ଭୁବନେଶ୍ବର : ଭାରତୀୟ ସ୍ଥଳସେନାରେ ପଞ୍ଜାବ ରେଜିମେଣ୍ଟ, ଗୋର୍ଖା ରେଜିମେଣ୍ଟ, ଆସାମ ରେଜିମେଣ୍ଟ ଭଳି ରେଜିମେଣ୍ଟ ରହିଛି। କିନ୍ତୁ ନିଜ ପରାକ୍ରମ, ଅଦମ୍ୟ ସାହସ ବଳରେ ପରାଧୀନ ଭାରତରେ ବ୍ରିଟିସ୍‌ ସେନାକୁ ଭୟଭୀତ ତଥା ବିଚଳିତ କରିଥିବା ଲଢ଼ୁଆ ପାଇକମାନଙ୍କ ସମ୍ମାନା‌ର୍ଥେ ଏକ ପାଇକ ରେଜିମେଣ୍ଟ ଗଠନ ହୋଇନପାରିବା ଦୁର୍ଭାଗ୍ୟର ବିଷୟ। ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ହେଲେ, ଓଡ଼ିଶାର ହଜାର ହଜାର ଯୁବକ କର୍ମନିଯୁକ୍ତି ପାଇବା ସହ ଦେଶମାତୃକାର ସେବା ପାଇଁ ନିଜକୁ ଉତ୍ସର୍ଗ କରିପାରିବେ। ତେଣୁ ଏ ସଂପର୍କରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯଥାଶୀଘ୍ର ପଦକ୍ଷେପ ନିଅନ୍ତୁ। ମହାନ୍‌ ବିପ୍ଳବୀ ତଥା ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ଆଜି ଏପରି ଦାବି କରିଛି ଓଡ଼ିଶା ପାଇକ ଏକା‌ଡେମି।

Advertisment

ଓଡ଼ିଶା ପାଇକ ରେଜି‌ମେଣ୍ଟ ଗଠନ ପାଇଁ ଏକାଡେମି ପକ୍ଷରୁ ସୋମବାରଠାରୁ ସଂଗ୍ରାମ ଅଭିଯାନ ଆରମ୍ଭ ହେଲା ବୋଲି ଏକାଡେମିର ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ। ଆସନ୍ତା ମାର୍ଚ ୨୯ ତାରିଖରେ ଭୁବନେଶ୍ବର ରାଜରାସ୍ତାରେ ଏକ ଲକ୍ଷ ପାଇକଙ୍କ ଜନଗର୍ଜନ ଶୋଭାଯାତ୍ରା ସହ ଜନତା ମଇଦାନରେ ଏକ ପ୍ରତିବାଦ ସଭା ଆୟୋଜନ କରାଯିବ ବୋଲି ଏହି ଅବସରରେ ଶ୍ରୀ ଶ୍ରୀଚନ୍ଦନ ସୂଚନା ଦେଇଥିଲେ। ସେହିପରି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଦାବି ଓ ରାଷ୍ଟପ୍ରତି ଶିଳାନ୍ୟାସ କରିଥିବା ସ୍ଥାନକୁ ଯଥାଶୀଘ୍ର ହସ୍ତାନ୍ତର କରିବା ପାଇଁ ମଧ୍ୟ ଏହି ଅବସରରେ ଦାବି କରାଯାଇଥିଲା।

କଳ୍ପନା ଛକସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି‌ରେ ଏକାଡେମି ପକ୍ଷରୁ ମାଲ୍ୟାର୍ପଣ କରାଯିବା ସହ ସ୍ମୃତିଚାରଣ କରାଯାଇଥିଲା। ସଭାରେ ଓଡ଼ିଶା ବୀର ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ନ୍ୟୁ ଥିଙ୍କିଙ୍ଗ ଫୋରମ୍‌ର ସଭାପତି ନରେନ୍ଦ୍ର ପୃଷ୍ଟି, ସମାଜସେବୀ ଗଣେଶ ସାମନ୍ତ, ସୁନିଲ ସୁନ୍ଦରାୟ, ଅଜୟ ଗୁମାନସିଂହ ତଥା ବହୁ ବୁଦ୍ଧିଜୀବୀ ଓ ଐତିହାସିକ ଯୋଗ ଦେଇଥିଲେ।