ବରଗଡ଼: ବୀମା ଓ ଇନ୍‌ପୁଟ୍‌ ସହାୟତା ଦାବିରେ ବରଗଡ଼ ଜିଲ୍ଲାରେ ପୁଣି ଥରେ ଚାଷୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି। ଏଥର ରେଳରୋକ ପାଇଁ ନିଷ୍ପତ୍ତି ନିଆଯାଇଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ପୁଲିସ ଷ୍ଟେସନ୍‌ରେ ଜଗି ରହିଥିଲା। ଷ୍ଟେସନ୍‌କୁ ଆସିବା ପୂର୍ବରୁ ପୁଲିସ ବାଟ ଓଗାଳିବାରୁ ଚାଷୀ ରାସ୍ତାରେ ବସି ଗର୍ଜିଥିଲେ। ପୁଲିସ ସଂଯୁକ୍ତ କୃଷକ ସଂଗଠନର ୪୯ ଜଣ ଚାଷୀଙ୍କୁ ସନ୍ଧ୍ୟା ଯାଏଁ ଅଟକ ରଖିଥିଲା।

Advertisment

   ପୂର୍ବ ନିଷ୍ପତ୍ତି ଅନୁସାରେ ସୋମବାର ସକାଳ ୯ଟାରୁ ବରଗଡ଼ ରୋଡ୍‌ ଷ୍ଟେସନଠାରେ ସଂଯୁକ୍ତ କୃଷକ ସଂଗଠନ ଭେଡ଼େନ ବ୍ଲକ୍‌ ଶାଖା ରେଳରୋକ କରିବାର ଥିଲା। କିନ୍ତୁ ପୁଲିସ ରାତିଅଧିଆ ସଂଗଠନର ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଉଠାଇ ନେଇଥିଲା। ସକାଳୁ ରେଳ ଷ୍ଟେସନ୍‌କୁ ଆସୁଥିବା ଚାଷୀଙ୍କ ଗାଡ଼ିକୁ ମଧ୍ୟ ଅଧ ବାଟରେ ଅଟକାଇଥିଲା। ସେହିପରି ଚାଷୀଙ୍କ ଗତିବିଧି ଉପରେ ନଜର ରଖି ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ପୁଲିସ କୌଶଳ ପାଞ୍ଚିଥିଲା। ଏଭଳି ପରିସ୍ଥିତିରେ ଚାଷୀମାନେ ବରମକେଲାଠାରେ ବରଗଡ଼-ଭେଡ଼େନ୍‌ ରାସ୍ତାକୁ ଅବରୋଧ କରିଥିଲେ। ରାସ୍ତା ଅବରୋଧ ପରେ ପୁଲିସ ଚାଷୀଙ୍କୁ ଅଟକାଇ ନିକଟସ୍ଥ ପଡ଼ିଆକୁ ନେଇ ଅଟକ ରଖିଥିଲା। ବହୁ ସମୟ ଧରି ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା। ରେଳ ଷ୍ଟେସନ୍‌ ପରିସରକୁ ପୁଲିସ ଓ ଆର୍‌ପିଏଫ୍‌ ଚାରିପଟୁ ଘେରି ରହିଥିଲେ। ଅଟକ ଚାଷୀଙ୍କୁ ସନ୍ଧ୍ୟାରେ ପୁଲିସ ଛାଡ଼ିଥିବା ସଂଯୁକ୍ତ କୃଷକ ସଂଗଠନର ନେତା ରମେଶ ମହାପାତ୍ର କହିଛନ୍ତି।    

