ମତ୍ସ୍ୟ ନିର୍ଦ୍ଦେଶକଙ୍କ ବିରୋଧରେ ଅଧିକାରୀଙ୍କ ଫେରାଦ : ବଦଳି ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଭୁବନେଶ୍ବର : ମତ୍ସ୍ୟ ନିର୍ଦ୍ଦେଶାଳୟରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ନି‌େର୍ଦ୍ଦଶକଙ୍କ ବିରୋଧରେ ବରିଷ୍ଠ ଅଧିକାରୀମାନଙ୍କର ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ନିର୍ଦ୍ଦେଶକଙ୍କୁ ବଦଳି କରିବା ପାଇଁ ଓଡ଼ିଶା ମତ୍ସ୍ୟ ସେବା ସଂଘ(ଓଏଫ୍‌ଏସ୍‌ଏ) ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ତାଙ୍କୁ ତୁରନ୍ତ ବଦଳି କରା ନ ଗଲେ ନି‌େର୍ଦ୍ଦଶାଳୟର କାର୍ଯ୍ୟ ଭୀଷଣ ବାଧାପ୍ରାପ୍ତ ହେବ ବୋଲି ସଂଘ ସତର୍କ କରାଇଦେଇଛି।

ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି, ନିର୍ଦ୍ଦେଶକ ପି କେ ସେନାପତି ବରିଷ୍ଠ ଅଧିକାରୀ, ସଂଘର ସଦସ୍ୟମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି। ଅଧିକାରୀମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ନିଜର ନ୍ୟସ୍ତ ସ୍ବାର୍ଥ ପାଇଁ ଅଧିକାରୀଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ସୃଷ୍ଟି କରାଉଛନ୍ତି। ଏହା ନିର୍ଦ୍ଦେଶାଳୟରେ ଅସ୍ବସ୍ତିକର ପରିବେଶ ସୃଷ୍ଟି କରିବା ସହ ବିକାଶ ଦିଗରେ ନକରାତ୍ମକ ପ୍ରଭାବ ପକାଉଛି। କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବିଭାଗୀୟ ସଚିବଙ୍କ ବିରୋଧରେ କାମ କରିବା ପାଇଁ ସେ ଉସ୍‌କାଉଛନ୍ତି। କ୍ଷେତ୍ର ସମସ୍ୟା ସମ୍ପର୍କରେ ନିର୍ଦ୍ଦେଶକ ବୁଝିପାରୁ ନାହାନ୍ତି ଓ ତାହାର ସମାଧାନର ବାଟ ବି ବହାର କରିପାରୁ ନାହାନ୍ତି।

ସଂଘ ଯୁକ୍ତି ଦର୍ଶାଇଛି, କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମତ୍ସ୍ୟ ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟ ଏବେ ଦ୍ରୁତ ଗତିରେ ଚାଲିଛି। ଲକ୍ଷାଧିକ ମତ୍ସ୍ୟ ଚାଷୀ ଓ ମତ୍ସ୍ୟଜୀବୀଙ୍କ ଜୀବିକା ଏହି ବିଭାଗ ଦ୍ବାରା ପରିଚାଳିତ ହେଉଛି। ଆତ୍ମନିଯୁକ୍ତି, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଔଦ୍ୟୋଗିକ ବିକାଶ ପାଇଁ ମତ୍ସ୍ୟ କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି। ଏହି କ୍ଷେତ୍ରର ବିକାଶ ପାଇଁ ଅନେକ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନା କାର୍ଯ୍ୟକାରୀ କରାଯାଉଛି। ବିଭାଗୀୟ ସଚିବଙ୍କ ନେତୃତ୍ବରେ ଫଳପ୍ରଦ ଭାବେ ବହୁ ପଦକ୍ଷେପ ହାତକୁ ନିଆଯାଉଛି। ସେହିପରି କୃଷି ଉତ୍ପାଦନ କମିସନ୍‌ଙ୍କ ମାର୍ଗଦର୍ଶନ ଏ ଦିଗ‌େର ସହାୟକ ହେଉଛି। ବିଭିନ୍ନ ଯୋଜନାରେ ଲକ୍ଷ୍ୟ ହାସଲ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଓଡ଼ିଶା ମତ୍ସ୍ୟ ସେବା ସଂଘ ପକ୍ଷରୁ ପ୍ରସ୍ତାବ ଗୃହୀତ ହୋଇଛି। ସଂଘର ସଦସ୍ୟମାନେ ବୃତ୍ତିଗତ ଶିକ୍ଷା ହାସଲ କରି ନିଯୁକ୍ତି ପାଇଛନ୍ତି। କିନ୍ତୁ ବର୍ତ୍ତମାନର ନିର୍ଦ୍ଦେଶକ ଶ୍ରୀ ସେନାପତି ଏହି ପଦବିରେ ରହିଲେ ନିଶ୍ଚିତ ଭାବେ ମତ୍ସ୍ୟ କ୍ଷେତ୍ରରେ ବିକାଶ ଭୀଷଣ ଭାବେ ବାଧାପ୍ରାପ୍ତ ହେବ। ତାଙ୍କର ଏହି ବିଭାଗ ପାଇଁ କାମ କରିବାରେ କିଛି ଆଗ୍ରହ ନାହିଁ। ଅତୀତରେ ବିଭାଗର କେ‌େ‌ବ କୌଣସି ଉଚ୍ଚ କର୍ତ୍ତୃପକ୍ଷଙ୍କ ବିରୋଧରେ ସଂଘ କେବେ ଯାଇ ନାହିଁ। ବରଂ ସବୁବେଳେ ସହଯୋଗର ହାତ ବଢ଼ାଇ ଆସିଛି। ବିଭାଗର ଓ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶକଙ୍କୁ ବଦଳି କରିବା ପାଇଁ ଦାବି କରାଯାଇଛି। ମତ୍ସ୍ୟ କ୍ଷେତ୍ରରେ ଯଥେଷ୍ଟ ଜ୍ଞାନ ସହ ସକରାତ୍ମକ ଦୃଷ୍ଟିକୋଣ ଥିବା ଜଣେ ଅଧିକାରୀଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେବାକୁ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି।

ସମ୍ବନ୍ଧିତ ଖବର