ରାଜ୍ୟରେ ‘ନଦୀ ବିଜ୍ଞାନ ପ୍ରତିଷ୍ଠାନ’ ଖୋଲାଯାଉ

ଭୁବନେଶ୍ୱର : ନଦୀର ସ୍ୱାସ୍ଥ୍ୟ ଠିକ୍‌ ରହିଲେ ଗୋଟିଏ ଜାତିର ବିକାଶ ସଂଭବ। ନଦୀର ସ୍ୱାସ୍ଥ୍ୟ ବିଗିଡ଼ିଲେ ଜାତିର ଭବିଷ୍ୟତ ମଧ୍ୟ ପ୍ରଭାବିତ ହେବ। ବର୍ତମାନ ସ୍ଥିତିରେ ନଦୀଗୁଡ଼ିକର ପ୍ରାକୃତିକ ପ୍ରବାହ କମିବା ସହ ପ୍ରଦୂଷଣର ମାତ୍ରା ବି ବଢ଼ିଚାଲିଛି। ବେଆଇନ୍‌ ଭାବେ ନଦୀ ଶଯ୍ୟାରୁ ବାଲି ଉଠାଣ, ନଦୀପଠାରେ ଜବରଦଖଲ ଯୋଗୁ ନଦୀର ସ୍ୱାସ୍ଥ୍ୟ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ତେଣୁ ରାଜ୍ୟରେ ନଦୀ ବିଜ୍ଞାନ ସଂପର୍କିତ ଏକ ପ୍ରତିଷ୍ଠାନ ଖୋଲିବା ସହ ନଦୀ ସଂକ୍ରାନ୍ତ ଅଧ୍ୟୟନ କରାଯିବା ନେଇ ଆଜି ଓଡ଼ିଶା ବିକାଶ କନ୍‌କ୍ଲେଭରେ ନଦୀ ପର୍ଯ୍ୟାବରଣ ଶୀର୍ଷକ ଆଲୋଚନାରେ ମତ ପ୍ରକାଶ ପାଇଛି।

ଜଳସଂପଦ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ଅରବିନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଳ ସଂପଦ ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ ଯେ ରାଜ୍ୟର ନଦୀଗୁଡ଼ିକର ସୁରକ୍ଷା ପାଇଁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନଦୀ ନୀତି ପ୍ରଣୟନ ହେବ। ଅନ୍ୟ ଆଲୋଚକ ଭାବେ ଜାତୀୟ ପର୍ଯ୍ୟାବରଣ ପ୍ରତିଷ୍ଠାନର ସଭାପତି ବ୍ରିଜ ଗୋପାଳ ଏବଂ ଓ୍ଵାଟର ଇନ୍‌ଷ୍ଟିଚ୍ୟୁଟର ନିର୍ଦେଶକ ସୁନୀଲ କୁମାର ଆମ୍ବାଷ୍ଟ ଯୋଗ ଦେଇ ବିଶ୍ୱ ଓ ଦେଶର ବିଭିନ୍ନ ନଦୀଗୁଡ଼ିକର ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ସମାଜକର୍ମୀ ସୁଦର୍ଶନ ଦାସ ସ୍ୱାଗତ ଭାଷଣ ଦେଇଥିଲେ।

ଉଦ୍‌ଘାଟନୀ ଉତ୍ସବ ପରେ ଅନୁଷ୍ଠିତ ହୋଇଥିବା ଦୁଇଟି ବୈଷୟିକ ଅଧିବେଶନରେ ପ୍ରଫେସର ଗୋପାଳ ଚନ୍ଦ୍ର ପଣ୍ଡା, କିରଣ ଶଙ୍କର ସାହୁ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ, ତପନ ପାଢ଼ୀ, ଆଶୁତୋଷ ଦାସ, ଅଚ୍ୟୁତ ଦାସ, ପ୍ରଭାକର ନନ୍ଦ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏଚ୍‌ଡିଏଫ-ସିଡାର, ବୈତରଣୀ ଇନିସିଏଟିଭ୍‌, ଇଣ୍ଡିଆ ଓ୍ଵାଟର କାଉନ୍‌ସିଲ୍‌ ଫୋରମ୍‌, ସିଓ୍ଵାଇଏସ୍‌ଡି ଏବଂ ଜଳ ଜନ ଯୋଡ଼ ଅଭିଯାନ ପକ୍ଷରୁ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ପ୍ରିୟବ୍ରତ ଶତପଥୀ, ରଘୁନାଥ ପତି, ସନ୍ତୋଷ ସାହୁ, ଅନନ୍ତ ପ୍ରଧାନ, ମନୋଜ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର