ସମ୍ବଲପୁର କୁଳପତିଙ୍କ ବହିଷ୍କାର ଦାବି ତେଜୁଛି

ପୁଲିସର ତଦନ୍ତ ଆରମ୍ଭ, ସିସିଟିଭି ଫୁଟେଜ୍ ଯାଞ୍ଚ

ସମ୍ବଲପୁର : ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାୟ ଘଟଣା ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ସଂଜୀବ ମିତ୍ତଲଙ୍କ ଇସ୍ତଫା ଦାବି ତେଜିବାରେ ଲାଗିଛି। ଦୀନବନ୍ଧୁ ଦାୟୀ କରିଥିବା କୁଳପତି ଶ୍ରୀ ମିତ୍ତଲଙ୍କ ସହ ଛାତ୍ରାବାସ ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ ଏବଂ ପିଇଓ ଅବିନାଶ କରଙ୍କୁ ଗିରଫ କରିବାକୁ ମଧ୍ୟ ଦାବି ହୋଇଛି। ଅପରପକ୍ଷରେ ଗତକାଲି ମାମଲା ରୁଜୁ କରିଥିବା ବୁର୍ଲା ପୁଲିସ ଆଜି ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ ଟେକ୍ନିକାଲ ଆସିଷ୍ଟାଣ୍ଟ ଦୀନବନ୍ଧୁ ମିଶ୍ର କୁଳପତିଙ୍କ ଦ୍ବାରା ଅପମାନିତ ହେବାପରେ ସେ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଦୀନବନ୍ଧୁଙ୍କ ପୁଅ ଅଭିଷେକ ମିଶ୍ରଙ୍କ ଏତଲା ଆଧାରରେ ବୁର୍ଲା ପୁଲିସ ଗତକାଲି ଆଇପିସିର ୩୦୬ ଧାରାରେ କୁଳପତି ସଂଜୀବ ମିତ୍ତଲ ଓ ଅନ୍ୟ ଦୁଇ ଜଣଙ୍କ ନାମରେ ମାମଲା ରୁଜୁ କରିଛି।

ଆଜି କୁଳପତିଙ୍କ ପ୍ରକୋଷ୍ଠକୁ ଏକ ପୁଲିସ ଟିମ୍ ସିସିଟିଭି କ୍ୟାମେରା ଫୁଟେଜ୍ ଯାଂଚ ଆରମ୍ଭ କରିଛି। ହେଲେ ପୁଲିସ ପହଂଚିବା ପୂର୍ବରୁ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ହୋଇଥିବା କୁହାଯାଇଛି। ଅପରପକ୍ଷରେ କୁଳପତି ପ୍ରଫେସର ମିତ୍ତଲକୁ ବହିଷ୍କାର କରିବା, ଆତ୍ମହତ୍ୟା ପାଇଁ ଦୀନବନ୍ଧୁଙ୍କୁ ବାଧ୍ୟ କରିବା ଅଭିଯୋଗ ପ୍ରଫେସର ମିତ୍ତଲ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି ବଢ଼ିବାରେ ଲାଗିଛି। ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ କୁଳାଧିପତି ତଥା ରାଜ୍ୟପାଳଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏହି ମର୍ମରେ ଦାବିପତ୍ର ଦିଆଯାଇଛି। ହୀରାଖଣ୍ଡ ସାମ୍ମୁଖ୍ୟ, ସମ୍ବଲପୁର ନାଗିରକ କଲ୍ୟାଣ ସମିତି ପକ୍ଷରୁ ମଧ୍ୟ ଉପରୋକ୍ତ ଦାବିଗୁଡ଼ିକ ସହିତ ବହୁ ବର୍ଷ ହେଲା କାମ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ କରିବାକୁ ଦାବି କରାଯାଇଛି।

ସମ୍ବଲପୁର ବିଶ୍ବବିଦ୍ୟାଳୟର କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହତ୍ୟାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସ୍ପଷ୍ଟ ‌ଦିବାଲୋକରେ କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ସେ ଆତ୍ମାହୁତି ଦେବା ସମଗ୍ର ରାଜ୍ୟକୁ ସ୍ତବ୍‌ଧ କରି ଦେଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ସେହିପରି ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କୁଳପତିଙ୍କୁ ଗିରଫ କରିବା, ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଦୀନବନ୍ଧୁଙ୍କ ପୁଅକୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର