ଝାରସୁଗୁଡ଼ା ଦେଇ ଦିଲ୍ଲୀ ଓ ମୁମ୍ବାଇ ବିମାନ ଚଳାଚଳ ଦାବି

ପ୍ରବାସୀ ଓଡ଼ିଆଙ୍କ ସ୍ମାରକ ପତ୍ର

ସମ୍ବଲପୁର : ଝାରସୁଗୁଡ଼ାଠାରେ ଉଦଘାଟିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ମୁଖ୍ୟ ସହରମାନଙ୍କୁ ସିଧାସଳଖ ବିମାନ ଚଳାଇବା ସକାଶେ ପ୍ରବାସୀ ଓଡ଼ିଆ ନାଗରିକମାନେ ଦାବି କରିଛନ୍ତି। ୟୁନାଇଟେଡ୍ ଆରବ୍ ଏମିରେଟ୍ସ (ୟୁଏଇ)ରେ ରହୁଥିବା ଇଣ୍ଟରନେସନାଲ୍ ସିପିଙ୍ଗ ଏଣ୍ତ ଲଜିଷ୍ଟିକ୍ସର ସିଇଓ ସୋମ୍ୟରଞ୍ଜନ ପଟ୍ଟନାୟକ, ୱିପ୍ରୋ(ମଧ୍ୟ ପ୍ରାଚ୍ୟ)ର ଜିଏମ୍‌ ପ୍ରିୟଦର୍ଶୀ ପାଣିଗ୍ରାହୀ, ଭିଏଫ୍‌ଏସ୍‌ ତାସି ର ଆଇନ୍ ବିଭାଗର ମୁଖ୍ୟ ଅରବିନ୍ଦ ବିଶ୍ବାଳ ପ୍ରମୁଖ ଦୁବାଇରେ ଅବସ୍ଥାପିତ ଭାରତୀୟ ବାଣିଜ୍ୟଦୂତ ଶ୍ରୀ ବିପୁନକୁ ସାକ୍ଷାତ କରି ଏ ବାବଦରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏନଭେଣ୍ଟ ଇଲେକ୍‌ଟ୍ରିକାଲ୍ (ମଧ୍ୟ ପ୍ରାଚ୍ୟ)ର ନିର୍ଦ୍ଦେଶକ ମାନସ ପଣ୍ତା, ଏସ୍‌ପି ଜୈନ୍ ଗ୍ଲୋବାଲ୍ ମେନେଜମେଣ୍ଟ ସ୍କୁଲର ଜିଏମ ରାଜେଶ ତ୍ରିପାଠୀ, ଅର୍ଥନୀତିଜ୍ଞ ରଜତ ରଥ ମଧ୍ୟ ଏହି ସ୍ମାରକପତ୍ରରେ ହସ୍ତାକ୍ଷର କରିଛନ୍ତି।

ଏହି ସ୍ମାରକ ପତ୍ରରେ କୁହାଯାଇଛି, ପଶ୍ଚିମ ଓଡ଼ିଶାର ବହୁ ଲୋକ ବିଦେଶରେ ରହୁଛନ୍ତି। ଏମାନଙ୍କୁ ମୁଖ୍ୟତଃ ନୂଆଦିଲ୍ଲୀ ଦେଇ ଭୁବନେଶ୍ବର କିମ୍ବା ରାଏପୁରକୁ ବିମାନ ଯୋଗେ ଆସିବାକୁ ପଡ଼ିଥାଏ। ଏଥିଯୋଗୁଁ ଯାତ୍ରା କଷ୍ଟ ବଢିଯାଏ। ବ୍ୟାବସାୟିକ କ୍ଷତି ହୁଏ। ଝାରସୁଗୁଡ଼ା ନୂଆ ବିମାନ ବନ୍ଦରକୁ ଦେଶ ଓ ବିଶ୍ବର ବଡ଼ ସହରକୁ ସିଧାସଳଖ ବିମାନ ଯୋଗାଯୋଗ ଆରମ୍ଭ କରାଗଲେ ଏହି ବିମାନ ବନ୍ଦର ଭଲ ଚାଲିପାରିବ। ଏପରି କି ଏନ୍‌ଆଇଟି, ଆଇଆଇଏମ୍, ଭିଏସ୍‌ଏସ୍‌ୟୁଟି, ଭିମସାର୍ ଭଳି ବୃହତ୍ ଶିକ୍ଷାନୁଷ୍ଠାନ ଥିଲେ ମଧ୍ୟ ପ୍ଲେସମେଣ୍ଟ ପାଇଁ ବିମାନ ସ˚ଯୋଗ ଅଭାବରୁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବ˚ ବୃହତ୍ କମ୍ପାନୀମାନେ ଆସି ପାରୁନାହାନ୍ତି। ସେହିଭଳି ପଶ୍ଚିମ ଓଡ଼ିଶାରେ କେତେକ ବୃହତ୍ ଶିଳ୍ପାନୁଷ୍ଠାନ ମଧ୍ୟ ରହିଛି। ପର୍ଯ୍ୟଟନ ସ୍ଥଳ ସହିତ ସମ୍ବଲପୁରୀ ବାନ୍ଧ ବସ୍ତ୍ରର ସମ୍ଭାର ରହିଥିଲେ ମଧ୍ୟ ବାହାର ପର୍ଯ୍ୟଟକମାନେ ଆସୁ ନାହାନ୍ତି। ଏହି ସବୁକୁ ଦୃଷ୍ଟିରେ ରଖି ଭୁବନେଶ୍ବରରୁ ଦୈନିକ ନୂଆଦିଲ୍ଲୀକୁ ଯାଉଥିବା ୧୧ଟି ଏବ˚ ମୁମ୍ବାଇକୁ ଯାଉଥିବା ୪ଟି ବିମାନକୁ ପ୍ରାଥମିକ ଭାବେ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ଚଳାଗଲେ ସମସ୍ତେ ଉପକୃତ ହୋଇ ପାରିବେ।

