ବ୍ରହ୍ମପୁର: କେବଳ ଆମ ରାଜ୍ୟ ନୁହେଁ, ଦେଶର ସର୍ବାଧିକ କିଆ ଜଙ୍ଗଲ ଗଞ୍ଜାମରେ। ଗଞ୍ଜାମ ଜିଲ୍ଲାର କିଆଫୁଲର ବେଶ୍ ଚାହିଦା ମଧ୍ୟ ସବୁଠାରୁ ବେଶି। ଓଡ଼ିଶାରେ ଏହି ଫୁଲର ପ୍ରକ୍ରିୟାକରଣ, ବିକ୍ରି ଉପରେ ଗୁରୁତ୍ବ ଦିଆଯାଉ ନଥିବା ବେଳେ ଜାତୀୟ ବଜାରରେ ଏହି କିଆଫୁଲର ଚାହିଦା ଆକାଶଛୁଆଁ। ବିଶ୍ବବଜାରରେ ସେଣ୍ଟ୍ ବା ଅତର ବଜାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷ କରି ଭାରତର ଉତ୍ତରପ୍ରଦେଶ ବଜାରରେ ଗଞ୍ଜାମ କିଆଫୁଲର ମହକ କାହିଁରେ କ’ଣ। ଉତ୍ତରପ୍ରଦେଶ କନୌଜରେ ତିଆରି ହେଉଥିବା ବିଭିନ୍ନ ପ୍ରକାର ସେଣ୍ଟ୍ ବା ଅତରରେ କିଆଫୁଲ ତେଲ ବ୍ୟବହାର ହୋଇଥାଏ। ଏଥିପାଇଁ ଉତ୍ତରପ୍ରଦେଶର ବେପାରୀମାନେ ଗଞ୍ଜାମ କିଆଫୁଲ ଉପରେ ନିର୍ଭର କରନ୍ତି। ଏପରିକି କିଆଫୁଲ ତେଲର ଗୋଟିଏ ଲିଟର୍ ବଜାର ମୂଲ୍ୟ ପ୍ରାୟ ୮/୯ ଲକ୍ଷ ହେବ ବୋଲି ଚାଷୀମାନେ କହିଛନ୍ତି। କିନ୍ତୁ ଓଡ଼ିଶାରେ ଏହି ତେଲ ବିକ୍ରି ବ୍ୟବସ୍ଥା କି କୌଣସି ବଜାର ସୁବିଧା ନଥିବାରୁ ଚାଷୀ ବାଧ୍ୟ ହୋଇ ତାହା ଉତ୍ତରପ୍ରଦେଶ ବେପାରୀଙ୍କ ହାତରେ ଟେକି ଦେଉଛନ୍ତି। ଫଳରେ ଗଞ୍ଜାମର କିଆଫୁଲ ଚାଷୀ ଉଚିତ ପ୍ରାପ୍ୟ ପାଉ ନାହାନ୍ତି।
ଗଞ୍ଜାମ ଜିଲ୍ଲାରେ ବିଶେଷ କରି ଛତ୍ରପୁର, ରଂଗେଇଲୁଣ୍ଡା ଓ ଚିକିଟି ବ୍ଲକ୍ରେ କିଆଫୁଲ ଚାଷ ହୋଇଥାଏ। ସମୁଦ୍ର ଉପକୂଳରେ ରହିଥିବା ଏହି ୩ଟି ବ୍ଲକ୍ର ଜଳବାୟୁ କିଆଫୁଲ ଚାଷ ପାଇଁ ସର୍ବୋତ୍କୃଷ୍ଟ। ରଂଗେଇଲୁଣ୍ଡା ବ୍ଲକ୍ର ଇନ୍ଦ୍ରାକ୍ଷୀ, ମେଣ୍ଡରାଜପୁର, ଶାସନପଦର, କେଲୁଆପଲ୍ଲୀ, ଲଉଡ଼ିଗାଁ ପଞ୍ଚାୟତର ପ୍ରତ୍ୟେକ ଗ୍ରାମବାସୀ କିଆଫୁଲ ଚାଷ ଉପରେ ନିର୍ଭର କରନ୍ତି। ସେହିପରି ଛତ୍ରପୁର