ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ବନ୍ଦ ଡାକରାକୁ ବିପୁଳ ସମର୍ଥନ

ଜୟପୁର : ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିକୁ ନେଇ ଜୟପୁର ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଜୟପୁର ଓକିଲ ସଂଘ ପକ୍ଷରୁ ଆଜି ଅଟୋରେ ମାଇକ ଯୋଗେ ଏବଂ ଜାଗୃତି ରଥ ଦ୍ବାରା ଆସନ୍ତା ୧୮ତାରିଖ ବନ୍ଦ ନେଇ ପ୍ରଚାର କରାଯାଇଥିଲା। ସେହିପରି ଆଜି ଦୁଇଟି ପ୍ରତିନିଧି ଦଳ ରାୟଗଡା ଓ ଉମରକୋଟ ଯାଇଥିବା ସୂଚନା ମିଳିଛି। ରାୟଗଡା ଓକିଲ ସଂଘର ବୈଠକରେ ଆନ୍ଦୋଳନକୁ ବ୍ୟାପକ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସଭାପତି ବିରେଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେଭଳି ଦାବିରେ ଯଥାର୍ଥତା ରହିଥିବାରୁ ସିପିଆଇ ପୂରା ସମର୍ଥନ କରୁଛି ବୋଲି ଏକ ପ୍ରେସ ବିବୃତ୍ତିରେ ସିପିଆଇ ଜିଲ୍ଲା ସଂପାଦକ ଯୁଧିଷ୍ଠିର ରାଉଳ ଜଣାଇଛନ୍ତି। ଷ୍ଟାମ୍ପ ଭେଣ୍ଡର ୟୁନିୟନ ଜୟପୁର ପକ୍ଷରୁ ବି ବନ୍ଦକୁ ସମର୍ଥନ କରାଯାଉଛି ବୋଲି ରମେଶ ଚନ୍ଦ୍ର ନାୟକ, ଗୋକୁଳ ଚନ୍ଦ୍ର ପାତ୍ର, ଶ୍ରୀନିବାସ କୁମାର ରାୟ ଜଣାଇଛନ୍ତି।

ତେବେ ବନ୍ଦ ଦିନ ମଙ୍ଗଳବାର ସାପ୍ତାହିକ ହାଟ ଥିବାରୁ ହାଟକୁ ଯାଉଥିବା ବ୍ୟବସାୟୀ ମାନେ ଚିନ୍ତାରେ ପଡିଛନ୍ତି। ତେବେ ବେଶି ଚିନ୍ତାରେ ଇଂଜନିୟରିଂ ଓ କଲେଜ ଛାତ୍ରଛାତ୍ରୀ ରହିଛନ୍ତି। ୧୮ତାରିଖ ପୂର୍ବରୁ ଇିଂଜନିୟରିଂର ସେମିଷ୍ଟାର ପରୀକ୍ଷା ନଥିଲା। କିନ୍ତୁ ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିକୁ ନେଇ ୩ଦିନିଆ ବନ୍ଦ ଡାକାରା ଦେବା ପରେ ୧୭ତାରିଖର ପରୀକ୍ଷାକୁ ୧୮ତାରିଖକୁ ଘୁଂଚାଇ ଦେବାକୁ ଏସସିଟିଇଭିଟି ପକ୍ଷରୁ ବିଭିନ୍ନ ଇଂଜିନିୟରିଂ କଲେଜ କର୍ତ୍ତୃପକ୍ଷକୁ ସୂଚନା ଦିଆଯାଇଛି। ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୮ରେ ବନ୍ଦ ପାଳନ ହେଉଥିବାରୁ ଏହି ପରିସ୍ଥିତିରେ କଲେଜ କର୍ତୃପକ୍ଷ ବି ଚିନ୍ତାରେ ପଡିଛନ୍ତି। ଅନ୍ୟପକ୍ଷରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମଧ୍ୟ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୮ରେ ବନ୍ଦ ସମୟରେ ଅଖଚକ କିଛି ମଧ୍ୟ ଚାଲିବ ନାହିଁ ବୋଳି ଚେତାବନୀ ଦିଆଯାଇଛି। ତେଣୁ ଛାତ୍ରଛାତ୍ରୀ ମାନେ କିଭଳି ପରୀକ୍ଷା ଦେବାକୁ ଆସିବେ ସେହି ଚିନ୍ତାରେ ପଡିଛନ୍ତି।

ସମ୍ବନ୍ଧିତ ଖବର