ଏହି ପ୍ରବାସୀ ଓଡ଼ିଆମାନଙ୍କ ସହ ଆଲୋଚନା ସମୟରେ କନ୍ସଲ୍ ଜେନେରାଲ୍ ଶ୍ରୀ ବିପୁଲ ରାଉରକେଲାରେ କିଛି ମାସ ରହିଥିବା କହିଥିଲେ। ବଡ଼ ସହରମାନଙ୍କ ସହ ଝାରସୁଗୁଡ଼ାକୁ ବିମାନ ଚଳାଚଳ ପାଇଁ କେନ୍ଦ୍ର ବେସାମରିକ ବିମାନ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଝାରସୁଗୁଡ଼ାକୁ ଗୋଟିଏ ନାହିଁ,ସିକିମରେ ୩ ପ୍ରମୁଖ ବିମାନ
ସେପ୍ଟେମ୍ବର ମାସ ୨୨ ତାରିଖରେ ଉଦଘାଟିତ ହୋଇଥିଲା ଝାରସୁଗୁଡ଼ା ବିମାନବନ୍ଦର। ସେତେବେଳେ ଭୁବନେଶ୍ବର ଏବଂ ରାୟପୁରକୁ ବିମାନ ଉଡ଼ାଣ ହେବା ନେଇ ଘୋଷଣା କରାଯାଇ ଥିଲା। ଗୋଟିଏ ମାସ ପରେ ବି ଝାରସୁଗୁଡ଼ାକୁ କୌଣସି ପ୍ରମୁଖ ସହରରୁ ବିମାନ ଉଡ଼ାଣ ହୋଇନାହିଁ। ଏମିତିକି ଭୁବନେଶ୍ବର ଏବଂ ରାୟପୁରକୁ ମଧ୍ୟ ବିମାନ ଉଡ଼ାଣ ବନ୍ଦ ହୋଇ ଯାଇଛି। ପଶ୍ଚିମ ଓଡ଼ିଶାର ପ୍ରଥମ ବିମାନକେନ୍ଦ୍ର ଭାବରେ ଏହା କେବଳ ଏକ ପର୍ଯ୍ୟଟନ କେନ୍ଦ୍ର ହୋଇ ରହି ଯାଇଛି। ଅପରପକ୍ଷେ ଝାରସୁଗୁଡ଼ାର ଦୁଇ ଦିନ ପରେ ଉଦ୍‌ଘାଟିତ ହୋଇଥିଲା ସିକିମ ବିମାନବନ୍ଦର। ଏବେ ଏଠାରୁ ଦିଲ୍ଲୀ, କୋଲକାତା ଏବଂ ଗୌହାଟି ଭଳି ପ୍ରମୁଖ ସହରକୁ ବିମାନ ଉଡ଼ାଣ ହେଉଥିବା ଏହି ପ୍ରବାସୀ ଓଡ଼ିଆ ପ୍ରତିନିଧି ଦଳ କହିଛନ୍ତି।

ସମ୍ବନ୍ଧିତ ଖବର