀ, ବାର୍ କାଉନସିଲ ଅଫ୍ ଇଣ୍ଡିଆ, ରାଜ୍ୟ ଆଇନଜୀବୀ ପରିଷଦ, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତିଙ୍କୁ ପ୍ରଦାନ କରାଯାଇଛି।
ହାଇକୋର୍ଟ ବାର୍ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଆଇନଜୀବୀ ନିଶିକାନ୍ତ ମିଶ୍ର ସୂଚନା ଦେଇ କହିଥିଲେ ଯେ କରୋନା ସଂକ୍ରମଣ ସମୟରେ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ମାମଲାର ଭର୍ଚୁଆଲ ଶୁଣାଣି ବ୍ୟବସ୍ଥା କରାଯାଇଥିଲା। ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତଥା ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଉଦ୍ୟମରେ ରାଜ୍ୟର ୨୦ଟି ସ୍ଥାନରେ ଭର୍ଚୁଆଲ ହାଇକୋର୍ଟ ପ୍ରତିଷ୍ଠା କରାଯାଇଛି। ଏପରି ବ୍ୟବସ୍ଥା ଦ୍ବାରା ବିଭିନ୍ନ ଜିଲ୍ଲାର ଆଇନଜୀବୀମାନେ ଭର୍ଚୁଅାଲ ବ୍ୟବସ୍ଥାରେ ହାଇକୋର୍ଟ ମାମଲାର ଶୁଣାଣିରେ ଅଂଶଗ୍ରହଣ କରି ପାରୁଛନ୍ତି। ଦୂରରେ ରହି ଇ-ଫାଇଲିଂ ଦ୍ବାରା ହାଇକୋର୍ଟରେ ମାମଲା ରୁଜୁ କରି ପାରୁଛନ୍ତି। ହାଇକୋର୍ଟଙ୍କ ଏପରି ପଦକ୍ଷେପକୁ ଆଇନଜୀବୀମାନେ ସ୍ବାଗତ କରିଛନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ।
ଓଡ଼ିଶା ଏକ ଗରିବ ରାଜ୍ୟ ହୋଇଥିବା ବେଳେ ବହୁ କମ୍ ସଂଖ୍ୟକ ଲୋକ ନ୍ୟାୟ ପାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ପାରୁଛନ୍ତି। ଯଦି କୌଣସି ପକ୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ଚାହୁଁଛନ୍ତି ତେବେ ଏଥି ପାଇଁ ତାଙ୍କୁ ଦିଲ୍ଲୀ ଯିବାକୁ ପଡୁଛି। ଓଡ଼ିଶାର ଅଧିକାଂଶ ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେମାନେ ନ୍ୟାୟ ପାଇବା ପାଇଁ ସୁପ୍ରିମକୋର୍ଟ ଯାଇ ମାମଲା ଦାୟର କରିବା ସମ୍ଭବ ହୋଇ ପାରୁ ନାହିଁ। ଓଡ଼ିଶାବାସୀଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଇଁ ସୁପ୍ରିମକୋର୍ଟ ଯିବା ପାଇଁ ଅର୍ଥ ବାଧକ ସାଜିଛି। ତେଣୁ ଅନେକ କ୍ଷେତ୍ରରେ ଲୋକମାନେ ସୁପ୍ରିମକୋର୍ଟ ଯାଇ ନ ପାରି ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ସ୍ଥିତିରେ ହାଇକୋର୍ଟ ପରିସରରେ ସୁପ୍ରିମକୋର୍ଟର ଏକ ଭର୍ଚୁଆଲ ବେଞ୍ଚ୍ ପ୍ରତିଷ୍ଠା କରାଯିବା ଉଚିତ। ଏଥି ସହିତ ସୁପ୍ରିମକୋର୍ଟରେ ମାମଲା ରୁଜୁ ପାଇଁ ଏକ ଇ-ଫାଇଲିଂ କାଉଣ୍ଟର ମଧ୍ୟ ହାଇକୋର୍ଟ ପରିସରରେ ଖେଲାଯିବାର ଆବଶ୍ୟକତା ରହିଛି।
ଓଡ଼ିଶା ହାଇକୋର୍ଟରେ ବହୁ ଦକ୍ଷ ଆଇନଜୀବୀ ଅଛନ୍ତି ଯେଉଁମାନେ ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରି ପାରିବେ। ଓଡ଼ିଶାର ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଏପରି ବ୍ୟବସ୍ଥା କରାଯାଉ। ହାଇକୋର୍ଟ ପରିସରରେ ସୁପ୍ରିମକୋର୍ଟଙ୍କ ଭର୍ଚୁଆଲ ବେଞ୍ଚ ଯଦି ପ୍ରତିଷ୍ଠା କରାଯାଏ ତେବେ ସାଧାରଣ ଲୋକ ସହଜରେ ସୁପ୍ରିମକୋର୍ଟରେ ମାମଲା ଦାୟର କରି ପାରିବେ। ଏହି ପ୍ରସଂଗରେ ରାଷ୍ଟ୍ରପତିଙ୍କୁ ହସ୍ତକ୍ଷେପ କରିବା ପାଇଁ ପ୍ରାର୍ଥନା କରାଯାଇଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ହାଇକୋର୍ଟର ବହୁ ଆଇନଜୀବୀ ଉପସ୍ଥିତ ଥିଲେ।