ରେଳ ଷ୍ଟେସନ୍‌ ଜଗିଲା ପୁଲିସ, ରାଜରାସ୍ତାରେ ଗର୍ଜିଲେ ଚାଷୀ
ବରଗଡ଼-ଭେଡ଼େନ୍‌ ରାସ୍ତା ଅବରୋଧ

ସୂଚନାଯୋଗ୍ୟ, ୨୦୨୩ ମସିହାରେ ବାତ୍ୟା ‘ମିଗ୍‌ଜୋମ୍‌’ ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ ଓ ଇନ୍‌ପୁଟ ସହାୟତା ମିଳିନଥିଲା। ଏ ନେଇ ପୂର୍ବରୁ ଚାଷୀମାନେ ବହୁବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସଂଯୁକ୍ତ କୃଷକ ସଂଗଠନ ମଧ୍ୟ ବହୁବାର ଆନ୍ଦୋଳନକୁ ଓହ୍ଲାଇଥିଲା। ପ୍ରଶାସନ-ଚାଷୀ-ଇନ୍‌ସ୍ୟୁରାନ୍ସ କମ୍ପାନିର ତ୍ରିପାକ୍ଷିକ ବୈଠକ ହେବା ସହ ଜିଲ୍ଲାପାଳ ବିଗତ ଦିନରେ ହସ୍ତକ୍ଷେପ କରିଥିଲେ। ତଥାପି ଏ ଯାଏଁ ଚାଷୀମାନେ ଇନ୍‌ପୁଟ୍‌ ସହାୟତା ରାଶି ଓ ବୀମା କ୍ଷତିପୂରଣ ପାଇନାହାନ୍ତି। ଯାହାକୁ ନେଇ ଏବେ ପୁଣି ଥରେ ଚାଷୀ ଆନ୍ଦୋଳନ ଦାନା ବାନ୍ଧିଛି। 

ଆନ୍ଦୋଳନକୁ ଅଟକାଇବାକୁ ଯାଇ ପୁଲିସ ଚାଷୀ ଉତ୍ପନ୍ନ ଭୋଇ, ସୁଦାମ ପାତ୍ର, ନରେନ୍ଦ୍ର ଭୋଇ, ଅଶୋକ ଭୋଇ, ଖଗେଶ୍ୱର ଭୋଇ, ଲୋକେଶ୍ୱର ଦାସ, ବିଜୟ ସାହୁ, ଆନନ୍ଦ ସୁନା, ବିଜୟ ଲହରିଆ, କୁଞ୍ଜବିହାରୀ ସୁନା, ମନୋଜ ଭେର୍ନା, ଖଗେଶ୍ୱର କୁମ୍ଭାର, ଭୀମ ସାଗର, ବୃନ୍ଦାବନ ସାହୁ, ମୋତିଲାଲ ମହାକୁଡ଼, ରାଜା ବେହେରା, ଚୂଡ଼ାମଣି ଛନ୍ଦ, ସୁବ୍ରତ ପଧାନ, ରୋହିତ ବଗର୍ତ୍ତୀ, ଆର୍ତ୍ତତ୍ରାଣ ଖମାରୀ, ଭୀଷ୍ମଦେବ ପଧାନ, ସୁରେନ୍ଦ୍ର ମାଝୀ, ଯୁଧିଷ୍ଠିର ସାହୁ, ପିଙ୍କୁ ଖମାରୀ, ସୁନିଲ ପଧାନ, ବିଜୁ ଖମାରୀ, ଫିରୋଜ ଖମାରୀ, ଅସିତ ଭୋଇ, ତରଣୀ ପଧାନ, ବିକାଶ ମାଝୀ, ରିକମ ସାହୁ, କୈଳାସ ବାରିକ, ଗୋବିନ୍ଦ ବିଶି, ଦେବପ୍ରସାଦ ଷଣ୍ଢ, ଅମୂଲ୍ୟ ସାହୁ, କ୍ଷୀରୋଦ୍ର ବାଘ, ବିନୋଦ ବାରିକ, ଦୀନବନ୍ଧୁ ବରିହା, ଦୁର୍ଯୋଧନ ବିଶି ପ୍ରମୁଖଙ୍କୁ ଗିରଫ କରିଥିଲା। ତେବେ ସମସ୍ତ ଚାଷୀଙ୍କୁ ପୁଲିସ ସନ୍ଧ୍ୟାରେ ଛାଡ଼ି ଦେଇଥିବା ସୂଚନା ମିଳିଛି।