ଓ ଚକିଟି ବ୍ଲକ୍ର ବିସ୍ତୀର୍ଣ୍ଣ ଅଂଶରେ କିଆଫୁଲ ଚାଷ ହେଉଛି। କିଆଫୁଲ ଚାଷୀଙ୍କ ଫୁଲ ବିକ୍ରି ପାଇଁ ଆଞ୍ଚଳିକ କିଆଫୁଲ ଚାଷୀ କମିଟି ଗଠନ କରାଯାଇଛି। କେଲୁଆପଲ୍ଲୀ, ଭୈରବୀ ଓ ଛତ୍ରପୁରରେ ରହିଥିବା ଏହି ୩ଟି କମିଟିର ମଣ୍ଡି ଜରିଆରେ ଚାଷୀଙ୍କ ଫୁଲ କ୍ରୟ କରା ଯାଇଥାଏ। କମିଟି ଧାର୍ଯ୍ୟ କରିଥିବା ଦର ଅନୁସାରେ ଗୋଟିଏ ଫୁଲର ଦର ୧୨ଟଙ୍କା ୫୦ ପଇସା ରହିଛି। ବିଶେଷ କରି ଜୁନ୍ ମାସରୁ ଅଗଷ୍ଟ ମାସ ମଧ୍ୟରେ କିଆଫୁଲ ଅଧିକ ମାତ୍ରାରେ ଫୁଟିଥାଏ। କେଉଁବର୍ଷ କେତେ ଫୁଲ ଓ କେଉଁ ମାନର ଫୁଲ ହେବ ତାହା ପରିବର୍ତ୍ତିତ ଜଳବାୟୁ ଉପରେ ନିର୍ଭର କରିଥାଏ ବୋଲି ଚାଷୀ କେ.ବାଳକ୍ରିଷ୍ଣା ରେଡ୍ଡି କହିଛନ୍ତି। ଅନ୍ୟ ସମୟରେ ଫୁଲ କମ୍ ଆସିଥାଏ। ସେହି ସମୟରେ ଗୋଟିଏ ଫୁଲ ଦର କଳାବଜାରରେ ୪୦ଟଙ୍କା ଦେଇ ଚାଷୀଙ୍କ ଠାରୁ ଉତ୍ତରପ୍ରଦେଶର ବେପାରୀମାନେ କିଣି ନେଇଥାନ୍ତି। ବେପାରୀମାନେ ଚାଷୀଙ୍କ ଠାରୁ କିଆଫୁଲ କିଣି ତାହା ଭାଟିରେ ପକାଇ ତେଲ ବା ରୁହ୍ ବାହାର କରିଥାନ୍ତି। କିଆଫୁଲରୁ ୩ଟି ସାମଗ୍ରୀ ବାହାରିଥାଏ। କିଆଫୁଲକୁ କାଠଚୂଲି ଭାଟିରେ ସିଝାଇ ତା’ର ବାଷ୍ପକୁ ଅନ୍ୟ ସାମଗ୍ରୀରେ ମିଶ୍ରଣ କରି ତାକୁ ସୁଗନ୍ଧିତ କରାଯାଇଥାଏ। ସେହିପରି କିଆଫୁଲରୁ ବାହାରୁଥିବା ଜଳକୁ ସଂଗ୍ରହ କରି ପାଣି ଓ ତେଲକୁ ପୃଥକ୍ କରା ଯାଇଥାଏ। ସେହି ତେଲ ହେଉଛି କିଆଫୁଲର ଆତ୍ମା। ଯାହାକି ସେଣ୍ଟ୍, ପାନମସଲା ଓ ଗୁଟଖା ସହିତ ବିଭିନ୍ନ ଔଷଧରେ ମଧ୍ୟ ବ୍ୟବହାର କରା ଯାଇଥାଏ ବୋଲି କେଲୁଆପଲ୍ଲୀ କମିଟିର ସଦସ୍ୟ କୁଳମଣି ନାୟକ କହିଛନ୍ତି।
