ସୋନପୁର : ଚାଷୀ ସମସ୍ୟା ସମାଧାନ ଦାବିରେ ସୋମବାର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଏକ ବାଇକ ଶୋଭାଯାତ୍ରା ସୋନପୁର ବାଲାଜି ମନ୍ଦିରରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏହାପରେ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ଜିଲ୍ଲାପାଳଙ୍କ ଜରିଆରେ ୫ ଦଫା ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା। ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କୁ ପ୍ରଦାନ କରାଯାଇଥିଲା।
ଦାବି ମଧ୍ୟରେ ରହିଛି ଖାଦ୍ୟ ସୁରକ୍ଷା ଆଇନରେ ଚାଷୀର ଦ୍ରବ୍ୟ ଉତ୍ପାଦନଠାରୁ ବିକ୍ରୟ ପର୍ଯ୍ୟନ୍ତ ଆଇନଗତ ବିଧାନ କରିବା, ବର୍ଷସାରା ଏମ୍ଏସ୍ପି ଦରରେ ଚାଷୀଙ୍କୁ ସରକାରୀ, ବେସରକାରୀ ଦୋକାନରେ କୃଷି ଦ୍ରବ୍ୟ ବିକ୍ରୟ କରିବାର ସୁବିଧା ପ୍ରଦାନ କରିବା, ସରକାର ସିଧାସଳଖ ଧାନ କ୍ରୟ କରିବା ଏବଂ ଚାଷୀ ପରିଚୟ ଟୋକନ ବ୍ୟବସ୍ଥା ସଂପୂର୍ଣ୍ଣ ଉଛେଦ କରିବା, ଜୁନ ୩୦ରେ ରବିଧାନ କ୍ରୟ ଅବଧି ସରିଥିବାରୁ ବିକ୍ରି କରିପାରିନଥିବା ଚାଷୀଙ୍କଠାରୁ ସ୍ବତନ୍ତ୍ର ମଣ୍ଡି ମାଧ୍ୟମରେ ବଳକା ଧାନକୁ ଯୁଦ୍ଧକାଳୀନ ଭିତ୍ତିରେ ସରକାର କ୍ରୟ କରିବା, ଚଳିତ ବର୍ଷ ଭୁଲ ପଞ୍ଜୀକରଣ କରାଯାଇଥିବାରୁ ଅନେକ ଚାଷୀ କ୍ଷତି ସହିଛନ୍ତି ଏପରିକି ମାସାଧିକ କାଳ ବିଭିନ୍ନ ଅଫିସ ଦୌଡ଼ି ହଇରାଣ ହୋଇଛନ୍ତି ଏବଂ ମାନସିକ ନିର୍ଯାତନା ମଧ୍ୟ ପାଇଛନ୍ତି। ଏଣୁ ଏହି ଷଡ଼ଯନ୍ତ୍ରର ତଦନ୍ତ କରାଯାଇ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା।
ଜିଲ୍ଲା କୃଷକ ସଂଗଠନ ସଭାପତି ବୈକୁଣ୍ଠନାଥ ଶତପଥୀଙ୍କ ନେତୃତ୍ବରେ ଅନୁଷ୍ଠିତ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସଂପାଦକ ହିମାଂଶୁ ଶେଖର ଭୋଇ, ଉପସଭାପତି ଧରଣୀଧର ପାଢ଼ୀ, ପଦ୍ମଲୋଚନ ମିଶ୍ର, ପ୍ରଦୀପ ପୁରୋହିତ, ନରେନ୍ଦ୍ର ଆଚାର୍ଯ୍ୟ, ସୁଧୀର ବଘାର, ଗୋପାଳ ଚନ୍ଦ୍ର ଦାଶ, ଗୋବିନ୍ଦ ମିଶ୍ର, ନରୋତ୍ତମ ପ୍ରଧାନ, ନରସିଂହ ପ୍ରଧାନ ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/01308fe0-8aeb-434e-a338-7f9c94f43452.jpg)