ବାଲେଶ୍ବର: କରୋନା ପାଇଁ ଦଳଗତ ରଙ୍ଗଖେଳରେ ଲାଗିଛି ରୋକ। ସେଥିଲାଗି ନିଜନିଜ ଘରେ ସମସ୍ତେ ଏହି ପର୍ବ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ମାତ୍ର ସରକାରଙ୍କ କଟକଣା ସତ୍ତ୍ବେ ପିଲାଠାରୁ ବୟସ୍କ ସମସ୍ତେ ଧୂମ୍ଧାମ୍ରେ ହୋଲି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ଗାଁଠାରୁ ସହର ସବୁଠି ରଙ୍ଗର ପସରା ମେଲିଥିବା ଦେଖିବାକୁ ମିଳିଛି। ରଙ୍ଗ ବା ହୋଲି ଖେଳ ପାଇଁ ବାଲେଶ୍ବର ସହରର ଆଇଟିଆଇ, ପୁଲିସ ଲାଇନ, ଷ୍ଟେସନଛକ, ଫାଣ୍ଡିଛକ, ନୂଆବଜାର, ସିନେମାଛକ, ମୋତିଗଞ୍ଜ ବଜାର, ମଣ୍ଡଳବଜାର, ଆଜିମାବାଦ, ସହଦେବଖୁଣ୍ଟା ଆଦି ସବୁଛକରେ ଖୋଲିଛି ଭଳିକି ଭଳି ରଙ୍ଗର ପସରା। କଳା, ଧଳା, ନାଲି, ନୀଳ, ହଳଦୀ, ସବୁଜ, ନାରଙ୍ଗୀ ପରି ସବୁରଙ୍ଗ ବିକ୍ରି ହେଉଛି।
ତେବେ ଫାଣ୍ଡିଛକରେ ଦୋକାନ ଖୋଲିଥିବା ମିଲନ ଦେ କହିଛନ୍ତି କରୋନା କଟକଣା ପାଇଁ ରଙ୍ଗ ଓ ପିଚ୍କାରୀ ଠାରୁ ଆରମ୍ଭ କରି ହୋଲିରେ ବ୍ୟବହାର ହେଉଥିବା ସବୁ ସାମଗ୍ରୀର ଦର ବେଶ୍ ବଢ଼ିଯାଇଛି। ସେଥିଲାଗି ଏଥର ବେଶି ଭେରାଇଟି ରଙ୍ଗ ରଖିନାହୁଁ। ରାସାୟନିକ ରଙ୍ଗଠାରୁ ଦୂରେଇ ରହି ଏଥର ହର୍ବାଲ ବା ପରିବେଶ ଅନୁକୂଳ ରଙ୍ଗ ଅବିର ବିକ୍ରି କରୁଛୁ। ଛୋଟପିଲାଙ୍କ ମନକୁ ଜାଣି ଟି-ସାର୍ଟ, ରଙ୍ଗଭର୍ତ୍ତି ବେଲୁନ୍, ପିଚକାରୀ, ବନ୍ଧୁକ ଓ ଟ୍ୟାଙ୍କର ଆଦି ଅଣାଯାଇଛି। ବିଭିନ୍ନ ପ୍ରକାର ଅବିର କେଜିକୁ ୨୦୦ ଟଙ୍କାରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଥିବା ବେଳେ ଏଥର ପ୍ୟାକେଟ୍ରେ ଆସିଥିବା ହର୍ବାଲ ଅବିର, ରଙ୍ଗିନ ବାଣ, କଲର ସ୍ପ୍ରେ ଓ ପାଣିରଙ୍ଗର ଚାହିଦା ଅଧିକ ରହିଛି। ହର୍ବାଲ ଅବିର ଛୋଟ ପ୍ୟାକେଟକୁ ୨୦ ଟଙ୍କା ଏବଂ ୩୦୦ ଟଙ୍କା ପର୍ଯ୍ୟନ୍ତ ଏହାର ବିଭିନ୍ନ ଦାମ୍ ରହିଛି। ରଙ୍ଗିନ ବାଣର ଦାମ୍ ୬୦ରୁ ୮୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ସେହିପରି କଲର ସ୍ପ୍ରେ ୧୫୦ ଟଙ୍କାରୁ ୧୮୦ ଟଙ୍କା ଯାଏ ଦାମ୍ ରହିଥିବା ବେଳେ ପାଣିରଙ୍ଗ ୨୦ରୁ ୩୦ଟଙ୍କାରେ ବିକ୍ରି କରାଯାଉଛି।
ସହଦେବଖୁଣ୍ଟାରେ ଦୋକାନ ଖୋଲିଥିବା ଦିଲ୍ଲୀପ ଦାସ କହିଛନ୍ତି ଏଥର ଛୋଟପିଲାଙ୍କ ଠାରୁ ବୟସ୍କ ଲୋକଙ୍କ ପାଇଁ ଭଳିକି ଭଳି ରଙ୍ଗିନ୍ ମୁଖା ଏବଂ ଚୁଟି ଆଦିର ବେଶି ଚାହିଦା ରହିଛି। ଏହି ମୁଖାର ଦାମ ୨୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଥିବା ବେଳେ ରଙ୍ଗିନ୍ ଚୁଟି ମଧ୍ୟ ଭଲ ବିକ୍ରି ହେଉଛି। ଏହି ରଙ୍ଗ ଓ ହୋଲି ସାମଗ୍ରୀଗୁଡ଼ିକୁ ସେ କଲିକତାରୁ ମାର୍କେଟିଂ କରିଥିବା ବେଳେ ଭଲ ବେପାର ହେବା ନେଇ ଆଶା ରଖିଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/18d11acd-3aa9-4782-b9f6-51a74421f686.jpg)