ଉତ୍ତରପ୍ରଦେଶର କନୌଜ, ଲକ୍ଷ୍ମୌ ଭଳି ସହରରେ ବିଭିନ୍ନ ପ୍ରକାର ସେଣ୍ଟ୍ ଓ ଅତର ପ୍ରସ୍ତୁତ କରାଯାଇ ଦେଶର ବିଭିନ୍ନ ସ୍ଥାନକୁ ରପ୍ତାନି କରାଯାଇଥାଏ। ଏଣୁ ପ୍ରତିବର୍ଷ ସେଠାକାର ବେପାରୀମାନେ କିଆଫୁଲ ତେଲ କିଣିବା ପାଇଁ ଗଞ୍ଜାମ ଆସିଥାନ୍ତି। ରଂଗେଲୁଣ୍ଡା ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ୧୨୦ ପାଖାପାଖି କିଆଫୁଲ ଭାଟି ରହିଥିବା ବେଳେ ବର୍ତ୍ତମାନ ପ୍ରାୟ ୭୫/୮୦ କାର୍ଯ୍ୟକ୍ଷମ ରହିଛି। ତନ୍ମଧ୍ୟରୁ ଗଞ୍ଜାମ ବେପାରୀଙ୍କ ୨୦ ପ୍ରତିଶତ ଭାଟି ରହିଥିବା ବେଳେ ଉତ୍ତରପ୍ରଦେଶ ବେପାରୀଙ୍କ ୮୦ ପ୍ରତିଶତ ଭାଟି ରହିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ଉତ୍ତରପ୍ରଦେଶର ବେପାରୀମାନେ କିଆଫୁଲ ଚାଷକୁ ନିଜ କବ୍ଜାକୁ ନେଇଗଲେଣି। ଓଡ଼ିଶାରେ କିଆଫୁଲର ଚାହିଦା ନାହିଁ କି ତାହା ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇ ପାରୁନି। ଏଣୁ ଗଞ୍ଜାମ ଜିଲ୍ଲାର କିଆଫୁଲ ଚାଷୀ ଉତ୍ତରପ୍ରଦେଶ ବେପାରୀଙ୍କ ଉପରେ ହିଁ ଭରସା କରୁଛନ୍ତି। ଚାଷୀଙ୍କ ଠାରୁ କମ୍ ମୂଲ୍ୟରେ ଫୁଲ କିଣି ନେଇ ସେମାନେ କୋଟି କୋଟି ଟଙ୍କାର ବେପାର କରୁଛନ୍ତି। କିନ୍ତୁ ଚାଷୀ ତାଙ୍କର ପ୍ରକୃତ ପ୍ରାପ୍ୟ ପାଇପାରୁ ନାହାନ୍ତି। କିଆଫୁଲ ଚାଷ ନିମନ୍ତେ ଓଡ଼ିଶାରେ ବଜାର ବ୍ୟବସ୍ଥା କରାଯାଇ ପାରିଲେ ଚାଷୀମାନେ କିଛିଟା ଉପକୃତ ହୁଅନ୍ତେ। ଏବେ ରାଜ୍ୟ ସରକାର ଉଦ୍ୟାନ ବିଭାଗ ତରଫରୁ କିଆଫୁଲ ଚାଷୀଙ୍କ ସର୍ଭେ କରାଯାଉଛି। ସେମାନଙ୍କୁ ଅନ୍ୟ ଚାଷୀଙ୍କ ଭଳି ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ସରକାରୀସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ଚାଷୀ ଶ୍ରୀ ରେଡ୍ଡି କହିଛନ୍ତି।